Source :- ODIA PUA
ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପ୍ରତିବର୍ଷ ଏହି ସମୟରେ ଉପକୂଳ ଓଡ଼ିଶାକୁ ବାତ୍ୟା ଓ ବନ୍ୟା ଆଶଙ୍କା ରହିଥାଏ। ସମୁଦ୍ର କୂଳିଆ ବ୍ଲକ୍ ଚାନ୍ଦବାଲି ମଧ୍ୟ ସମ୍ବେଦନଶୀଳ ସ୍ଥାନ ଭାବେ ସର୍ବଦା ବିବେଚିତ ହୋଇଥାଏ। ବାତ୍ୟା ବନ୍ୟା ଆସିଲେ ନଦୀ ନାଳ ଘେରା ଏହି ବ୍ଲକର ଲୋକେ ସବୁ ସମୟରେ ଭୟରେ ରହିଥାନ୍ତି। ହେଲେ ବିଡ଼ମ୍ବନାର ବିଷୟ ଚାନ୍ଦବାଲି ବ୍ଲକର କୌଣସି ବାତ୍ୟା ଆଶ୍ରୟ ସ୍ଥଳୀ ଏବେ ବ୍ୟବହାର ଉପଯୋଗୀ ହୋଇନାହିଁ। ବ୍ଲକରେ ଅବସ୍ଥିତ ମୋଟ ୨୯ ଗୋଟି ଆଶ୍ରୟ ସ୍ଥଳୀ ମଧ୍ୟରୁ ପ୍ରାୟ ସବୁ ଗୁଡିକ ମରାମତି ଆବଶ୍ୟକତା କରୁଛି। ରାଜ୍ୟ ସରକାରଙ୍କ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଆଶ୍ରୟ ସ୍ଥଳୀ ଗୁଡିକ ମରାମତି ପାଇଁ ପ୍ରାୟ ୬-୭ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦୁଇ ମାସ ତଳୁ ବ୍ଲକ ପ୍ରଶାସନକୁ ପ୍ରାପ୍ତି ହୋଇଛି। ହେଲେ ଚାନ୍ଦବାଲି ବ୍ଲକରେ ଠିକାଦାରି ପାଇଁ ଟଣା ଓଟରା ଓ ମାତ୍ରାଧିକ ରାଜନୈତିକ ଚାପ ମରାମତି କାମରେ ବାଧକ ସାଜୁଛି। ମରାମତି କାର୍ଯ୍ୟ ବିଭାଗୀୟ କରିବାକୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ରାଜନୈତିକ ବିବାଦରୁ କାର୍ଯ୍ୟ ହୋଇ ପାରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ତଳିଆ ଅଚଂଳରେ କଚା ଘରେ ରହୁଥିବା ଲୋକେ ବାତ୍ୟା ଭୟରେ ଆଶ୍ରୟ ସ୍ଥଳୀ ଭରସାରେ ରହିଛନ୍ତି। ଅନ୍ୟପଟେ ଠିକାଦାର କରିବାକୁ ନିଜ ଦଳର କର୍ମୀଙ୍କୁ ସୁଯୋଗ ଦେବାକୁ ରାଜନୈତିକ ଦଳ ଗୁଡିକ ଅଧିକାରୀଙ୍କ ଉପରେ ଚାପ ପକାଇଥିବା ଗୁଞ୍ଜରଣ ହେଉଛି। ଏବେ ବାତ୍ୟା ‘ଶକ୍ତି’ ର ଆଶଙ୍କା ଥିବାରୁ, ମୁକାବିଲା କରିବା ନେଇ ସରକାର ପ୍ରସ୍ତୁତ ହେଉଥିବା ବେଳେ, ଚାନ୍ଦବାଲି ଭଳି ବାତ୍ୟା ପ୍ରବଣ ଅଚଂଳରେ ଆଶ୍ରୟ ସ୍ଥଳୀ ଗୁଡିକର ଏଭଳି ସ୍ଥିତି ପ୍ରଭାବିତ ଲୋକଙ୍କୁ ବ୍ୟଥିତ କରୁଛି। ଏଥିରୁ ଜିଲ୍ଲା ଓ ବ୍ଲକ ପ୍ରଶାସନର ବାତ୍ୟା ମୁକାବିଲା କରିବାର ଆନ୍ତରିକତା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ସୂଚନା ଅନୁସାରେ ଚାନ୍ଦବାଲି ବ୍ଲକ ବଂଶଡ଼ା ପଂଚାୟତର ଗଙ୍ଗାଧରପୁର, ଛେଡ଼ାକ ଓ ବାଲିରିପୁର, ଚରଦିଆ ପଂଚାୟତର ହରିଶପୁର ଓ ଶୈଳେନ୍ଦ୍ରପଲ୍ଲୀ, ଦୋଷୀଙ୍ଗା ପଂଚାୟତର ଓରାମାଲ, ଦୋଷୀଙ୍ଗା, ବିଦ୍ୟୁତପ୍ରଭା ଓ ଚନ୍ଦନୀପାଳ, ଜାଗୁଳା ପଂଚାୟତର ଜାଗୁଳା ଓ ଡିହ-ନରସିଂପୁର, ଯଶିପୁର ପଂଚାୟତର ବରାଖୋଲା ଓ କଇଁଥକୋଲା ପଂଚାୟତର କୃଷ୍ଣପ୍ରସାଦ, କନକପ୍ରସାଦ ଓ ଗୌରପ୍ରସାଦ, କାରଣପଲ୍ଲି ପଂଚାୟତର ବିଜୟପାଟଣା, କରଞ୍ଜମାଳ ପଞ୍ଚାୟତର କରଞ୍ଜମାଳ, ନଳଗୋହିର ପଂଚାୟତର ବଡତିଲଂଚି, ନୂଆଗାଁ ପଚାଂୟତର ଯାନ୍ତୁଆଳି, ପଂଚୁଟିକିରୀ ପଂଚାୟତର ନଚିପୁର, କାଦୁଅନାସି ଓ ଉତରସାହି, ତୋଟାପଡା ପଞ୍ଚାୟତର ଅଙ୍କପଡା, ଖଦାଳପୋଖରୀ ପଂଚାୟତର ବିରିଡିଆ, ଖଦାଳପୋଖରୀ ଓ ସୁନାରିପୋଖରୀ, ମାଧପୁର ପଞ୍ଚାୟତର କୃଷ୍ଣପୁର, ଭୂଇଁବୃତି ପଂଚାୟତର ରମେଶ୍ୱରପୁର, ତେନ୍ତୁଳିଡ଼ିହି ପଂଚାୟତ ଭଳି ସମୁଦ୍ର କୂଳିଆ ଓ ନଦୀ କୂଳିଆ ଅଂଚଳରେ ଆଶ୍ରୟ ସ୍ଥଳୀ ଗୁଡିକ ରହିଛି। ହେଲେ ମରାମତି ଅଭାବରୁ ବନ୍ୟା ବାତ୍ୟା ସମୟରେ କେଉଁଠି ଆଶ୍ରୟ ନେବେ ଏନେଇ ଲୋକଙ୍କ ମନରେ ସଂଶୟ ଦେଖାଦେଇଛି। ଏନେଇ ଚାନ୍ଦବାଲି ବିଡ଼ିଓ ଦାୟିତ୍ୱ ରେ ଥିବା ତହସିଲଦାର ଭବତୋଷ ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଛନ୍ତି, ପର୍ଯ୍ୟାୟ କ୍ରମେ ମରାମତି କାର୍ଯ୍ୟ ଆରମ୍ଭ ହେଉଛି, ସବୁ କାର୍ଯ୍ୟ ସମାପ୍ତି ହୋଇଯିବ।
SOURCE: ODIA PUA