Source :- ODISHARE REPORTER NEWS

ନକ୍ସଲଙ୍କ ବିରୋଧରେ ଆର୍‌ପାର୍‌ ଲଢ଼େଇ ଆରମ୍ଭ ହୋଇଯାଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର କରିଥିବା ପଣ ଦିଗରେ ସୁରକ୍ଷାକର୍ମୀ ଆଉ ପାଦେ ଆଗେଇଛନ୍ତି। ଓଡ଼ିଶା-ଛିତଶଗଡ଼ ସୀମାରେ ଆରମ୍ଭ ହୋଇଥିବା ଅପରେସନକୁ ମିଳିଛି ବଡ଼ ସଫଳତା। ଦୁଇ ରାଜ୍ୟର ପୁଲିସ୍‌ ବେଶ ଚମତ୍କାର ଢଙ୍ଗରେ ଅପରେସନ କରି ୨୦ କୁଖ୍ୟାତ ନକ୍ସଲଙ୍କ ମୁଣ୍ଡ ଗଡ଼ାଇଛନ୍ତି।

ନିହତଙ୍କ ମଧ୍ୟରେ ଜଣେ କୋଟିଏ ଟଙ୍କିଆ ମାଓବାଦୀ ରହିଛି। ତା’କୁ ହତ୍ୟା କରିବା ସୁରକ୍ଷାକର୍ମୀଙ୍କ ପାଇଁ ଗୋଟିଏ ବଡ଼ ସଫଳତା। ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଓଡ଼ିଶା ଓ ଛତିଶଗଡ଼ ପୁଲିସ୍‌ର ଏସ୍‌ଓଜି ଯବାନମାନେ ମିଳିତ ଅପରେସନ କରି ଏତେ ସଂଖ୍ୟକ ନକ୍ସଲଙ୍କୁ ନିପାତ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଏହି ଅପରେସନକୁ ଗୋଟିଏ ବଡ଼ ସଫଳତା ଭାବେ ଅବିହିତ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ବରିଷ୍ଠ ନକ୍ସଲ ନେତା ଜୟରାମ ରେଡ୍ଡୀ। ସେ ଛାଲାପତି ଭାବେ ମଧ୍ୟ ବେଶ ପରିଚିତ। ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରରେ ଜୟରାମ ବେଶ ସକ୍ରିୟ ରହିଥିଲା। ହେଲେ ଓଡ଼ିଶା-ଛତିଶଗଡ଼ ସୀମାରେ ହୋଇଥିବା ଗୁଳି ବିନିମୟରେ ଜୟରାମର ଖେଳ ଖତମ ହୋଇଯାଇଛି। ତା’କୁ ଧରିବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ପୁଲିସ୍ ତା’କୁ ଖୋଜୁ ଥିବା ବେଳେ ସେ ସବୁବେଳେ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଉଥିଲା। ଏବେ କିନ୍ତୁ ପୁଲିସ ଗୁଳିରେ ସେ ନିହତ ହୋଇଛି।

କେମିତି ଆରମ୍ଭ ହୋଇଥିଲା ଅପରେସନ?

<!–

  • 17 March 2022

–>

ଜୟରାମ ସମେତ ଏକାଧିକ ନକ୍ସଲ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଠାରୁ ୫ କିମି ଦୂର ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଆଡ୍ଡା ଜମାଇଥିବା ଖବର ମିଳିଥିଲା। ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଉଭୟ ରାଜ୍ୟର ଏସଓଜି ଯବାନମାନେ ମାଓବାଦୀ ଦମନ ଅଭିଯାନ ଆରମ୍ଭ କରି ଦେଇଥିଲେ। ସୋମବାର ରାତିରୁ ଆରମ୍ଭ ହୋଇଥିବା ଏହି ଅପରେସନରେ ଡିଆରଜି, ସିଆରପିଏଫ, ଛତିଶଗଡ଼ର କୋବ୍ରା ଓ ଓଡ଼ିଶାର ଏସଓଜି ଯବାନମାନେ ସାମିଲ ହୋଇଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ।

ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଘମାଘୋଟ ଲଢ଼େଇ ରାତି ତମାମ ଚାଲିଥିଲା। ବେଶ କିଛି ଘଣ୍ଟାର ପ୍ରବଳ ଗୁଳି ବିନିମୟ ପରେ ପୂରା ପରିବେଶ ଶାନ୍ତ ହୋଇଯାଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ଜଙ୍ଗଲ ମଧ୍ୟରେ ବେଶ ସତର୍କତାର ସହ ଆଗକୁ ବଢ଼ିଥିଲେ। ଏହି ସମୟରେ ୨୦ ଜଣ ନକ୍ସଲଙ୍କ ଗୁଳିବିଦ୍ଧ ମୃତଦେହ ଜଙ୍ଗଲ ମଧ୍ୟରୁ ମିଳିଛି। ଏମାନଙ୍କ ମଧ୍ୟରେ ଜୟରାମ ରେଡ୍ଡୀ ମଧ୍ୟ ରହିଛି।

ଏହାବାଦ ନିହତ ନକ୍ସଲମାନଙ୍କ ନିକଟରୁ ବିପୁଳ ପରିମାଣର ବନ୍ଧୁକ, ଗୁଳିଗୋଳା ଓ ଆଇଇଡି ମଧ୍ୟ ଜବତ ହୋଇଛି। ଏଗୁଡ଼ିକ ମଧ୍ୟରେ ସେଲ୍ଫ ଲୋଡିଂ ରାଇଫଲ ମଧ୍ୟ ରହିଛି। ଏବେ ବି ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି।

ଏନକାଉଣ୍ଟରକୁ ନେଇ କ’ଣ କହିଲେ ଅମିତ ଶାହ?

୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ଘୋଷଣା କରିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୀମାରେ ହୋଇଥିବା ଏନକାଉଣ୍ଟରକୁ ନକ୍ସଲବାଦକୁ ଆଉ ଏକ ବଡ଼ ଝଟକା ବୋଲି କହିଛନ୍ତି। ସେ କହିଛନ୍ତି, “ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଆମ ସୁରକ୍ଷାବଳ ଗୋଟିଏ ବଡ଼ ସଫଳତା ହାସଲ କରିଛନ୍ତି।

ସିଆରପିଏଫ, ଓଡ଼ିଶାର ଏସଓଜି ଓ ଛତିଶଗଡ଼ ପୁଲିସ୍‌ ମିଳିତ ଅପରେସନ ଦ୍ୱାରା ଓଡ଼ିଶା-ଛତିଶଗଡ଼ ସୀମାରେ ୨୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ନକ୍ସଲ ମୁକ୍ତ ଭାରତ ଗଠନ ପାଇଁ ଆମର ସଂକଳ୍ପ ଓ ସୁରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମ ଯୋଗୁ ନକ୍ସଲବାଦ ଏବେ ନିଜର ଶେଷନିଃଶ୍ୱାସ ନେବା ଆରମ୍ଭ କରିଛି।”

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ମଧ୍ୟ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଛନ୍ତି ଓ ଡବଲ ଇଞ୍ଜିନ ସରକାର ଅଧୀନରେ ଛତିଶଗଡ଼ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ହେବ। ସୁରକ୍ଷାକର୍ମୀ ନିୟମିତ ଭାବେ ସଫଳତା ହାସଲ କରିବାରେ ଲାଗିଛନ୍ତି। ଏବେ ସେମାନେ ବେଶ ଦ୍ରୁତଗତିରେ ଟାର୍ଗେଟ ପୂରଣ ଦିଗରେ ମାଡ଼ି ଚାଲିଛନ୍ତି।

ସୈନ୍ୟମାନଙ୍କ ସଫଳତା ପ୍ରଶଂସନୀୟ। ମୁଁ ବୀରମାନଙ୍କୁ ସଲାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ବିଷ୍ଣୁ କହିଛନ୍ତି।ଚଳିତ ବର୍ଷ କେବଳ ଛତିଶଗଡ଼ରେ ବିଭିନ୍ନ ସ୍ଥାନରେ ହୋଇଥିବା ଏନକାଉଣ୍ଟରେ ୪୦ରୁ ଅଧିକ ମାଓବାଦୀ ନିହତ ହେଲେଣି।

ଏନକାଉଣ୍ଟରେ ଟଳିଲା କୋଟିଏ ଟଙ୍କିଆ ମାଓବାଦୀ

ଆନ୍ଧ୍ର ପ୍ରଦେଶର ଚିତ୍ତୋରରେ ଜନ୍ମ ଗ୍ରହଣ କରିଥିବା ଜୟରାମ ରେଡ୍ଡୀ ଓରଫ ଛାଲାପତି ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ଅନ୍ୟତମ ବରିଷ୍ଠ ସଦସ୍ୟ ଭାବେ କାମ କରୁଥିଲା। ଜୟରାମ ଛତିଶଗଡ଼ର ବସ୍ତର ଅନ୍ତର୍ଗତ ଅବୁଝମଦର ଘଞ୍ଚ ଜଙ୍ଗଲରେ ରହି ପୂରା ନେଟୱର୍କକୁ ଚଳାଇଥାଏ। ଅବୁଝମଦ ଜଙ୍ଗଲରେ ନିୟମିତ ଏନକାଉଣ୍ଟର ହେବାରୁ ୬୦ ବର୍ଷୀୟ ଜୟରାମ ସେଠାରୁ ନିଜର କ୍ୟାମ୍ପକୁ ସ୍ଥାନାନ୍ତର କରି ଦେଇଥିଲା। ସେ ଓଡ଼ିଶା ସୀମାରେ ନିଜର ନୂଆ କ୍ୟାମ୍ପ ଖୋଲି ବେଶ କିଛି ମାସ ହେଲା ରହୁଥିଲା।

ସେ ଭାବିଥିଲା ଯେ ଓଡ଼ିଶା ସୀମାରେ ସେ ସୁରକ୍ଷିତ ରହିବ। ଓଡ଼ିଶା ଓ ଛତିଶଗଡ଼ ସୀମାରେ ହେଉଛି ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପର ରଣନୀତି ନିଜେ ଜୟରାମ ପ୍ରସ୍ତୁତ କରୁଥିଲା। ଏଥିସହ ପୂରା ଅପରେସନର ନେତୃତ୍ୱ ମଧ୍ୟ ସେ ନେଉଥିଲା। ତା’କୁ ସବୁବେଳେ ୮ରୁ ୧୦ ଜଣ ବ୍ୟକ୍ତିଗତ ଗାର୍ଡ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷା ଦେଉଥିଲେ। ଦୀର୍ଘ ଦିନ ଧରି ସେ ଆତଙ୍କ ଖେଳାଇ ଚାଲିଥିବାରୁ, ତା’କୁ ଧରିବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ନିହତ ନକ୍ସଲ ନେତା ଜୟରାମ

୨୦୨୪ରେ ମରିଥିଲେ ୨୦୦ରୁ ଅଧିକ ନକ୍ସଲ

୨୦୨୪ରେ କେବଳ ଛତିଶଗଡ଼ରେ ୨୧୯ ଜଣ ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ କେବଳ ବସ୍ତର ରିଜନରେ ୨୧୭ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ବସ୍ତର ରିଜନ ଅଧୀନରେ ବସ୍ତର, ଦାନ୍ତେୱାଲା, କାଙ୍କେର, ବିଜାପୁର, ନାରାୟଣପୁର, କୋଣ୍ଡାଗାଓଁ ଓ ସୁକମା ଜିଲ୍ଲା ରହିଛି। ୨୦୨୪ରେ ୮୦୦ରୁ ଅଧିକ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୮୦୨ ଜଣ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ୨୦୨୪ରେ ନକ୍ସଲ ହମଲାରେ୧୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୬୫ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ୨୦୨୫ରେ ଛତିଶଗଡ଼ରେ ହୋଇଥିବା ମିଳିତ ଅପରେସନରେ ଏଯାଏ ପ୍ରାୟ ୩୦ ଜଣ ନକ୍ସଲ ପ୍ରାଣ ହରାଇ ସାରିଲେଣି।

<!–

  • Share this article on

–>


telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।



Related Stories

SOURCE :- ODISHA REPORTER