Home national news oriya ଦ୍ୱିତୀୟ ବନ୍ୟାରେ ୫ଟି ବ୍ଲକ୍‌ରେ ୨ ଲକ୍ଷ ୬୧ ହଜାର ୮୦୯ ଲୋକ ପ୍ରଭାବିତ

ଦ୍ୱିତୀୟ ବନ୍ୟାରେ ୫ଟି ବ୍ଲକ୍‌ରେ ୨ ଲକ୍ଷ ୬୧ ହଜାର ୮୦୯ ଲୋକ ପ୍ରଭାବିତ

7
0

Source :- ODIA PUA

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପ୍ରଥମ ବନ୍ୟା ପରେ ଦ୍ୱିତୀୟଥର ଭୟାବହ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି। ଖାଇବା, ପିଇବା, ରହିବା ବନ୍ୟା ବିପନ୍ନଙ୍କ ପାଇଁ ଦୁର୍ଦ୍ଦଶା ବଢାଇଦେଇଛି। ଗୁହାଳରେ ଗାଈଗୋରୁ ନାହାଁନ୍ତି। ଚୂଲିରେ ପାଣି ପଶି ରନ୍ଧାବଢା ବନ୍ଦ ହୋଇଯାଇଛି। ସ୍କୁଲରେ ପାଠପଢା ବନ୍ଦ ହୋଇଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି। ଘାଇ ସୃଷ୍ଟି ହେବା ପରେ ବହୁ ଗାଁ ଜଳବନ୍ଦୀ ହୋଇ ପଡିରହିଛି। ଏହି ଦ୍ୱିତୀୟ ବନ୍ୟାରେ ଆଜିସୁଦ୍ଧା ଭଦ୍ରକ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ତିହିଡି, ଧାମନଗର ୫ଟି ବ୍ଲକ୍‌ର ୪୪ ଟି ପଂଚାୟତର ୧୮୫ ଟି ଗାଁରେ ୨ ଲକ୍ଷ ୬୧ ହଜାର ୮୦୯ ଲୋକ, ୧ ଲକ୍ଷ ୧୨ ହଜାର ୭୫୩ ପଶୁ ସମ୍ପଦ ଓ ୧୦ ହଜାର ୮ ଶହ କୁକୁଡା ପ୍ରଭାବିତ ହୋଇଛି । ୭୦୮ ପ୍ରାଣୀ ଓ ପଶୁ ସଂପଦଙ୍କୁ ଚିକିତ୍ସା କରାଯାଇଥିବାବେଳେ ୧୧୦୦ ପଶୁଙ୍କୁ ଟୀକା ଦିଆଯାଇଛି। ପ୍ରଶାସନ ପକ୍ଷରୁ ନଦୀକୂଳିଆ ଅଂଚଳରୁ ୧ ଲକ୍ଷ ୫ ହଜାର ୩୮୨ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ଓ ବର୍ଷାକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଓ ନିରପତା ନିମନ୍ତେ ପ୍ରଶାସନ ପକ୍ଷରୁ ୬ଟି ବ୍ଲକ୍‌ର ୨୯୭ ସ୍କୁଲ ଓ ୩୯୫ ଟି ଅଙ୍ଗନୱାଡି କେନ୍ଦ୍ରକୁ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁଙ୍କ ସୂଚନା ଅନୁଯାୟୀ ବନ୍ୟାଂଚଳ ଗୁଡିକରେ ୪୦ଟି ମେଡିକାଲ ଟିମ୍ ନିୟୋଜିତ କରାଯାଇଛି। ପ୍ରତି ବ୍ଲକ୍ ଓ ପଂଚାୟତରେ ସାପକାମୁଡା ଔଷଧ ମହଜୁଦ ରଖାଯାଇଛି। ୯ ଜଣ ଲୋକ ସାପକାମୁଡାରେ ଆକ୍ରାନ୍ତ ହୋଇଥିବାବେଳେ ଆଜିସୁଦ୍ଧା କୌଣସି ଲୋକ ମରିନାହାଁନ୍ତି। ଏହାବ୍ୟତୀତ ୪୬ ଜଣ ଡାଇରିଆରେ ରୋଗରେ ପୀଡିତ ହୋଇଥିବାବେଳେ ୩୨ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ୪୭ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ବନ୍ୟାଂଚଳରେ ୧୦ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାଙ୍କ ପ୍ରତି ମେଡିକାଲ ଟିମ୍ ସ୍ୱତନ୍ତ୍ର ଦୃଷ୍ଟି ଦେଉଛି। ୭୫ଟି ଫ୍ରି କିଚେନ ଦ୍ୱାରା ରନ୍ଧାଖାଦ୍ୟ ବଂଟନ ଜାରି ରହିଛି। ବୈତରଣୀ ନଦୀର କୁମ୍ଭୀର ଆତଙ୍କକୁ ଦୃଷ୍ଟିରେ ରଖି ବନ୍ୟପ୍ରାଣୀ କର୍ତୃପକ୍ଷଙ୍କୁ ସଜାଗ ରହିବା ସହ ଲୋକମାନଙ୍କୁ ସଚେତନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାଂଚଳରେ ଗୋରୁଗାଈଙ୍କ ଖାଦ୍ୟ ପାଇଁ ୬୮ ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଂଟାଯିବାକୁ ପ୍ରାଣୀସଂପଦ ବିଭାଗକୁ ଦାୟିତ୍ୱ ଦିଆଯାଇଛି ଓ ତାହା ଜାରି ରହିଛି। ସେହିପରି ୨ଟି ମୋବାଇଲ୍ ୱାଟର ଟ୍ରିଟମେଂଟ ପ୍ଲାଂଟ ସହ, ୯ ହଜାର ୱାଟର ପାଉଚ, ୫୫୦୦ ପାଣିବୋତଲ ବଂଟନ ଜାରି ରହିଛି। ଏହାବ୍ୟତୀତ ୬୩୯ ଟି ରୋଲ୍ ପଲିଥିନ ସହ ୧୦୭ କ୍ୱିଂଟାଲ ଚୁଡା, ୨୪.୨୫ ଗୁଡ ବନ୍ୟାଂଚଳକୁ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଯେଉଁ ଅଂଚଳରେ ବନ୍ୟା ପାଣି ଛାଡିଯାଇଛି, ସେହି ଅଂଚଳର ନଳକୂପ ଗୁଡିକୁ ବିଶୋଧନ କରାଯାଉଛି। ୩ ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଜାରି ରହିଛି। ଏହି ଉଦ୍ଧାରକାରୀ ଦଳଙ୍କ ସହ ମେଡିକାଲ ଟିମ୍ ବନ୍ୟାଂଚଳ ଯାଇ ଲୋକଙ୍କ ସ୍ୱାସ୍ଥ୍ୟସେବା ଉପରେ ଦୃଷ୍ଟି ଦେଇଛନ୍ତି।

SOURCE: ODIA PUA