Source :- ODIA PUA

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଂଚଳରେ ବେଆଇନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଂଚିଛି। ସାଧାରଣ ଜନତା ତ ଛାଡ଼ନ୍ତୁ, ଏବେ ଖୋଦ୍ ପ୍ରାଶାସନିକ ଅଧିକାରୀ ତଥା ମାଜିଷ୍ଟ୍ରେଟ୍ ମଧ୍ୟ ଏମାନଙ୍କ କୋପରୁ ବର୍ତି ପାରୁନାହାନ୍ତି। ଶନିବାର ଅପରାହଣ ପ୍ରାୟ ୨ଟା ବେଳେ ଏକ ଭୟଙ୍କର ଦୁର୍ଘଟଣାରୁ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଅଳ୍ପକେ ବର୍ତି ଯାଇଥିବା ବେଳେ ବାଲି ଚୋରି କରୁଥିବା ଟ୍ରାକ୍ଟର ଡ୍ରାଇଭରଙ୍କ ବେପରୁୱା ଗାଡ଼ି ଚାଳନା ଯୋଗୁଁ ତାଙ୍କ ସରକାରୀ ଗାଡ଼ିଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।ରବିବାର ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତର ପିତେଇପୁର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ‘ସ୍ୱାବଲମ୍ବୀ ଯୁବ ଅଭିଯାନ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାର ସଫଳ ପରିଚାଳନା ପାଇଁ ଶନିବାର ମଧ୍ୟାହ୍ନରେ ବିଦ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଯୋଗ ଦେଇଥିଲେ। ବୈଠକ ସରିବା ପରେ ସେ ନିଜ ସରକାରୀ ଗାଡ଼ିରେ ଭଦ୍ରକ ଫେରୁଥିବା ବେଳେ ପିତେଇପୁରଠାରେ ବୈତରଣୀ ନଦୀବନ୍ଧ ଉପରକୁ ଉଠି ଷେଣ୍ଢପୁର ଦିଗରେ ଆସୁଥିଲେ। ତେବେ କଂଟାପାରୀ ଓ ବୈତରଣୀ ବ୍ରିଜ୍ ଛକ ମଝିରେ ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର ଉପଜିଲ୍ଲାପାଳଙ୍କ ସରକାରୀ ଗାଡ଼ିକୁ ପଛପଟୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଶକ୍ତ ଥିଲା ଯେ ଗାଡ଼ିର ପଛ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ତାହା ନଦୀବନ୍ଧ ଧାରକୁ ଖସି ଯାଇଥିଲା। ମାତ୍ର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ଗାଡ଼ିଟି ବନ୍ଧ ତଳକୁ ଖସୁ ଖସୁ ରହିଯାଇଥିଲା ଏବଂ ଏକ ବଡ଼ ବିପତି ଟଳି ଯାଇଥିଲା।ଦୁର୍ଘଟଣା ପରେ ଉପଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭର ଗାଡ଼ିର କ୍ଷତି ଦେଖୁଥିବା ବେଳେ ସୁଯୋଗ ଦେଖି ଟ୍ରାକ୍ଟର ଡ୍ରାଇଭର ସେଠାରୁ ଗାଡ଼ି ନେଇ ଛୁ ମାରିଥିଲା। ଉପଜିଲ୍ଲାପାଳ ଓ ତାଙ୍କ ପଛରେ ଆସୁଥିବା ଅନ୍ୟ ସରକାରୀ ଅଧିକାରୀମାନେ ତୁରନ୍ତ ସମ୍ପୃକ୍ତ ବାଲି ଟ୍ରାକ୍ଟରକୁ ପିଛା କରିଥିଲେ ହେଁ ଡ୍ରାଇଭର ଜଣକ ଗାଡ଼ି ସହ ଗାଁ ଭିତରକୁ ପଶି ଫେରାର ହେବାରେ ସଫଳ ହୋଇଥିଲା। ଫଳରେ ଉପଜିଲ୍ଲାପାଳ ବାଧ୍ୟ ହୋଇ ସେଠାରୁ ଫେରିଥିଲେ। ଜଣେ ଶାସକ ଦଳର ନେତା ଙ୍କ ଇଙ୍ଗିତ ରେ ଷେଣ୍ଢପୁର, କଂଟାପାରୀ ଓ ବେଦପୁର ଅଂଚଳରେ ଦୀର୍ଘ ଦିନ ହେବ ବେଆଇନ ଭାବେ ବାଲି ଚୋରି ବ୍ୟାପକ ରୂପେ ହେଉଚି। ଗାଡ଼ି ମାଲିକମାନେ ସରକାରୀ ନିୟମକୁ ବେଖାତିର କରି ବୈତରଣୀ ନଦୀ ଗର୍ଭରୁ ମନଇଚ୍ଛା ବାଲି ଉତୋଳନ କରୁଛନ୍ତି। ବାଲି ଚୋରିର ଏହି ଅନ୍ଧ ପ୍ରତିଯୋଗିତା ଯୋଗୁଁ ଟ୍ରାକ୍ଟର ଡ୍ରାଇଭରମାନେ ନଦୀବନ୍ଧ ଭଳି ଅଣଓସାରିଆ ରାସ୍ତାରେ ଅତି ବେପରୁୱା ଭାବେ ଗାଡ଼ି ଚଲାଉଛନ୍ତି, ଯାହା ଫଳରେ ନିୟମିତ ଭାବେ ସ୍ଥାନୀୟ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାଜ୍ୟ ଖଣି ବିଭାଗକୁ ବାଲିଘାଟ ନିଲାମ ଓ ତଦାରଖ ଦାୟିତ୍ୱ ହସ୍ତାନ୍ତର ହେବା ପୂର୍ବରୁ ଉପଜିଲ୍ଲାପାଳ ହିଁ ଏହାର ସର୍ବେସର୍ବା ଥିଲେ ଏବଂ ସେ ଜଣେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ମଧ୍ୟ । ହେଲେ ବାଲି ମାଫିଆଙ୍କ ସାହସ ଏତେ ବଢ଼ିଯାଇଛି ଯେ ସେମାନେ ଜଣେ ଜିଲ୍ଲା ସ୍ତରୀୟ ଶୀର୍ଷ ଅଧିକାରୀଙ୍କୁ ଧକ୍କା ଦେବାକୁ ପଛାଉ ନାହାନ୍ତି। ଏହି ସମ୍ବେଦନଶୀଳ ଘଟଣା ପରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ କ୍ଷୋଭ ପ୍ରକାଶ କରିବା ସହ ଧାମନଗର ଅଂଚଳରେ ବେଆଇନ ବାଲି ଚୋରି ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆଗାମୀ ଦିନରେ ଚଢ଼ଉ କୁ ଜୋରଦାର କରାଯିବ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି।

SOURCE: ODIA PUA