Source :- ODIA PUA
ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆନ୍ତର୍ଜାତିକ କନ୍ୟା ଦିବସ ଆଜି ଏସ୍ପି ଅଫିସ୍ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଗୁଇନ୍ଦା) ଅଂଶୁମାନ ଦ୍ୱିବେଦୀ, ଫେଲୋସିପ୍ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଆସିୟାନାର ପରିଚାଳନା ନିର୍ଦ୍ଦେଶିକା ସୋଫିଆ ସେକ୍, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ସଦସ୍ୟ ସୁବ୍ରତ କୁମାର ସ୍ୱାଇଁ, ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ସମେତ କଲେଜ ଛାତ୍ରଛାତ୍ରୀ ଓ ପୁଲିସ୍ ଅଧିକାରୀ ଯୋଗ ଦେଇଥିଲେ। ଏହି ଦିବସ ଉପଲକ୍ଷେ ଏକ ଶୋଭାଯାତ୍ରା ଆଜି ସକାଳେ ସହର ପରିକ୍ରମା କରିବା ପରେ ଏସ୍ପି ଅଫିସ୍ରେ ପହଂଚିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶେଷକରି ବାଲ୍ୟ ବିବାହ ରୋକିବା ଓ କିଶୋର-କିଶୋରୀ ମାନଙ୍କ ସାଇବର ସୁରକ୍ଷା ଓ ଆଇନଗତ ଅଧିକାର ସଂପର୍କରେ ଆଲୋଚନା କରାଯାଇଥିଲା। ସେହିପରି ବାଲ୍ୟ ବିବାହ ନିରାକରଣ, କୈଶର ସମ୍ବନ୍ଧୀୟ ସମସ୍ୟା ଓ ଜୁଭେନଟିକା ଟୀକାର ଉପକାରିତା ନେଇ ସଚେତନତାର ବାର୍ତା ଦିଆଯାଇଥିଲା । ବାଲ୍ୟ ବିବାହର ଅପକାରିତା, ଏହାକୁ ରୋକିବା, କୈଶର ଅବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ-ଗୁରୁତ୍ୱ-ଶିକ୍ଷା, ଲିଙ୍ଗଗତ ସମାନତା ଏବଂ କିଶୋରୀ ସୁରକ୍ଷା, ଅଧିକାର ଓ ମର୍ଯ୍ୟଦା ଉପରେ ବୁଝାଯାଇଥିଲା । ଏହି ଅବସରରେ ମୁଁ ଝିଅମାନଙ୍କୁ ନିଜ ସହ ସମାନ ଭାବିବି, ସେମାନଙ୍କ ଅଧିକାର ଓ ପସନ୍ଦକୁ ସମ୍ମାନ ଦେବି, ଭେଦବାବ ଓ କ୍ଷତିକାରକ ବ୍ୟବହାରକୁ ବିରୋଧ କରିବି, ୧୮ ବର୍ଷରୁ କମ୍ ବୟସର ଝିଅଙ୍କୁ କେବେ ବିବାହ କରିବି ନାହିଁ , ବାଲ୍ୟ ବିବାହ ବିରୋଧରେ ସ୍ୱର ଉଠାଇବା ନେଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥପାଠ କରାଯାଇଥିଲା ।
SOURCE: ODIA PUA




