Source :- ODIA PUA

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ପ୍ରଥମଥର ପାଇଁ ମା’ ଆଦ୍ୟାଶକ୍ତି ଦକ୍ଷିଣ କାଳୀ ମନ୍ଦିର ପକ୍ଷରୁ ମହାବିଦ୍ୟାଳୟସ୍ତରରେ ଭଗବତ ଗୀତାର ପ୍ରଚାର ପ୍ରସାର ସହ ଗୀତା ମହିମାର ପୁନରାବୃତି ଓ ଅନୁସନ୍ଧାନ ନିମନ୍ତେ ଏକ ଭଗବତ ଗୀତା ସମ୍ମିଳନୀ ଭଦ୍ରକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଦକ୍ଷିଣ କାଳୀ ମନ୍ଦିରର ପ୍ରତିଷ୍ଠାତା ତଥା ମୁଖ୍ୟ ପୂଜକ ସତ୍ୟନାରାୟଣ ଦାସ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଗବତ ଗୀତା ପ୍ରତି ଶ୍ରଦ୍ଧା, ଭକ୍ତି, ଜ୍ଞାନ ଓ କର୍ମର ପରିପ୍ରକାଶ କରିବା ପାଇଁ ଶ୍ରୀମଦ୍ ଭଗବତ ଗୀତା ଅଧ୍ୟୟନର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଆଇନ୍‌ଜୀବୀ ବିଜୟ କର ସଂଚାଳନା କରିଥିବାବେଳେ ଏଥିରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ, ସଂଯୋଜକ ପୀତାମ୍ବର ପଣ୍ଡା, ବରିଷ୍ଠ ସେବକ ଶ୍ୟାମସୁନ୍ଦର ସାମନ୍ତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୀତା ପଠନର ଉପକାରିତା ବିଷୟରେ ସଚେତନ କରାଇଥିଲେ। ମନ୍ଦିର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନିଃଶୁକ୍ଳ ଗୀତା ପ୍ରଦାନ କରାଯାଇଥିଲା।

SOURCE: ODIA PUA