Home national news oriya ‘ଭଦ୍ରାଣୀ’ର ପୁସ୍ତକ ଲୋକାର୍ପଣ ସମାରୋହ, ‘ପୁସ୍ତକ ହେଉଛି ଜ୍ଞାନର ରୂପମୟ ପରିପ୍ରକାଶ’

‘ଭଦ୍ରାଣୀ’ର ପୁସ୍ତକ ଲୋକାର୍ପଣ ସମାରୋହ, ‘ପୁସ୍ତକ ହେଉଛି ଜ୍ଞାନର ରୂପମୟ ପରିପ୍ରକାଶ’

5
0

Source :- ODIA PUA

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଈଶ୍ୱରଙ୍କ ସୃଷ୍ଟିର ତିନୋଟି ଅନବଦ୍ୟ ମହାକାବ୍ୟ ମଧ୍ୟରୁ ଜ୍ଞାନ ଅନ୍ୟତମ, ଯାହା ଭାବସ୍ଥିତିରେ ଉଦ୍‌ଭାଷିତ ହେଉଥାନ୍ତି । କ୍ରାନ୍ତଦର୍ଶୀ ମନୀଷୀମାନେ ଜ୍ଞାନଙ୍କୁ ଦର୍ଶନ କରି ତାହାଙ୍କୁ ପରିପ୍ରକାଶ କରିଥାନ୍ତି । ଲିପିର ଉଦ୍‌ଭାବନ ପରେ ସେହି ଜ୍ଞାନ ପୁସ୍ତକ ଆକାରରେ ପ୍ରକାଶ ପାଇଲା। ଆମ ଜଗତ ଓ ଜୀବନକୁ ସମୃଦ୍ଧ କରୁଥିବା ପ୍ରତିଟି ବିଭବର ପ୍ରତିଟି ପୁସ୍ତକ ଆମ ସମାଜର ରାଜରାସ୍ତାକୁ ପ୍ରଶସ୍ତ ଏବଂ ପରିଚ୍ଛନ୍ନ କରିଥାଏ ଏବଂ ଆମକୁ ମାର୍ଗଦର୍ଶନ କରିଥାଏ । ଗୋଟିଏ ପରେ ଗୋଟିଏ ପୁସ୍ତକ ସାରା ସଂସାରକୁ ଅହରହ ଆଲୋକିତ କରୁଥାନ୍ତି , ସଂସାରର ଭବିଷ୍ୟତର ମାର୍ଗ ପରିଚ୍ଛନ୍ନ କରୁଥାନ୍ତି । ଫଳରେ ବାମନର ତୃତୀୟ ପାଦ ଭଳି ଜ୍ଞାନର ଭଣ୍ଡାର ସର୍ବଦା ପ୍ରସାରିତ ହେଉଥାଏ । ଅନେକ ସମୟରେ ସେହି ରତ୍ନର ସ୍ପର୍ଶ ଏବଂ ସାନିଧ୍ୟରେ ଜୀବନ ଧନ୍ୟ ହୋଇଯାଏ । ଜଣେ ସାଧାରଣ ମଣିଷ ମୋହନ ଦାସ କରମ ଚାନ୍ଦ ଗାନ୍ଧି ଜନ୍ ରସକିନଙ୍କର ‘ଅନ୍ ଟୁ ଦିଶ୍ ଲାଷ୍ଟ୍‌’ ଶୀର୍ଷକ ପୁସ୍ତକ ଅଧ୍ୟୟନ କରିବା ପରେ ମହାତ୍ମାରେ ରୂପାନ୍ତରିତ ହୋଇଯାଆନ୍ତି । ମହାତ୍ମା ଗାନ୍ଧିଙ୍କ ଆତ୍ମଜୀବନୀର ଗୋଟିଏ ଅଧ୍ୟାୟ ହେଉଛି – ଗୋଟିଏ ବହିର କୁହୁକ। ହାରିଏଟ ବିଚର ଷ୍ଟୋଙ୍କ ରଚିତ ‘ଅଙ୍କଲ ଟମସ୍ କାବିନ’ ପୁସ୍ତକ ଆମେରିକାରୁ ଘୃଣିତ କ୍ରୀତଦାସପ୍ରଥା ବିଲୋପରେ ସହାୟକ ହୁଏ । ପାରଂପରିକ ଦୃଷ୍ଟିରୁ ଅନୁଶୀଳନ କଲେ ଶ୍ରୀମଦ୍ ଭଗବତ ଗୀତା ଗୋଟିଏ ପୁସ୍ତକ, ଯାହା ସଂପର୍କରେ ମହାତ୍ମା ଗାନ୍ଧି କହିଥିଲେ – ମୋ ଜୀବନରେ ଯେତେବେଳେ ସଙ୍କଟ ଆସେ,ଶ୍ରୀମଦ୍ ଭଗବତ ଗୀତାର ଯେକୌଣସି ପୃଷ୍ଠା ଖୋଲିଦେଲେ ତାହାର ସମାଧାନ ପାଇଯାଏ । ଏହା ହିଁ ହେଉଛି ପୁସ୍ତକର ଗୌରବମଣ୍ଡିତ ମହିମା।’ ଭଦ୍ରକର ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଭଦ୍ରାଣୀ” ଆନୁକୂଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସୁସାହିତ୍ୟିକ ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଆୟୋଜିତ ଲୋକାର୍ପଣ ସମାରୋହରେ ଅତିଥି ବକ୍ତାମାନେ ଏହା ବ୍ୟକ୍ତ କରିଛନ୍ତି । ଏହି ସମାରୋହରେ ସ୍ୱନାମଧନ୍ୟ ପ୍ରାଧ୍ୟାପକ ଡ଼.ବ୍ରଜମୋହନ ମିଶ୍ରଙ୍କ ‘ଓଠରୁ ନୁହେଁ’ ଏବଂ ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.ପ୍ରମୋଦ ନାୟକଙ୍କ’ଯୁଗକୁ ଯବକାଚ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଭଦ୍ରକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଯୋଗଦେଇ ଦୁଇଟି ପୁସ୍ତକ ସଂପର୍କରେ ବ୍ୟାଖ୍ୟା କରିଥିଲେ । ଚରଂପା ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଡ.ସୁକାନ୍ତି ମହାପାତ୍ର ‘ଓଠରୁ ନୁହେଁ’ ପୁସ୍ତକ ସଂପର୍କରେ କହିଥିଲେ ଯେ ଏହା ଏକ କାଳଜୟୀ ପୁସ୍ତକ ଏବଂ ସମାଜର ପ୍ରତିଟି ବର୍ଗର ବ୍ୟକ୍ତିଙ୍କୁ ମାର୍ଗଦର୍ଶନ କରୁଥିବ। ଡ.ପ୍ରମୋଦ ନାୟକଙ୍କ ‘ଯୁଗକୁ ଯବକାଚ’ ପୁସ୍ତକ ସଂପର୍କରେ ଡ.ବ୍ରଜମୋହନ ମିଶ୍ର ମତ ରଖିଥିଲେ ଯେ ଏହି ପୁସ୍ତକରେ ସନ୍ନିବେଶିତ ୬୫ଟି ପ୍ରବନ୍ଧ ଜୀବନର ବିଭିନ୍ନ ବର୍ଣ୍ଣାଳୀରେ ପରିପୂର୍ଣ୍ଣ । ଜୀବନକୁ ବୁଝିବାକୁ ହେଲେ ଏହି ପୁସ୍ତକ ସର୍ବାଧିକ ସହାୟକ ହେବ। ଉତ୍ସବର ଆରମ୍ଭରେ ଅତିଥିମାନେ ପ୍ରଭୁ ଜଗନ୍ନାଥ ଓ ମା ଭଦ୍ରକାଳୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଦେବେନ୍ଦ୍ର ପଣ୍ଡା ଓ ମୋନିକା ଦାସ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ। ଏବଂ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରାଦାନ କରିଥିଲେ କଳାକାର ବିଜୟ କୁମାର ବହଳୀ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରୋଟାରୀୟାନ ଅଭିଜିତ ନାୟକ । ସମାରୋହରେ ସହଯୋଗ କରିଥିଲେ ଇଂ ଅଭୟ କୁମାର ପଣ୍ଡା,ରବି ନାରାୟଣ ପଣ୍ଡା, ବ୍ରଜ କିଶୋର ନାୟକ ପ୍ରମୁଖ ସହଯୋଗ କରିଥିଲେ।

SOURCE: ODIA PUA