Source :- ODIA PUA
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିରର ୧୧ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଅବସରରେ ସୋମବାର ପ୍ରଥମ ଦିନରେ ଅଧିବାସ, ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ସକାଳେ କଳସ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇଥିଲେ । ବ୍ରତଧାରୀ ମହିଳାମାନେ ଶୋଭାଯାତ୍ରାରେ ମଙ୍ଗଳପୁର ଗ୍ରାମ ପରିକ୍ରମା କରି କନାଟିଆ ଗ୍ରାମସ୍ଥିତ ପୋଖରୀରେ କଳସ ବୁଡ଼ାଇ ଯଜ୍ଞସ୍ଥଳରେ ସ୍ଥାପନ କରିଥିଲେ । ପରେ ସୌରାଗ୍ନି ଦ୍ୱାରା ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନ କରାଯାଇ ଯଜ୍ଞ ଆରମ୍ଭ କରାଯାଇଥିଲା । ଅପରାହ୍ନରେ ସଂକୀର୍ତନ, ନାମଯଜ୍ଞ ସହିତ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ବୁଧବାର ସୂର୍ଯ୍ୟପୂଜା ପରେ ମନ୍ଦିର ମହାସ୍ନାନ କରାଯାଇ ଶିଖର କଳସ, ଚକ୍ର ଏବଂ ଧ୍ୱଜା ସ୍ଥାପନ କରାଯିବ । ଗୁରୁବାର ସୂର୍ଯ୍ୟପୂଜା ପରେ ମା’ଙ୍କୁ ରାଜରାଜେଶ୍ୱରୀ ବେଶରେ ସର୍ବସାଧାରଣ ଦର୍ଶନ ଓ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯଜ୍ଞର କର୍ତା ଭାବେ ଉମାକାନ୍ତ ପାଣିଗ୍ରାହୀ, ପତ୍ନୀ ନିର୍ମଳା ପାଣିଗ୍ରାହୀ, ପଣ୍ଡିତ ପ୍ରସନ୍ନ କର, ସୁଶାନ୍ତ କର, କ୍ଷୀରୋଦ ତ୍ରିପାଠୀ, ବିଜୟ ଦାସ, ସନ୍ତୋଷ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ତୁଲାଉଛନ୍ତି । ମା’ ମଙ୍ଗଳା ପୂଜା କମିଟିର ସଭାପତି ରମାକାନ୍ତ ମହାଳିକ, ସମ୍ପାଦକ ଖଗେଶ୍ୱର ମଳିକ, କୋଷାଧ୍ୟକ୍ଷ ଚିନ୍ତାମଣି ସାହୁ, ସଦସ୍ୟ ଦେବାଶିଷ ମହାଳିକ, ଅଭୟ ମଳିକ, ଆଲୋକ ପାଣିଗ୍ରାହୀ, ହେମନ୍ତ ସେଠୀ, ମାନସ ସେଠୀଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।
SOURCE: ODIA PUA