Source :- ODIA PUA
ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବନ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମାନ୍ୟବର ମନ୍ତ୍ରୀ ସମେତ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ବୈଠକରେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ସିଡିଓ ତଥା ଇଓ ଜିଲ୍ଲା ପରିଷଦ ଶୁଭେନ୍ଦୁ କୁମାର ସାମଲ ,ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ବୈତରଣୀ, ସାଳନ୍ଦୀ, ଆଖୁଆପଦା ନଦୀର ଜଳସ୍ତର, ପ୍ରଭାବିତ ଗ୍ରାମ, ବନ୍ଧ, ବ୍ରିଜ୍, କଲଭର୍ଟ, ଆଶ୍ରୟ ସ୍ଥଳୀ, ପାନୀୟ ଜଳ, ସ୍ୱାସ୍ଥ୍ୟ, ପଶୁ ଚିକିତ୍ସା, ଚାଷ କ୍ଷୟକ୍ଷତି, ରାସ୍ତା ଓ ବିଦ୍ୟୁତ୍ ପୁନଃସ୍ଥାପନ ଉପରେ ଆଲୋଚନା ହୋଇଛି। ଭବିଷ୍ୟତରେ ବନ୍ୟା ରୋକିବା ପାଇଁ ନଦୀ, ଡ୍ରେନର ସୁବ୍ୟବସ୍ଥା ଓ ଡିପିଆର ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ପୂର୍ବରୁ ମନ୍ତ୍ରୀ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣି ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ଆଶ୍ୱାସନା ଦେଇଛନ୍ତି। ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ,ସମସ୍ତ ବିଡ଼ିଓ ଏବଂ ତହସିଲଦାର ଉପସ୍ଥିତ ରହିଥିଲେ।
SOURCE: ODIA PUA




