Source :- ODIA PUA

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ସ୍ୱାମୀ ପରିତ୍ୟକ୍ତା ଅସହାୟ ରୋଗିଣା ମହିଳାଙ୍କ ସଂପର୍କରେ ଖବର ପାଇ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କର ପ୍ରତିନିଧି ଭାବେ ମାନଗୋବିନ୍ଦ କୁଅଁରଙ୍କୁ ପଠାଇ ଜିଲା ପ୍ରଶାସନର ଉପସ୍ଥିତିରେ ଯେଉଁ ସହାୟତାର ହାତ ବଢାଇଛନ୍ତି, ତାହା ଆଜି ଭଦ୍ରକର ବହୁ ବୁଦ୍ଧିଜୀବୀଙ୍କ ମହଲରେ ସ୍ୱାଗତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ପୌରପାଳିକା ଅଧୀନସ୍ଥ ଚରମ୍ପା କୁଶଳେଶ୍ୱର ଅଂଚଳର କୁନି ବିନ୍ଧାଣି ନିଜର ମଦ୍ୟପ ସ୍ୱାମୀ ଦ୍ୱାରା ମାଡ ଖାଇ ୪୫ ବର୍ଷ ବୟସରେ ଏକ ପ୍ରକାର ପଙ୍ଗୁ ଭାବେ ରୋଗାକ୍ରାନ୍ତ ହୋଇ ଅସହାୟ ଜୀବନ ବିତାଉଥିଲା। ପରିବାର କହିଲେ ତାର ଦୁଇଟି ଝିଅ ଓ ଗୋଟିଏ ଭିନ୍ନକ୍ଷମ ପୁଅ। ସମସ୍ତ ସରକାରୀ ସୁବିଧାରୁ ବଂଚିତ କୁନିର ନା ଥିଲା ଘର, ନା ରାସନ କାର୍ଡ। ଝିଅକୁ ବାହାଦେଲା ପରେ ଘରଟିଏ ନଥିବାରୁ ଝିଅ ଘର ନିକଟରେ ଜରିପାଲ ଟାଙ୍ଗି ଖୋଲା ଆକାଶ ତଳେ ଦିନ ବିତାଉଥିଲା। ଏହି ଘଟଣା ରାଜ୍ୟର ଖାଦ୍ୟ ଯୋଗାଣ ବିଭାଗ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିକଟରେ ପହଂଚିଥିଲା। ଫଳରେ ସେ ନିଜର ପ୍ରତିନିଧି ଭାବେ ଶ୍ରୀ କୁଅଁରଙ୍କୁ ଭଦ୍ରକ ପଠାଇଥିଲେ। ଶ୍ରୀ କୁଅଁର ଭଦ୍ରକରେ ପହଂଚି ଅସହାୟ କୁନିର ଦୟନୀୟ ଅବସ୍ଥା ଦେଖି ବିସ୍ମିତ ହୋଇଥିଲେ। ଏବଂ ଏ ସଂପର୍କରେ ଜିଲାପାଳ ଦିଲ୍ଲୀପ ରାଉତରାଏ, ଭଦ୍ରକ ଯୋଗାଣ ବିଭାଗ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅବଗତ କରାଇଥିଲେ। ଏହି ଖବର ଜିଲା ପ୍ରଶାସନ ଜାଣିବା ପରେ ରେଡ୍‌କ୍ରସ୍ ଫାଣ୍ଡିରୁ କୁନିକୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏପରିକି ରୋଗାକ୍ରାନ୍ତ କୁନିର ଚିକିତ୍ସା ନିମନ୍ତେ ତାର ଘର ନିକଟରେ ତାକୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଜିଲା ପ୍ରଶାସନର ଏହି ଟିମ୍‌ରେ ଥିବା ଜିଲା ଯୋଗାଣ ବିଭାଗ ଅଧିକାରୀ କୁନିକୁ ଏକ ବସ୍ତା ଚାଉଳ ଯୋଗାଇଦେବା ସହ ଖୁବଶୀଘ୍ର ତାକୁ ରାସନ୍ କାର୍ଡ ପ୍ରଦାନର ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏହି ଟିମ୍ କୁନିକୁ ଫଳ, ବିସ୍କୁଟ ଓ କମ୍ବଳ ମଧ୍ୟ ପ୍ରଦାନ କରିଛନ୍ତି। ଏବଂ ଜିଲାପାଳ ଫୋନ୍ ମାଧ୍ୟମରେ କୁନି ସହ କଥା ହୋଇ ତାକୁ ଆବାସ ଯୋଜନାରେ ଗୃହ, ମାଗଣା ପାନୀୟଜଳ ଓ ବିଦ୍ୟୁତ୍ ସୁବିଧା ଯୋଗାଇଦେବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି।

SOURCE: ODIA PUA