Source :- ODISHARE REPORTER NEWS

ଏକଦା ଭାରତୀୟ ଟିମର ପ୍ରମୁଖ ସଦସ୍ୟ ଥିଲେ ୟୁଜଭେନ୍ଦର ଚହଲ ଓରଫ ୟୁଜି ଚହଲ। ଦିନିକିଆ ଠାରୁ ଆରମ୍ଭ କରି ଟି-୨୦ ଅନ୍ତର୍ଜାତୀୟରେ ଚହଲ ପ୍ରଥମ ପସନ୍ଦର ଖେଳାଳି ଭାବେ ଗଣା ହେଉଥିଲେ। କୁଲଦୀପ ଯାଦବ ଓ ୟୁଜି ଚହଲ ଯୋଡ଼ି କୁଲଚା ଯୋଡ଼ି ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଟି-୨୦ରେ ପ୍ରଥମ ଭାରତୀୟ ଭାବେ ୬ ୱିକେଟ ନେବାର ରେକର୍ଡ ମଧ୍ୟ ଚହଲଙ୍କ ନାଁରେ ରହିଛି।

ହେଲେ ୨୦୨୩ ପରଠାରୁ କୌଣସି କାରଣ ନଥାଇ ଚହଲଙ୍କୁ ବିସିସିଆଇ ଆଉ ଭାରତୀୟ ଟିମରେ ଚୟନ କରୁନାହିଁ। ୨୦୧୯ ଦିନିକିଆ ବିଶ୍ୱକପରେ ଚହଲ ୧୨ଟି ୱିକେଟ ନେଇଥିଲେ। ୨୦୨୩ ଦିନିକିଆ ବିଶ୍ୱକପ ଭାରତରେ ଖେଳା ଯାଉଥିଲେ ହେଁ ଚହଲଙ୍କୁ ଆଦୌ ବିଚାରକୁ ନିଆ ଗଲା ନାହିଁ। ଅବଶ୍ୟ ୨୦୨୪ ଟି-୨୦ ବିଶ୍ୱକପ ବିଜୟୀ ସ୍କ୍ୱାଡରେ ଚହଲ ରହିଥିଲେ। କିନ୍ତୁ ତାଙ୍କୁ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିନାହିଁ। ଏହାପରେ ଖେଳାଯାଇଥିବା ଏକାଧିକ ଦ୍ୱିପାକ୍ଷିକ ସିରିଜରେ ମଧ୍ୟ ଚହଲଙ୍କୁ ଚୟନ କରାଯାଇ ନାହିଁ।

ନିକଟରେ ବିସିସିଆଇ ଚାମ୍ପିୟନ୍ସ ଟ୍ରଫି ପାଇଁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଥିଲା। ଏଥିରେ ୪ ଜଣ ସ୍ପିନର- ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରାଯାଇଛି। ହେଲେ ଗୌତମ ଗମ୍ଭୀର ଓ ଅଜିତ ଅଗରକରଙ୍କ ଯୋଡ଼ି ବିନା କୌଣସି କାରଣରେ ୟୁଜିଙ୍କ ଭଳି ଲେଗ ସ୍ପିନରଙ୍କୁ ଚୟନକୁ ଟିମରେ ଚୟନ କରିନାହାନ୍ତି।

<!–

  • 17 March 2022

–>

ଗମ୍ଭୀର ଓ ଅଗରକର

କ୍ରିକେଟ ପଣ୍ଡିତମାନେ କହୁଛନ୍ତି ଯେ ଚହଲଙ୍କ କ୍ୟାରିୟରକୁ ବିସିସିଆଇ ଓ ଟିମ ମ୍ୟାନେଜମେଣ୍ଟ ବିନା କାରଣରେ ଶେଷ କରି ଦେଇଛି। ଆଗକୁ ମଧ୍ୟ ତାଙ୍କୁ ଆଉ ଭାରତୀୟ ଟିମରେ ଚୟନ କରାଯିବ ନାହିଁ। ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ଚହଲଙ୍କ ପରିସଂଖ୍ୟନ ଅନ୍ୟ ବୋଲରଙ୍କ ତୁଳନାରେ ଯଥେଷ୍ଟ ଭଲ। ତଥାପି ୨ ବର୍ଷ ହେଲାଣି ତାଙ୍କୁ ଦିନିକିଆରେ ବିସିସିଆଇ ଅଣଦେଖା କରି ଚାଲିଛି। ୨୦୨୩ ଜାନୁଆରୀରେ ଚହଲ ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ କ୍ରିକେଟ ଭାରତ ପାଇଁ ଖେଳିଥିଲେ। ତାଙ୍କ ପ୍ରଦର୍ଶନ ମଧ୍ୟ ଠିକଠାକ ଥିଲା। ସେ ନିୟମିତ ଭାବେ ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ତଥାପି ତାଙ୍କୁ ଭାରତୀୟ ଟିମରୁ କାହିଁକି ବାଦ ଦିଆଯାଇଛି, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

Chahalୟୁଜି ଚହଲ

ଭାରତ ପାଇଁ ୭୨ଟି ଦିନିକିଆ ଖେଳିଥିବା ଚହଲ ୧୨୧ଟି ୱିକେଟ ନେଇଛନ୍ତି। ହେଲେ ୨୦୨୩ ଅଗଷ୍ଟରୁ ସେ ଭାରତ ପାଇଁ କ୍ରିକେଟର କୌଣସି ଫର୍ମାଟରେ ନଜର ଆସି ନାହାନ୍ତି। ୨ ବର୍ଷ ହେଲାଣି ବିସିସିଆଇ ସତେ ଯେମିତି ଚହଲଙ୍କ ଫାଇଲକୁ ବନ୍ଦ କରି ଦେଇଛି।

ଚହଲଙ୍କ ଘରୋଇ କ୍ରିକେଟ କ୍ୟାରିୟର

ଚହଲଙ୍କୁ ପ୍ରଥମେ ୨୦୧୧ରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନେଇଥିଲା। ୩ଟି ସିଜିନରେ ସେ ମୁମ୍ବାଇ ସହ ରହିଥିଲେ ହେଁ କୋଲକାତା ବିପକ୍ଷରେ କେବଳ ଗୋଟିଏ ମ୍ୟାଚ୍‌ ଖେଳିଥିଲେ। ୨୦୧୧ ଏପ୍ରିଲ ୨୪ରେ ଆଇପିଏଲରେ ଡେବ୍ୟୁ କରିଥିଲେ। ତେବେ ୨୦୧୧ ଚାମ୍ପିୟନ୍ସ ଲିଗ ଟି-୨୦ର ସମସ୍ତ ମ୍ୟାଚ୍‌ରେ ଚହଲଙ୍କୁ ଦେଖିବାକୁ ମିଳିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ଫାଇନାଲରେ ଚହଲ ୩ ଓଭର ବୋଲିଂ କରି ୯ ରନ ଦେବା ସହ ୨ଟି ୱିକେଟ ନେଇଥିଲେ। ମୁମ୍ବାଇ ମଧ୍ୟ ଚାମ୍ପିୟନ୍ସ ଲିଗ ଟି-୨୦ ଜିତି ପାରିଥିଲା।

୨୦୧୪ ଆଇପିଏଲ ଖେଳାଳି ଅକ୍ସନରେ ଚହଲଙ୍କୁ ଆରସିବି ୧୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ କିଣିଥିଲା। ଚହଲ ଦମଦାର ପ୍ରଦର୍ଶନ କରି ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୨୦୧୮ ଆଇପିଏଲ ଅକ୍ସନରେ ଆରିସିବି ତାଙ୍କୁ ପୁଣି ଅକ୍ସନରେ କିଣିଥିଲା। କିନ୍ତୁ ୨୦୨୨ରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ତାଙ୍କୁ ନିଜ ସହ ସାମିଲ କରିଥିଲା।

Yuziସଚିନଙ୍କ ସହ ଚହଲ

୨୦୨୨ ଏପ୍ରିଲ ୧୮ରେ ଚହଲ ପ୍ରଥମ ଖେଳାଳି ଭାବେ ଆଇପିଏଲରେ ହ୍ୟାଟ୍ରିକ ସହ ୫ ୱିକେଟ ନେଇ ନିଜର ଜଲୱା ଦେଖାଇଥିଲେ। ୨୦୨୩ରେ ରାଜସ୍ଥାନ ପାଇଁ ସେ ହାଇଦ୍ରାବାଦ ବିପକ୍ଷରେ ଖେଳୁଥିବା ବେଳେ ପ୍ରଥମ ଭାରତୀୟ ଭାବେ ଟି-୨୦ କ୍ରିକେଟରେ ୩୦୦ ୱିକେଟ ନେବାର ରେକର୍ଡର ଅଧିକାର ହୋଇଥିଲେ। ୨୦୨୩ରେ ଚହଲଙ୍କୁ କେଣ୍ଟ କାଉଣ୍ଟୀ କ୍ରିକେଟ କ୍ଲବ ଶେଷ ୩ ମ୍ୟାଚ୍‌ ପାଇଁ ନିଜ ସହ ସାମିଲ କରିଥିଲା। ସେଠାରେ ଚହଲ ଦମଦାର ପ୍ରଦର୍ଶନ କରିଥିଲେ। କିନ୍ତୁ ବିସିସିଆଇ ତାଙ୍କ ଏସିଆ କପ ଓ ବିଶ୍ୱକପ ଦଳ ପାଇଁ ଚୟନ କରି ନଥିଲା। ୨୦୨୪ରେ ଚହଲ Northamptonshire County Cricket Club ପାଇଁ ଡେବ୍ୟୁ କରି ୧୪ ରନରେ ୫ ୱିକେଟ ନେଇଥିଲେ।

Chahalରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ଚହଲ

ଚହଲଙ୍କ ଅନ୍ତର୍ଜାତୀୟ କ୍ୟାରିୟର

୨୦୧୬ରେ ଭାରତ ଜିମ୍ବାୱେ ଗସ୍ତ କରିଥିବା ବେଳେ ୧୪ ଜଣିଆ ସ୍କ୍ୱାଡରେ ଚହଲଙ୍କ ନାଁ ପ୍ରଥମଥର ପାଇଁ ସାମିଲ କରାଯାଇଥିଲା। ୨୦୧୬ ଜୁନ ୧୧ରେ ସେ ଜିମ୍ବାୱେ ବିପକ୍ଷ ହରାରେ ଦିନିକିଆରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ରିଚମଣ୍ଡ ମୁତୁମ୍ବାମି ତାଙ୍କର ପ୍ରଥମ ଦିନିକିଆ ୱିକେଟ ରହିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଚହଲ ୨୬ ରନରେ ୩ ୱିକେଟ ଦଖଲ କରିଥିବା ସହ ଭାରତ ୮ ୱିକେଟରେ ମ୍ୟାଚ୍‌ ଜିତିଥିଲା। ଏହି ମ୍ୟାଚ୍‌ରେ ଚହଲ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ଜିତିଥିଲେ।

୨୦୧୬ ଜୁନ ୧୮ରେ ଚହଲ ଭାରତ ପାଇଁ ଜିମ୍ବାୱେ ବିପକ୍ଷରେ ଟି-୨୦ରେ ଡେବ୍ୟୁ କରିଥିଲେ। ମାଲକୋଲମ ୱାଲ୍ଲେର ତାଙ୍କର ପ୍ରଥମ ଟି-୨୦ ୱିକେଟ। ୨୦୧୭ ଫେବୃଆରୀ ୧ରେ ଚହଲ ପ୍ରଥମ ଭାରତୀୟ ବୋଲର ଭାବେ ଟି-୨୦ରେ ୫ ୱିକେଟ ନେଇଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୨୫ ରନ ଦେଇ ୬ଟି ୱିକେଟ ପାଇଥିଲେ। ୟୁଜି ଚହଲ ବିଶ୍ୱର ପ୍ରଥମ ଲେଗ ସ୍ପିନର ଭାବେ ଟି-୨୦ରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଛନ୍ତି।

୨୦୧୭ରେ ଚହଲ ୨୩ଟି ୱିକେଟ ନେଇଥିଲେ। ସେହିବର୍ଷ ତାଙ୍କ ଠାରୁ ଆଉ କେହି ବି ଅଧିକ ୱିକେଟ ନେଇ ନଥିଲେ। ଦିନିକିଆରେ ମଧ୍ୟ ଚହଲ ଦୁଇ ଥର ୫ରୁ ଅଧିକ ୱିକେଟ ନେଇଛନ୍ତି। ନିଜର ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ୨୦୧୯ ଦିନିକିଆ ବିଶ୍ୱକପରେ ସାମିଲ କରାଯାଇଥିଲା। ସେ ବିଶ୍ୱକପରେ ୧୨ଟି ୱିକେଟ ବି ନେଇଥିଲେ। ୨୦୧୯ ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ସେ ତୃତୀୟ ଭାରତୀୟ ଭାବେ କ୍ରିକେଟର ଏହି ଫର୍ମାଟରେ ୫୦ଟି ୱିକେଟ ନେବାର ରେକର୍ଡ କରିଥିଲେ।

Yuziୟୁଜି ଚହଲ

୨୦୨୦ ଡିସେମ୍ବର ୪ରେ ସବୁଠାରୁ ବଡ଼ ଘଟଣା ଘଟିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ଚୂଡ଼ାନ୍ତ ଏକାଦଶରେ ଚହଲ ନଥିଲେ। କିନ୍ତୁ ମ୍ୟାଚ୍‌ ବେଳେ ରବୀନ୍ଦ୍ର ଜାଡେଜାଙ୍କ ମୁଣ୍ଡରେ ବଲ ବାଜିବାରୁ ତାଙ୍କ ବଦଳ ଖେଳାଳି ଭାବେ ଚହଲ ବୋଲିଂ କରିବାକୁ ଆସିଥିଲେ। ଉକ୍ତ ମ୍ୟାଚ୍‌ରେ ଚହଲ ୪ ଓଭରରେ ୨୫ ରନ ୩ ୱିକେଟ ନେଇଥିଲେ। ଭାରତ ମଧ୍ୟ ୧୧ ରନରେ ମ୍ୟାଚ୍‌କୁ ଜିତି ନେଇଥିଲା। ଚହଲ ଅନ୍ତର୍ଜାତୀୟ କ୍ରିକେଟର ପ୍ରଥମ ବଦଳ ଖେଳାଳି ଭାବେ ମ୍ୟାନ ଅଫ ଦି ମ୍ୟାଚ୍‌ ପାଇବାର ରେକର୍ଡ ହାସଲ କରିଥିଲେ।

ଚହଲ କ୍ରମାଗତ ଉଭୟ ଦିନିକିଆ ଓ ଟି-୨୦ରେ ଭଲ ପ୍ରଦର୍ଶନ କରି ଚାଲିଥିଲେ। କିନ୍ତୁ ୨୦୨୧ ଟି-୨୦ ବିଶ୍ୱକପ ସ୍କ୍ୱାଡ ଘୋଷଣା ହେବା ବେଳେ ବିସିସିଆଇ ଚହଲଙ୍କ ବଦଳରେ ରାହୁଲ ଚହର ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ନାଁ ଉପରେ ମୋହର ମାରିଥିଲା। ଏହାକୁ ବେଶ ବିବାଦ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

୨୦୨୩ ଜାନୁଆରୀ ମାସରେ ଚହଲଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଓ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସ୍କ୍ୱାଡରେ ରଖାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଚହଲଙ୍କୁ ସୁଯୋଗ ମିଳିଥିଲା। ଏହି ମ୍ୟାଚ୍‌ରେ ସେ ଦୁଇଟି ୱିକେଟ ମଧ୍ୟ ନେଇଥିଲେ।

Yuziଟି-୨୦ ବିଶ୍ୱକପ ଜିତିବା ପରେ ଚହଲ

ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷ ୫ ଟିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଚହଲ ଖେଳି ନଥିଲେ। ଦ୍ୱିତୀୟ ମ୍ୟାଚରେ ସେ ୩ ଓଭରରେ ୧୯ ରନ ଦେଇ ୨ଟି ୱିକେଟ ନେଇଥିଲେ ହେଁ ତୃତୀୟ ମ୍ୟାଚ୍‌ରେ ୪ ଓଭରରେ ୩୩ ରନ ଦେଇ କୌଣସି ୱିକେଟ ପାଇ ନଥିଲେ। ୪ର୍ଥ ମ୍ୟାଚ୍‌ରେ ସେ ୪ ଓଭରରେ ୩୬ ରନ ଦେଇ ଗୋଟିଏ ଓ ୫ମ ମ୍ୟାଚ୍‌ରେ ୪ ଓଭରରେ ୫୧ ରନ ଖର୍ଚ୍ଚ କରିଥିଲେ। ୱେଷ୍ଟଇଣ୍ଡିଜ ଟୁର ଭଲ ନ ରହିବାରୁ ଚହଲଙ୍କୁ ହଠାତ୍‌ ୨୦୨୩ ଦିନିକିଆ ବିଶ୍ୱକପ ସ୍କ୍ୱାଡରୁ ବାଦ ଦିଆଯାଇଥିଲା। ସେବେଠାରୁ ଆଉ ଚହଲଙ୍କୁ ଭାରତ ପାଇଁ ଖେଳିବାର ଦେଖିବାକୁ ମିଳିନାହିଁ।

ଦିନିକିଆରେ ଚହଲ ୨ଥର ୫ କିମ୍ବା ତା’ ଠାରୁ ଅଧିକ ଓ ୫ଥର ୪ଟି ଲେଖାଏ ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ଇକୋନୋମି ୫.୨୬ ରହିଥିବା ବେଳେ ଷ୍ଟ୍ରାଇକ ରେଟ ୩୦.୯ ରହିଛି। ସେହିପରି ଟି-୨୦ରେ ଚହଲ ୮୦ଟି ମ୍ୟାଚ୍‌ରେ ୯୬ଟି ୱିକେଟ ନେଇଛନ୍ତି। ସେହିପରି ୨୪୦୯ ରନ ଦେଇଛନ୍ତି। ସେ ଗୋଟିଏ ଥର ୫ କିମ୍ବା ତା’ଠାରୁ ଅଧିକ ଓ ୨ଥର ୪ଟି ଲେଖାଏ ୱିକେଟ ପାଇଛନ୍ତି। ଟି-୨୦ରେ ଚହଲଙ୍କ ବୋଲିଂ ଇକୋନୋମି ୮.୧୯ ଓ ଷ୍ଟ୍ରାଇକ ରେଟ ୧୮.୨ ରହିଛି।

Yuziୟୁଜି ଚହଲ

ଉଭୟ ଦିନିକିଆ ଓ ଟି-୨୦ରେ ଚହଲ ଠିକଠାକ ପ୍ରଦର୍ଶନ କରିଥିଲେ ହେଁ ଚହଲଙ୍କୁ କ୍ରମାଗତ ଭାବେ ବିସିସିଆଇ ଅଣଦେଖା କରିବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

<!–

  • Share this article on

–>


telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।



Related Stories

SOURCE :- ODISHA REPORTER