Source :- ODIA PUA
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚାରୋଟି ଚୋରା କୋଇଲା ବୋଝେଇ ଗାଡି ଜବତ ହେବା ନେଇ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ତଥା ସିଟି ଡିଏସ୍ପି ସମ୍ବିତ କୁମାର ମାଝୀ ସହରାଂଚଳ ଥାନାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ସଂପର୍କରେ ମିଳିଥିବା ତଥ୍ୟ ମୂଳେ ଶ୍ରୀ ମାଝୀ କୌଣସି ସୂତ୍ରରୁ ଖବର ପାଇ ଶ୍ରମିକ ବେଶରେ ଚରମ୍ପାସ୍ଥିତ ଧାମରା ରେଳ ବ୍ରିଜ୍ ପାଶ୍ୱର୍କୁ ଯାଇ ଚୋରା କୋଇଲା ବୋଝେଇ ଦୁଇଟି ଗାଡିକୁ ଦେଖିଥିଲେ। ଏବଂ ସହରାଂଚଳ ଥାନାକୁ ଖବର ଦେଇଥିଲେ। ତେବେ ଉଭୟ ଗାଡିର ଚାଳକ ସେମାନଙ୍କୁ ପୁଲିସ୍ ବୋଲି ସନ୍ଦେହ କରି ଫେରାର ହୋଇଯାଇଥିଲେ। ଭଦ୍ରକ ସହରାଂଚଳ ଥାନାର ଏସଆଇ ଆଶିଷ ସେନାପତିଙ୍କ ଅଭିଯୋଗ ମୂଳେ ସହରାଂଚଳ ଥାନା କେଶ୍ ନଂ ୨୩୬ ଟିଡିଟି ତା ୨୦.୦୪.୨୫, ଦଫା ୩୦୩(୩)/୩୧୭(୨)/୬୧(୨) ବିଏନ୍ଏସ ମୂଳେ ମାମଲା ରୁଜୁ ହୋଇଛି। ସେହିଭଳି ଅନ୍ୟ ୨ଟି ପିକ୍ଅପ୍ ଭ୍ୟାନ୍ ଓ ଟ୍ରକ୍ରେ ଚୋରା କୋଇଲା ଯାଉଥିବାର ଖବର ପାଇ ଶ୍ରୀ ମାଝୀ ପୁରୁଣାବଜାର ଥାନାକୁ ଖବର ଦେବା ପରେ ହଳଦିଡିହ ବାଇପାସ ନିକଟରୁ ଉଭୟ ଗାଡିକୁ ଜବତ କରାଯାଇ ଥାନା କେଶ୍ ନଂ ୯୫/୨୫ ମୂଳେ ମାମଲା ରୁଜୁ ହୋଇଛି। ଶ୍ରୀ ମାଝୀଙ୍କ ସୂଚନା ମୂଳେ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତଙ୍କ ନିର୍ଦ୍ଦେଶ କ୍ରମେ ସେ ଏସ୍ଆଇ ଆଶିଷ ସେନାପତି, କନେଷ୍ଟବଳ ଉର୍ମିଳା ନାୟକ, ଓଏପିଏଫ୍ ଏସ.ମାରାଣ୍ଡି ଘଟଣାସ୍ଥଳକୁ ଯାଇ ଏପି-୨୧ଟିଇ-୩୨୯୯ ନମ୍ବରର ଏକ ଟ୍ରକ୍ ଓ ଓଡି-୦୫ଏସି-୭୭୪୯ ର ପିକ୍ଅପ୍ ଭ୍ୟାନ୍କୁ ଜବତ କରିଥିଲେ। ଗୋଟିଏ ପିକଅପ୍ ଭ୍ୟାନ୍ରେ ୧.୫ ଟନ୍ ଚୋରା କୋଇଲା ରହିଥିବାବେଳେ ଟ୍ରକ୍ଟିରେ ୨୦ ଟନ୍ କୋଇଲା ରହିଥିଲା। ଅନୁରୂପ ଅନ୍ୟଟିରେ ପିକ୍ଅପ୍ରେ ୩ ଟନ୍ ଥିବାବେଳେ ଟ୍ରକ୍ରେ ୨ ଟନ୍ ରହିଥିଲା। ତେବେ ସମସ୍ତ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିଲେ। ଏହି ଗାଡିଗୁଡିକ ରାହାଞ୍ଜରୁ ଯାଜପୁର ଓ କଟକ ଭୁବନେଶ୍ୱରକୁ ଯାଉଥିଲା।
SOURCE: ODIA PUA