Source :- ODIA PUA

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଏକ ଉପଭୋକ୍ତା ଜନିତ ମାମଲାର ବିଚାର କରି ତାଙ୍କ ରାୟରେ ଇଫ୍‌କୋ ଟୋକିଓ ବୀମା(ଇନ୍ସୁରାନ୍ସ)କମ୍ପାନୀକୁ ଆର୍ଥିକ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ କଲମଛୁଆ ଗାଁର ମୂଳବାସିନ୍ଦା ତଥା ଏବେ ଭଦ୍ରକ ଗ୍ରାମାଚଂଳ ଥାନା ଅଧିନ ଗେଲଟୁଆରେ ରହୁଥିବା ଅନାଦି ଚରଣ ଦାସ ଗତ ୩୦.୬.୨୩ତାରିଖରେ ଓଡି୦୧ଏସ୍‌-୮୮୬୨ନମ୍ବର ର ଏକ ବୋଲେରୋ କିଣି ଇଫକୋ ଟୋକିଓ ବୀମା କମ୍ପାନୀରୁ ବୀମା ବା ଇନ୍ସୁରାନ୍ସ କରିଥିଲେ । ଯାହାର ଅବଧି ୩୦.୬.୨୩ ରୁ ୨୯.୬.୨୪ତାରିଖ ଥିଲା । ମାତ୍ର ଉକ୍ତ ବୋଲେରୋଟି ଗତ ୧୭.୮.୨୩ତାରିଖରେ ଦେଓଗାଁ ଠାରେ ଏକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା । ଉକ୍ତ ଗାଡିକୁ ମରାମତି କରିବାରେ ଅନାଦି ୨ଲକ୍ଷ ୨ହଜାର ଟଙ୍କା ଖର୍ଚ୍ଚ କରି ସବୁ କାଗଜପତ୍ର ବୀମା କମ୍ପାନୀରେ ପୈଠ କରିଥିଲେ । ତେବେ ଉକ୍ତ ବୀମା କମ୍ପାନୀ ତାଙ୍କୁ ବୀମା ରାଶି ବାବଦକୁ କୌଣସି ଅର୍ଥ ପ୍ରଦାନ କରିନଥିଲେ । ପରେ ସେ ବାଧ୍ୟ ହୋଇ ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଆଶ୍ରୟ ନେଇ ଏକ ମାମଲା(ନଂ-ସିସି ନମ୍ବର-୮୬/୨୦୨୪)ରୁଜୁ କରିଥିଲେ । ଏହି ମାମଲାରେ ଇଫ୍‌କୋ ଟୋକିଓ କମ୍ପାନୀ ଭଦ୍ରକ, ଭୁବନେଶ୍ୱର ଶାଖା ପରିଚାଳକଙ୍କ ସହ ନୂଆଦିଲ୍ଲୀ ପରିଚାଳକଙ୍କୁ ପକ୍ଷଭୁକ୍ତ କରିଥିଲେ । ନୋଟିସ ପାଇ ହାଜର ହୋଇ ବୀମା କମ୍ପାନୀ ତାଙ୍କ ଜବାବରେ ଉକ୍ତ ଦୁର୍ଘଟଣା ସମୟରେ ଅଭିଯୋଗକାରୀ କହୁଥିବା ଭୀମସେନ ପାତ୍ର ଗାଡି ଚଳାଉ ନ ଥିଲେ ତେଣୁ ଉକ୍ତ କ୍ଳେମ ବିଚାର ଯୋଗ୍ୟ ନୁହେଁ ବୋଲି ଜବାବ ରଖିଥିଲେ । ତେବେ ଆୟୋଗ ଉଭୟ ପକ୍ଷ ର ଯୁକ୍ତି, ଦଲିଲ ଓ କାଗଜାତ ପଢି,ଶୁଣି ବୁଝି, ଖାଉଟି ଅଦାଲତ ଉପଲବ୍ଧି କରିଥିଲେ କି ଭୀମସେନ ପାତ୍ର ଓ ଶଶୀକାନ୍ତ ପାତ୍ର ଜଣେ ହିଁ ଲୋକ ଓ ଦୁର୍ଘଟଣା ସମୟରେ ତାଙ୍କ ବୀମା ପଲିସୀ ବୈଧ ଥିବାରୁ, ଇନ୍ସୁରାନ୍ସ କମ୍ପାନୀ କ୍ଳେମ ପ୍ରଦାନ ନ କରି ସେବା ପ୍ରଦାନ ରେ ତ୍ରୁଟି କରିଥିବା ଦର୍ଶାଇ ଉପଭୋକ୍ତାଙ୍କୁ ବୀମା କମ୍ପାନୀ ୨ଲକ୍ଷ ୨ହଜାର ଟଙ୍କା, କମ୍ପେନସେସନ ବା କ୍ଷତିପୂରଣ ବାବଦ କୁ ୧୦ହଜାର ଟଙ୍କା ଓ ମକଦ୍ଦମା ଖର୍ଚ୍ଚ ବାବଦ ୫ହଜାର ଟଙ୍କା ରାୟ ପ୍ରକାଶ ର ୩୦ ଦିନ ମଧ୍ୟ ରେ ପ୍ରଦାନ କରିବାକୁ ଆଦେଶ କରିଛନ୍ତି । ଏହି ସମୟ ଭିତରେ ଇନ୍ସୁରାନ୍ସ କମ୍ପାନୀ ଆଦେଶ ମୁତାବକ ଅର୍ଥ ପ୍ରଦାନ ନ କଲେ, ଉକ୍ତ ଅର୍ଥ କୁ ଆଦେଶ ପ୍ରକାଶ ଦିନ ଠାରୁ ଦେବା ପର୍ଯ୍ୟନ୍ତ ୬% ସୁଧ ସହ ପ୍ରଦାନ କରିବେ ବୋଲି ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ର ସଭାପତ ଶିବ ପ୍ରସାଦ ମହାନ୍ତି ଓ ସଭ୍ୟା ମଧୁସ୍ମିତା ସ୍ୱାଇଁ ଆଦେଶ ପ୍ରଦାନ କରିଛନ୍ତି ।

SOURCE: ODIA PUA