Source :- ODISHARE REPORTER NEWS
ମଙ୍ଗଳବାର(ଏପ୍ରିଲ ୨୨) ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ କଶ୍ମୀରର ପହଲଗାମର ପର୍ଯ୍ୟଟନ ସ୍ଥଳ ବୈସାରନ ଭ୍ୟାଲିରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ଘୋଡ଼ା ବାଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୂର୍ବରୁ ସେମାନେ ଆର୍ମି, ପୁଲିସ୍, ସ୍ଥାନୀୟ ଅଧିକାରୀ, କଶ୍ମିରୀ ପଣ୍ଡିତ ଓ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରୁଥିଲେ। କଶ୍ମୀର ତା’ର ଆତିଥ୍ୟ ପାଇଁ ସବୁ ବେଳେ ପରିଚିତ ଥିବାରୁ ଆତଙ୍କବାଦୀମାନେ କେବେ ହେଲେ ପର୍ଯ୍ୟଟକଙ୍କୁ ଆକ୍ରମଣ କରୁ ନଥିଲେ। କିନ୍ତୁ ଏପ୍ରିଲ ୨୨ ନରସଂହାର ଭାରତର ଭସ୍ୱର୍ଗ କଶ୍ମୀରରେ ଆତଙ୍କବାଦର ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏବେ ସାରା ଦେଶରେ ପ୍ରତିଶୋଧର ନିଆଁ ଜଳୁଛି।
କଶ୍ମୀରର ବିଦ୍ରୋହ ଓ ଆତଙ୍କବାଦକୁ ବୁଝିବାକୁ ହେଲେ, ପ୍ରଥମେ ଏହାର ଇତିହାସ ଜାଣିବାକୁ ପଡ଼ିବ। ସ୍ୱାଧୀନତା ପର ଠାରୁ ଆରମ୍ଭ କରି ୧୯୯୦ ମସିହାର ନରସଂହାର କଥା କଶ୍ମୀରର ଆତଙ୍କବାଦର ଭୟାବହତାକୁ ଦର୍ଶାଉଛି।
<!–
- 17 March 2022
–>
ଏହି ଭାଗରେ ଆମେ ୧୯୪୭ ମସିହାରୁ ଫେବୃଆରୀ ୧୯୮୪ ମସିହା ଯାଏ କଶ୍ମୀର ସମ୍ପର୍କରେ କହିବୁ। କେମିତି ବର୍ମିଂହାମରେ ଗୋଟିଏ ଭୟଙ୍କର ହତ୍ୟା କଶ୍ମୀରରେ ରକ୍ତର ଯୁଗ ସହ ବିକ୍ଷୋଭ ଆରମ୍ଭ କରିଥିଲା, ତାହା ଏଠାରେ ମୂଳପ୍ରସଙ୍ଗ।
ସୋପର ଓ ବର୍ମିଂହାମର ନରହନ୍ତା
୧୯୬୬ ମସିହା ସେପ୍ଟେମ୍ବର ମାସରେ କଶ୍ମୀରର ସେଓ ସହର ସୋପର ଗୁଳି ମାଡ଼ରେ ଫାଟି ପଡ଼ିଥିଲା। ଗୁଳି ମାଡ଼ ସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ସିଆଇଡି ଇନସପେକ୍ଟର ଅମର ଚାନ୍ଦ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଥିଲେ। ତାଙ୍କ ମୁଣ୍ଡ ଓ ଛାତିରେ ବାଜିଥିଲା ଗୁଳି। ତଦନ୍ତ ପାକିସ୍ତାନ ଭିତ୍ତିକ ଜାତୀୟ ମୁକ୍ତି ବାହିନୀ(ଏନଏଲଏଫ) ସମ୍ପାଦକ ୨୮ ବର୍ଷୀୟ ମକବୁଲ ଭଟ ଉପରେ ଫୋକସ କରିଥିଲା। ଏନଏଲଏଫ ହେଉଛି ଗୋଟିଏ ବିଦ୍ରୋହୀ ସଂଗଠନ, ଯିଏ କଶ୍ମୀର ସ୍ୱାଧୀନତା ପାଇଁ ଉଦ୍ୟମ କରୁଥିଲା। ତଦନ୍ତ ବେଳେ ମକବୁଲ ଭଟ ଗିରଫ ହୋଇଥିଲା। ସେ ନିଜର ଅପରାଧ ସ୍ୱୀକାର କରିଥିଲେ ହେଁ ଅମର ଚାନ୍ଦଙ୍କୁ ଧୋକାବାଜ ବୋଲି କହିଥିଲା।

୧୯୬୮ ମସିହାରେ ଜଜ ନୀଳକଣ୍ଠ ଗଞ୍ଜୋ ସମସ୍ତ ପ୍ରମାଣ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ମକବୁଲ ଭଟକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ।
ଇସଲାମକି ସ୍ୱପ୍ନ
୧୯୬୬ ଯାଏ କଶ୍ମୀର ପାଇଁ ପାକିସ୍ତାନ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ବିଭିନ୍ନ ଉପାୟା ଆପଣାଇ ଥିଲା। ୧୯୪୭ରେ ପାକିସ୍ତାନ ଅପରେସନ ଗୁଲମାର୍ଗ ଜରିଆରେ କଶ୍ମୀରରୁ ଦଖଲ କରିବାକୁ ଚାହିଁଥିଲା। ଆର୍ମି ଅଫିସରମାନେ ସାଦା ପୋଷାକରେ ଆଦିବାସୀ ଲସ୍କରଙ୍କ ସହାୟତାରେ ପାକିସ୍ତାନ ଏପରି ଉଦ୍ୟମ କରିଥିଲା। ଏହି ଭୟଙ୍କର ଯୋଜନାର ସୂତ୍ର ଧର ଥିଲେ ଜେନେରାଲ ତାରିକ। ବ୍ରିଗେଡିୟର ଆକବରଙ୍କ ଉପ ନାମ ହେଉଛି ଜେନେରାଲ ତାରିକ। କିନ୍ତୁ ଏହା ଫେଲ ମାରିଥିଲା।
୧୯୬୫ ଗ୍ରୀଷ୍ମ ସମୟରେ ପାକିସ୍ତାନ ରଜାକର ଓ ଆର୍ମି ଯବାନଙ୍କୁ ନିୟମିତ ଗରିଲା ତାଲିମ ଦେଇଥିଲା। ଏହାପରେ ୯ରୁ ୧୦ଟି ଗ୍ରୁପ କରି କଶ୍ମୀରକୁ ପଠାଇଥିଲା। ଗ୍ରୀନ ଟି-ଶାର୍ଟ ପିନ୍ଧିଥିବା ଏହି ମୁଜାହିଦ୍ଦିନଙ୍କ କାମ ଥିଲା ଶ୍ରୀନଗରରେ ପହଞ୍ଚିବା ପରେ ପ୍ରମୁଖ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରିବା। ଅଗଷ୍ଟ ୮ ଓ ୯ରେ ସେମାନେ ଗୋଟିଏ ସାଧାରଣ ବିକ୍ଷୋଭରେ ସାମିଲ ହେବାକୁ ନିର୍ଦ୍ଦେଶ ପାଇଥିଲେ।
ଏପରି ଯୋଜନାର ମୁଖ୍ୟ ଥିଲେ ୧୨ ଇନଫାଣ୍ଟ୍ରୀ ଡିଭିଜନର ଜିଓସି ମେଜର ଜେନେରାଲ ଅଖତର ହୁସେନ ମଲିକ। ସେ କଶ୍ମୀରକୁ ଭାରତ ଠାରୁ ଅଲଗା କରିବା ପାଇଁ ଜେନେରାଲ ଆୟୁବ ଖାନଙ୍କ ଠାରୁ ଅପରେସନ ପାଇଁ ଲଫିକର ଅଲୀ ଭୁଟ୍ଟୋଙ୍କ ଜରିଆରେ ଅନୁମତି ଆଣିଥିଲେ। କିନ୍ତୁ ଅପରେସନ ଗୁଲମାର୍ଗ ଭଳି ୧୯୬୫ର ଯୋଜନା ମଧ୍ୟ ଫେଲ ମାରିଥିଲା।

କିନ୍ତୁ କଶ୍ମୀରରେ ଅନୁପ୍ରବେଶ ବଢ଼ି ଯାଇଥିଲା। ସୁରକ୍ଷାକର୍ମୀଙ୍କୁ ବହୁତ ପରିଶ୍ରମ କରି ମୁଜାହିଦ୍ଦିନଙ୍କୁ ଧରିବାକୁ ଲାଗିଥିଲେ। କଶ୍ମୀରରେ ହିଂସା ଦେଖା ଯାଇଥିଲା। ସାଧାରଣ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ।
ଶାନ୍ତି ଭିତରେ ଅଶାନ୍ତିର ମଞ୍ଜି ବୁଣା
କଶ୍ମୀର ଦଖଲ ଯୋଜନାରେ ପାକିସ୍ତାନ ବିଫଳ ହେବା ପରେ ଉପତ୍ୟକା ପ୍ରାୟତଃ ଶାନ୍ତ ରହିଥିଲା। କେବଳ କିଛି ଧାର୍ମିକ ହିଂସା ଦେଖାଯାଉଥିଲା। ୧୯୬୩ ମସିହା ଡିସେମ୍ବର ୨୭ରେ ଶ୍ରୀନଗରର ହଜରତବାଲାରେ ଥିବା ମସଜିଦରୁ ପ୍ରଫେଟ ମହମ୍ମଦଙ୍କ ଦାଢ଼ିର କିଛି ଚୁଟି ମୋଇ-ଇ-ମୁକ୍କାଦସ ହଠାତ୍ ଗାଏବ ହୋଇଯାଇଥିଲା। ଏହାକୁ ନେଇ କଶ୍ମୀରରେ ହିଂସାତ୍ମକ ବିକ୍ଷୋଭ ଦେଖାଯାଇଥିଲା। ପୁଲିସ୍ ଗୁଳିରେ ଦୁଇ ଜଣ ପ୍ରାଣ ହରାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାର ଅବଶେଷ ମିଳିବାରୁ ଉପତ୍ୟକାରେ ପୁଣି ଶାନ୍ତି ଫେରିଥିଲା।
୧୯୭୧ରେ ଜୁଲଫିକର ଅଲୀ ଭୁଟ୍ଟୋଙ୍କ ପାକିସ୍ତାନ ସେନା ଢାକାରେ ଆତ୍ମସମର୍ପଣ କରିଥିଲା। ଏହାପରେ ଭାରତ ସହ ପଙ୍ଗା ନେବାକୁ ସେ ସତର୍କତା ଅବଲମ୍ବନ କରିଥିଲେ। ଏହି ସମୟରେ କଶ୍ମୀରରେ ବେଶ ଶାନ୍ତି ଦେଖାଯାଇଥିଲା। ଭବିଷ୍ୟତକୁ ନେଇ ଅନେକ ଆକଳନ କରାଯାଇଥିଲା। ଫିଲ୍ମ ଶୁଟିଂ ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଥିଲା। ୧୯୭୫ ମସିହା ଅକ୍ଟୋବର ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ପରିବାର ସହ ଶ୍ରୀନଗର ଯାଇଥିଲେ।

ସେମାନେ ଶିକାରା ରାଇଡର ମଜା ଉଠାଉଥିବା ବେଳେ ପଗଡ଼ି ପିନ୍ଧିଥିବା ନୌଚାଳକମାନେ ସହାୟତା କରିଥିଲେ। ଡାଲ ଲେକରେ ହଜାର ହଜାର ସ୍ଥାନୀୟ ଲୋକ ଇନ୍ଦିରା ଗାନ୍ଧି ଜିନ୍ଦାବାଦ ନାରା ଦେଇ ତାଙ୍କୁ କଶ୍ମୀରର ଝିଅ ଭାବେ ପ୍ରଶଂସା କରିଥିଲେ। କିନ୍ତୁ ଏ ସବୁ ଭିତରେ ଗୁପ୍ତ ଭାବେ ରହିଥିବା ବିଦ୍ରୋହୀ କଶ୍ମୀରକୁ ରକ୍ତ ରଞ୍ଜିତ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ।
ରାକ୍ଷସଙ୍କ ତ୍ରିମୂର୍ତ୍ତି
ଏସବୁ ପୂର୍ବରୁ ଅର୍ଥାତ ୧୯୬୮ ମସିହା ଡିସେମ୍ବର ୮ରେ ମକବୁଲ ଭଟ୍ଟ ଶ୍ରୀନଗର ଜେଲରୁ ଖସି ପାକିସ୍ତାନ ଅଧିକୃତ କଶ୍ମୀରରେ ପହଞ୍ଚି ଯାଇଥିଲା। ଆଇଏସଆଇ ତା’କୁ ହିରୋ ଭଳି ସ୍ୱାଗତ କରିଥିଲା ଓ ସେ ଏନଏଲଏଫର ସହ ପ୍ରତିଷ୍ଠାତା ଅମନୁଲ୍ଲା ଖାନ ସହ ପୁଣି ଯୋଡ଼ି ହୋଇଯାଇଥିଲା। ତେବେ କିଛି ରିପୋର୍ଟରେ ଦାବି କରାଯାଇଛି ଯେ ମକବୁଲ ଭଟକୁ ପାକିସ୍ତାନ ପ୍ରଥମେ ଭାରତୀୟ ଏଜେଣ୍ଟ ଭାବି କିଛି ମାସ ଜେଲରେ ରଖିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମକବୁଲ ଓ ଅମନୁଲ୍ଲା ଖାନ କଶ୍ମୀରରେ ପ୍ରଥମ ଆତଙ୍କର ଲହରୀ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
୧୯୭୬ରେ ଆଇଏସଆଇର ବିଚ୍ଛିନ୍ନତାବାଦୀ ଉଦ୍ଦେଶ୍ୟକୁ ପୂରଣ କରିବାକୁ ମକବୁଲ ଆଗେଇ ଆସିଥିଲା। କିନ୍ତୁ ୧୯୭୫ରେ ଇନ୍ଦିରା ଗାନ୍ଧି ଶେଖ ଅବଦୁଲ୍ଲାଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ମଧ୍ୟରେ ସେ ଫସି ଯାଇଥିଲା। ରକ୍ତର ନଈ ବହିଥିଲା। ଅକ୍ଟୋବର ୧୩ରେ ମକବୁଲ ଓ ଏନଏଲଏଫର ୫ ଜଣ ସଦସ୍ୟ କୁପୱାଡାର ଗୋଟିଏ ବ୍ୟାଙ୍କରେ ପଶିଥିଲେ। ସେମାନେ କ୍ୟାଶିୟର ଗୁଲାମ ରସୁଲଙ୍କୁ ହତ୍ୟା କରି ୨୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଏହାର ୭ ଦିନ ପରେ ହୋଇଥିବା ଏନକାଉଣ୍ଟରରେ ମକବୁଲ ଗିରଫ ହୋଇଥିଲା। କୋର୍ଟ ମୃତ୍ୟୁଦଣ୍ଡ କାଏମ ରଖିବାରୁ ତାକୁ ଦିଲ୍ଲୀର ତିହାର ଜେଲକୁ ପଠାଇ ଦିଆଯାଇଥିଲା। ତାକୁ ଫାଶୀ ଦେଲେ ବକ୍ଷୋଭ ଓ ହିଂସା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏହାକୁ ବିଳମ୍ବିତ କରାଯାଇଥିଲା। ଏହି ଭୁଲ ଭାରତକୁ ବେଶ ମହଙ୍ଗା ପଡ଼ିଥିଲା।
କ୍ରିକେଟ ଖେଳ ଓ ହିଂସା
ମକବୁଲର ଲୁଟର ଠିକ ୭ ବର୍ଷ ପରେ ଇନ୍ଦିରା ଗାନ୍ଧି ବଡ଼ ଭୁଲ କରିଥିଲେ। ସେ ଶ୍ରୀନଗରରେ ଦିନିକିଆ କ୍ରିକେଟ ମ୍ୟାଚ୍ର ଅନୁମତି ଦେବାରୁ ଏହାକୁ ବ୍ୟବହାର କରି ବିଚ୍ଛିନ୍ନତାବାଦୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସୁଯୋଗ ପାଇଥିଲେ। ୧୯୮୩ ମସିହା ଅକ୍ଟୋବର ୧୩ରେ ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଥର ପାଇଁ ଶ୍ରୀନଗରରେ କୌଣସି ମ୍ୟାଚ୍ ଖେଳା ଯାଉଥିଲା। ଲଞ୍ଚ ବ୍ରେକ ସମୟରେ ବିଚ୍ଛିନ୍ନତାବାଦୀମାନେ ଶେର-ଇ-କଶ୍ମୀର ଷ୍ଟାଡିୟମର ପିଚ୍କୁ ଖୋଳି ଦେଇଥିଲେ। ମ୍ୟାଚ ଲଞ୍ଚ ପରେ ଆରମ୍ଭ ହେବାକୁ ଯାଉଥିବା ବେଳେ ସେମାନେ ଭାରତୀୟ କ୍ରିକେଟରଙ୍କୁ ଖରାପ ବ୍ୟହାର କରିବା ସହ ସେଠାରୁ ଧକ୍କା ମାରି ବାହାର କରି ଦେଇଥିଲେ।
ବ୍ରିଟିଶ ଐତିହାସିକ ଆଲିଷ୍ଟର ଲାମ୍ବ ଏହାକୁ କଶ୍ମୀର ଇତିହାସର ସବୁ ଠାରୁ ପ୍ରମୁଖ ଘଟଣା ଭାବେ ଚିତ୍ରିତ କରିଛନ୍ତି। ହିନ୍ଦୁ ବହୁଳ ଦିଲ୍ଲୀ ବିରୋଧରେ ପ୍ରଥମ ସାଧାରଣ ଇସଲାମିକ ବିଦ୍ରୋହ କଶ୍ମୀରରେ ଆରମ୍ଭ ହୋଇଥିଲା ବୋଲି ଲାମ୍ବ ତାଙ୍କର କଶ୍ମୀର-ଏ ଡିସପୁଟେଡ ଲିଗାସୀ, ୧୮୪୬-୧୯୯୦ରେ ଉଲ୍ଲେଖ କରିଛନ୍ତି।

ସେତେବେଳେକୁ କଶ୍ମୀରରେ ଅନେକ କିଛି ପରିବର୍ତ୍ତନ ହୋଇସାରିଥିଲା। କଶ୍ମୀର ଉପତ୍ୟକାରେ ଇସଲାମିକ ଚେର ବ୍ୟାପୀ ସାରିଥିଲା। ଭୁଟ୍ଟୋଙ୍କୁ ମୃତ୍ୟୁଦଣ୍ଡ ଦେଇ ଜେନେରାଲ ଜିଆ ଉଲ ହକ ୧୯୭୮ରେ ପାକିସ୍ତାନର ରାଷ୍ଟ୍ରପତି ହେବା ସହ କଶ୍ମୀରରେ ବିଷର ମଞ୍ଜି ବୁଣିବା ଆରମ୍ଭ କରିଥିଲେ। ସେ ପାଣ୍ଠି ଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଓ ଆତଙ୍କବାଦୀମାନଙ୍କୁ କଶ୍ମୀର ପଠାଇ ଚାଲିଥିଲେ। ଗଲ୍ଫରୁ ଆସୁଥିବା ଟଙ୍କା ମଧ୍ୟ ବିଚ୍ଛିନ୍ନତାବାଦୀଙ୍କ ସଂଘର୍ଷକୁ ଗୋଟିଏ ଜିହାଦୀ ଅଭିଯାନରେ ପରିଣତ କରିଥିଲା।
୧୯୮୩ ନିର୍ବାଚନ ହିନ୍ଦୁ ଓ ମୁସଲିମଙ୍କ ତ୍ରୁଟିମୁକ୍ତ କାର୍ଯ୍ୟ ଉପରେ ନିର୍ଭର କରିଥିଲା। ନ୍ୟାଶନାଲ କନଫରେନ୍ସ ଉପତ୍ୟକା ବା କଶ୍ମୀରରେ ଦବଦବା ଦେଖାଇଥିଲା। ଏହାର ଜବାବରେ ହିନ୍ଦୁ ବହୁଳ ଜମ୍ମୁରେ କଂଗ୍ରେସକୁ ସମର୍ଥନ ମିଳିଥିଲା। ହିନ୍ଦୁ ଓ ମୁସଲିମ ଅଲଗା ଅଲଗା ଦଳକୁ ସମର୍ଥନ କରିଥିବାରୁ ଜମାତ-ଇ –ହିନ୍ଦ ଭଳି କଟରପନ୍ଥୀ ସଂଗଠନ ଏହାର ଫାଇଦା ଉଠାଇ ଇସଲାମିକ କଶ୍ମୀର ଲୋକଙ୍କ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ। ଜମ୍ମୁ-କଶ୍ମୀରରେ ଧର୍ମକୁ ନେଇ ରାଜନୀତି ଆରମ୍ଭ ହେବାରୁ ଏହାର ପରିଣାମ କଶ୍ମୀର ପଣ୍ଡିତମାନେ ଭୋଗିଥିଲେ। କଶ୍ମୀର ପଣ୍ଡିତଙ୍କ ଭୟଙ୍କର ବିଷୟବସ୍ତୁକୁ ଯିବା ପୂର୍ବରୁ ମକବୁଲ ଭଟ କେମିତି ପୂରା କାହାଣୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଜାଣିବା ଦରକାର।
ବର୍ମିଂହାମର କଂସେଇ
୧୯୮୪ ମସିହା ଫେବୃଆରୀ ୩ ତାରିଖ ସନ୍ଧ୍ୟା ପ୍ରାୟ ୬ଟା। ଭାରତୀୟ ଦୂତାବାସର ଦ୍ୱିତୀୟ ପାହ୍ୟା ଅଫିସର ୪୮ ବର୍ଷୀୟ ରବୀନ୍ଦ୍ର ହାରେଶ୍ୱର ମହାତ୍ରେ ବର୍ମିଂହାମର ବାର୍ଟଲେ ଗ୍ରୀନ୍ସ ସ୍ଥିତ ନିଜ ଘର ପାଖରେ ଥିବା ବସ ଷ୍ଟାଣ୍ଡରେ ଓହ୍ଲାଇଥିଲେ। ତାଙ୍କ ହାତରେ ଝିଅ ଆଶାଙ୍କ ପାଇଁ ଜନ୍ମ ଦିନର କେକ ରହିଥିଲା। କିନ୍ତୁ ହଠାତ୍ ୩ ଜଣ ଲୋକ ତାଙ୍କ ପାଖକୁ ଆସି ପାଟିତୁଣ୍ଡ କରିଥିଲେ। ତାଙ୍କୁ ଧକ୍କା ମାରି ଗୋଟିଏ ନାଲି କାରରେ ଭର୍ତ୍ତି କରି ନିକଟସ୍ଥ ମୁସଲିମ ବହୁଳ ଅଞ୍ଚଳକୁ ନେଇ ଯାଇଥିଲେ।
ରାତି ପ୍ରାୟ ୩ଟା ବେଳେ କଶ୍ମୀର ଲିବେରେସନ ଆର୍ମି(କେଏଲଏ) ରବୀନ୍ଦ୍ରଙ୍କ ଅପହରଣ ପାଇଁ ନିଜକୁ ଦାୟୀ କରିଥିଲା। ଏଥିସହ ରବୀନ୍ଦ୍ରଙ୍କ ବଦଳରେ ତିହାର ଜେଲରେ ଥିବା ମକବୁଲ ଭଟର ରିଲିଜ ଦାବି କରିଥିଲା।

ହେଲେ ଅପହରଣକାରୀ ଭାରତର ଆଭିମୁଖ୍ୟ ଦେଖି ଡରି ଯାଇଥିଲେ। ସେମାନେ ଭୟ ଓ ଆତଙ୍କିତ ହୋଇ ଫେବୃଆରୀ ୫ରେ ରବୀନ୍ଦ୍ରଙ୍କୁ ବର୍ମିଂହାମ ଠାରୁ ୨୦ କିମି ଦୂର ଗୋଟିଏ ନିଛାଟିଆ ଗଳିରେ ୨ ଥର ଗୁଳି ମାରି ଫିଙ୍ଗି ଦେଇଥିଲେ। ସେହିଦିନ ସନ୍ଧ୍ୟାରେ ତାଙ୍କ ମୃତଦେହକୁ ଗଳିରୁ ପୁଲିସ ଠାବ କରିଥିଲା।
ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ୍ ଜମ୍ମୁ-କଶ୍ମୀରର ଲିବେରେସନ ଫ୍ରଣ୍ଟର ସହଯୋଗୀ କେଏଲଏ ଘଟଣାରେ ସାମିଲ ଥିବା ଜାଣିବାକୁ ପାଇଥିଲା। ମକବୁଲ ଓ ଅମନୁଲ୍ଲା ଖାନ ୧୯୬୫ରେ ପ୍ରତିଷ୍ଠା କରିଥିବା ଏନଏଲଏଫର ଏହା ଅଂଶବିଶେଷ ଥିଲା। ୧୯୭୭ରେ ବର୍ମିଂହାମରେ ଜେକେଏଲଏଫ ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରମୁଖ ବିନ୍ଧାଣି ଥିଲା ଅମନୁଲ୍ଲା ଖାନ ଓ ଏହାକୁ କଶ୍ମିରୀରୁ ଯାଇ ସେଠାରେ ଥିବା ଲୋକମାନେ ସହାୟତା କରୁଥିଲେ। ୧୯୮୦ ଦଶକରେ ଆଇଏସଆଇ ପକ୍ଷରୁ ଜେକେଏଲଏଫକୁ ଅସ୍ତ୍ରଶସ୍ତ୍ର ଓ ତାଲିମ ମଧ୍ୟ ଯୋଗାଇ ଦିଆଯିବା ଆରମ୍ଭ ହୋଇଥିଲା।

ମହାତ୍ରେଙ୍କ ହତ୍ୟା ପାଇଁ ମହମ୍ମଦ ରିଆଜ ଓ ଅବଦୁଲ୍ଲା ରାଜେ ନାମକ ଦୁଇ ଜଣ ଯୁବକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ମହାତ୍ରେଙ୍କୁ ଅପହରଣ ବେଳେ ଅମନୁଲ୍ଲା ଖାନ ବର୍ମିଂହାମରେ ଉପସ୍ଥିତ ରହିବା ସହ ପୂରା ଯୋଜନାକୁ କାର୍ଯ୍ୟକାରୀ କରିଥିଲା। କାଳେ ସେ ମାଷ୍ଟରମାଇଣ୍ଡ ବୋଲି ଧରାପଡ଼ି ଯିବ, ସେହି ଭୟରେ ଅମନୁଲ୍ଲା ହିଁ ମହାତ୍ରେଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା।
ଗୋଟିଏ ଆଖି ପାଇଁ ଆଉ ଗୋଟିଏ ଆଖି
ଫେବୃଆରୀ ୬ ତାରିଖ ସୋମବାର ପ୍ରବଳ କୁହୁଡ଼ି, ଚିନ୍ତା ଓ ଅବଶୋଷରେ ଭର୍ତ୍ତି ଗୋଟିଏ ରୁମରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀ ବୈଠକର ଅଧ୍ୟକ୍ଷତା କରିଥିଲେ। ରାଜନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ବୈଠକରେ ଇନ୍ଦିରା ଗାନ୍ଧି ତୁରନ୍ତ ମକବୁଲ ଭଟକୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ ଜଣେ ଅଧିକାରୀ ଏହାର ଅନୁମତି ପାଇଁ କ୍ୟାଲକାଟାରେ ଥିବା ରାଷ୍ଟ୍ରପତି ଜାଇଲ ସିଂହଙ୍କ ଅନୁମତି ଆଣିବାକୁ ବାହାରି ଯାଇଥିଲେ।
ଅନୁମତିର ୪ ଦିନ ପରେ ତିହାର ଜେଲରେ ମକବୁଲକୁ ଫାଶୀ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାକୁ ଖାଇବାକୁ ଦିଆଯାଇଥିଲେ ହେଁ ସେ ମନା କରି ଦେଇଥିଲା। ପରଦିନ ସକାଳେ ତାକୁ ଫାଶୀ ଦିଆଯାଇଥିଲା। ଫାଶୀ ପରେ ତା’କୁ ଅଜଣା ସ୍ଥାନରେ କବର ଦିଆଯାଇଥିବା ଖବର ମିଳିଥିଲା। କିଛି ଘଣ୍ଟା ପରେ ଅଲ ଇଣ୍ଡିଆ ରେଡିଓରେ ଏହାର ସୂଚନା ସମସ୍ତଙ୍କୁ ଦିଆଯାଇଥିଲା। ବାସ୍ ଏହି ଖବର ପ୍ରଚାର ହେବା ପରେ କଶ୍ମୀରରେ ବିକ୍ଷୋଭ ଓ ହିଂସାର ଅଧ୍ୟାୟ ଆରମ୍ଭ ହୋଇଯାଇଥିଲା।

ଭାଗ ୨ରେ ଅପରେସନ ଟୁପାକ, ଜିଆ ଉଲ ହକଙ୍କ ସ୍ୱପ୍ନ ଯୋଗୁ କେମିତି ଭାରତ ଓ ପାକିସ୍ତାନ ଯୁଦ୍ଧ କଲେ ଜାଣିବେ।
<!–
–>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
SOURCE :- ODISHA REPORTER