Source :- ODIA PUA
ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅଧୀନ କେଦାରପୁର ପଂଚାୟତରେ ସରକାରୀ ଧାନ ମଣ୍ଡି ଖୋଲୁନାହିଁ। ଯାହାଫଳରେ ଚାଷୀମାନେ ଅଦ୍ୟାବଧି ଧାନ ବିକ୍ରି କରିପାରୁ ନାହାନ୍ତି। ଏହାର ପ୍ରତିବାଦରେ ବୁଧବାର ଭଦ୍ରକ-ଚାନ୍ଦବାଲି ରାସ୍ତାର କୁଣ୍ଡିପୋଲ ଛକ ନିକଟରେ ଧାନବସ୍ତା ରଖି ସକାଳ ୯ଟା ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୩ଘଂଟା ଧରି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମକେଶରୀ ଖୁଂଟିଆ ଓ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଏଆରସିଏସ୍, ଭଦ୍ରକ ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ ଜ୍ୟୋତିରଂଜନ ପଣ୍ଡା, ସାବରଙ୍ଗ ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ରାସ୍ତା ଅବରୋଧକାରୀ ଚାଷୀମାନଙ୍କୁ ବୁଝାସୁଝା କରିବା ସହିତ ଏହି ମଣ୍ଡିକୁ ନେଇ ହାଇକୋର୍ଟରେ ରହିତାଦେଶ ଥାଇ ଆସନ୍ତା ୨୭ ରେ ଶୁଣାଣି ଥିବାରୁ ଆସନ୍ତା ୨୮ ତାରିଖରେ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି କହିଥିଲେ। ଏବଂ ଏଥିରେ ଚାଷୀଙ୍କ ହିତ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଯେ, କେଦାରପୁର ପଂଚାୟତରେ ଗତ ଖରିଫ ଧାନ କିଣିବା ପାଇଁ ଏକ ମହିଳା ମଣ୍ଡଳକୁ ଅନୁମତି ଦିଆଯାଇଥିଲା। ମାତ୍ର ଚଳିତ ବର୍ଷ ଅନ୍ୟ ଏକ ମହିଳା ମଣ୍ଡଳକୁ ଧାନ କିଣିବା ପାଇଁ ଅନୁମତି ମଳିଛି। ଗତ ବର୍ଷ ଅନୁମତି ପାଇଥିବା ମହିଳା ମଣ୍ଡଳ ଏହାର ପ୍ରତିବାଦରେ ହାଇକୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି। ହାଇକୋର୍ଟ ଧାନ କିଣାଯିବା ଉପରେ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଚାଷୀଙ୍କ ଠାରୁ ଧାନ କିଣାଯାଇ ପାରୁନାହିଁ। ପଂଚାୟତର ବିନୋଦ ସେନାପତି, ରଘୁନାଥ ସେନାପତି, କୃଷ୍ଣ ଚନ୍ଦ୍ର ଘଡ଼େଇ, ଅକ୍ଷୟ କୁମାର ସାହୁ, ପ୍ରଦୀପ କୁମାର ନାୟକ, ନାରାୟଣ ଘଡ଼େଇ, ଶ୍ରୀଧର ଘଡ଼େଇ, କମଳାକାନ୍ତ ଜେନା, ଲକ୍ଷ୍ମୀଧର ସାହୁ, ଗୌତମ ପାତ୍ର, ମାୟାଧର ବେହେରା, କୈଳାସ ଘଡ଼େଇ ପ୍ରମୁଖ ଶତାଧିକ ଚାଷୀ ରାସ୍ତାରୋକ ଆନ୍ଦୋଳନରେ ସାମିଲ ହୋଇଥିଲେ।
SOURCE: ODIA PUA