Source :- ODIA PUA
ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡିଜେ ବ୍ୟବହାର ଉପରେ ପ୍ରଶାସନ ପୁଣି ଆଜି କଟକଣା ଜାରି କରିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଜିଲାର ସହରାଂଚଳ ଓ ଗ୍ରାମାଂଚଳରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେରେ ଭାଇବ କ୍ରିଏଟର ବ୍ୟବହାରକୁ ନିଷିଧ କରାଯାଇଛି। ଏବଂ ଏହାର ତଦାରଖ ତଥା ଆଦେଶ ପରିଚାଳନା ନିମନ୍ତେ ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧାମନଗର, ବନ୍ତ, ଭଣ୍ଡାରିପୋଖରୀ ଓ ତିହିଡିର ତହସିଲଦାର, ଥାନାଧିକାରୀ ମାନଙ୍କୁ ନେଇ ଏକ କାର୍ଯ୍ୟବାହୀ ଦଳ ଗଠନ କରାଯାଇଛି। ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ତହସିଲ ତହସିଲଦାର, ଭଦ୍ରକ ଗ୍ରାମାଂଚଳ, ପୁରୁଣାବଜାର, ସହରାଂଚଳ ଓ ସାବରଙ୍ଗ ଥାନାଧିକାରୀଙ୍କ ସମେତ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀଙ୍କୁ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ସେହିଭଳି ବାସୁଦେବପୁର ତହସିଲର ତହସିଲଦାର, ଥାନାଧିକାରୀ, ନାୟକାଣୀଡିହି, ଚୂଡାମଣି ମେରାଇନ୍ ଓ କସିଆ ମେରାଇନ୍ ଥାନାଧିକାରୀଙ୍କ ସମେତ ମୋଟର ଯାନ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ଚାନ୍ଦବାଲି ତହସିଲର ତହସିଲଦାର, ଚାନ୍ଦବାଲି, ବାଂଶଡା, ଧାମରା ଓ ଧାମରା ମେରାଇନ ଥାନାଧିକାରୀଙ୍କ ସହ ମୋଟର ଯାନ ନିରୀକ୍ଷକ, ଧାମନଗର ତହସିଲର ତହସିଲଦାର, ଧାମନଗର ଓ ଧୁଷୁରୀ ଥାନାଧିକାରୀଙ୍କ ସହ ଭଦ୍ରକ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ, ବନ୍ତ ତହସିଲର ତହସିଲଦାର, ବନ୍ତ ଓ ଆଗରପଡା ଥାନାଧିକାରୀଙ୍କ ସହ ମୋଟର ଯାନ ନିରୀକ୍ଷକ, ଭଣ୍ଡାରିପୋଖରୀ ତହସିଲର ତହସିଲଦାର, ଭଣ୍ଡାରିପୋଖରୀ ଥାନାଧିକାରୀଙ୍କ ସହ ଭଦ୍ରକ ଭଦ୍ରକ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ ଓ ତିହିଡି ତହସିଲର ତହସିଲଦାର, ତିହିଡି ଓ ପୀରହାଟ ଥାନାଧିକାରୀଙ୍କ ସହ ମୋଟର ଯାନ ନିରୀକ୍ଷକଙ୍କୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏବଂ ଏହାର ଏକକିତା ନକଲ ଜିଲା ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ବିଚାରପତି, ଭଦ୍ରକ, ଆଂଚଳିକ ପରିବହନ ଅଧିକାରୀ, ସମସ୍ତ ତହସିଲଦାର, ଥାନାଧିକାରୀ ଓ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଚାର ପ୍ରସାର ପାଇଁ ବିଜ୍ଞପ୍ତି ଜାରି ହୋଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଏହି ବିଜ୍ଞପ୍ତି ଜାରିହେବା ପରେ ସୋସିଆଲ ମିଡିଆ ଗୁଡିକରେ ଜିଲାର ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମାଲୋଚନା କରାଯାଇଛି। କାହିଁକି ନା ଡିଜେ ଗୁଡିକ ବ୍ୟବହାର କରୁଥିବା ଭାଇବ କ୍ରିଏଟର ଗୁଡିକ ବନ୍ଦ କରିବା ପାଇଁ ପୂର୍ବରୁ ବହୁବାର ନିଷେଧାଜ୍ଞା ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶନାମାକୁ ବେଖାତିର କରି ବିବାହ ଶୋଭାଯାତ୍ରା ଓ ମୂର୍ତି ବିସର୍ଜନ ଆଦି କାର୍ଯ୍ୟକ୍ରମରେ ନିର୍ଭୟରେ ବ୍ୟବହାର କରାଚାଲିଛି। ଯାହାଫଳରେ ନିକଟ ଅତୀତରେ ତିହିଡି ଅଂଚଳରେ ଦୋଳଯାତ୍ରା ଓ ପଣା ସଂକ୍ରାନ୍ତି ଉତ୍ସବରେ ଦୁଇଜଣଙ୍କ ଜୀବନ ହାନି ଘଟିଥିବାବେଳେ ବିଭିନ୍ନ ସମୟରେ ଏହାର ଭାଇବ୍ରେସନ ଯୋଗୁଁ ୫ ରୁ ଉର୍ଦ୍ଧ୍ୱ ଲୋକଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବାର ଅଭିଯୋଗ ରହିଛି। ଏତେ ପରେ ମଧ୍ୟ ଜିଲା ପ୍ରଶାସନର ନିଦ ଭାଙ୍ଗିନଥିବାବେଳେ ଏହି ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ସାମାଜିକ କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ ପରେ ଜିଲା ପ୍ରଶାସନକୁ ନୋଟିସ୍ ଜାରି ହୋଇଛି। ତେଣୁ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରଶାସନ ପକ୍ଷରୁ ଡିଜେ ବ୍ୟବହାରକୁ ନେଇ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ଏବଂ ସଂପୂର୍ଣ୍ଣ ଭାବେ ଡିଜେକୁ ବନ୍ଦ କରାନଯାଇ କେବଳ ଭାଇବ କ୍ରିଏଟର ଉପରେ କଟକଣା ଜାରି କରାଯିବାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଅନ୍ୟପକ୍ଷରେ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଲଗାତର ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ଓ ଜିଲାପାଳଙ୍କୁ ଭେଟି ସଂପୂର୍ଣ୍ଣ ଭାବେ ଡିଜେ ବନ୍ଦ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ବରିଷ୍ଠ ନାଗରିକମାନେ ରାସ୍ତାରେ ଯାତାୟତ ସମୟରେ ଡିଜେ ଶବ୍ଦ ବ୍ୟବହାରରେ ଅସ୍ତବ୍ୟସ୍ତ ହୋଇପଡୁଥିବା କଥା ଜିଲା ବରିଷ୍ଠ ନାଗରିକ ସଂଘର ସଂପାଦକ କୈଳାସ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।
SOURCE: ODIA PUA