Source :- ODISHARE REPORTER NEWS

ଜଣେ ଟ୍ରାଭେଲ ୟୁଟ୍ୟୁବରରୁ ପାକିସ୍ତାନୀ ଗୁପ୍ତଚର। ହରିୟାଣର ଜ୍ୟୋତି ମାଲହୋତ୍ରାଙ୍କ ଏପରି ଯାତ୍ରା ଆଧୁନିକ ଯୁଗରେ ନୂଆ ଯୁଦ୍ଧ କ୍ଷେତ୍ରକୁ ପ୍ରସ୍ତୁତ କରିଛି। ଏହି ଯୁଦ୍ଧ କ୍ଷେତ୍ରରେ ଗୋଟିଏ ଦେଶର ଗୁଇନ୍ଦା ଏଜେନ୍ସି ଆଉ ଗୋଟିଏ ଦେଶର ସାମାଜିକ ଗଣମାଧ୍ୟମରେ ପ୍ରଭାବ ରଖିଥିବା ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି ଓ ସେମାନଙ୍କୁ ନିଜ ଦ୍ୱାରା ରଚିତ କାହାଣୀର ପ୍ରଚାର କରିବାକୁ କହୁଛନ୍ତି। ଏପରି ରଣନୀତିର ଶିକାର ହୋଇ ଏବେ ଗିରଫ ହୋଇଛନ୍ତି ହରିୟାଣାର ଜ୍ୟୋତି ମାଲହୋତ୍ରା।

ଶୀଘ୍ର ଟଙ୍କା ଆୟ କରିବା ଓ ବିଳାସପୂର୍ଣ୍ଣ ଜୀବନ ବିତାଇବା ଲୋଭର କେମିତି ଜଣେ ଇନଫ୍ଲ୍ୟୁଏନସର ଶତ୍ରୁର ଜାଲରେ ଫସି ଯାଉଛନ୍ତି, ତା’ହା ମଧ୍ୟ ଏହି ଘଟଣା ପ୍ରମାଣିତ କରିଛି। ଜ୍ୟୋତିଙ୍କୁ ଗୁଇନ୍ଦାଗିରି ଘଟଣାରେ ଶୁକ୍ରବାର ଗିରଫ କରାଯାଇଛି ଓ ଏବେ ୫ ଦିନିଆ ରିମାଣ୍ଡରେ ରହିଛନ୍ତି।

ସାମାଜିକ ଗଣମାଧ୍ୟମରେ ପ୍ରଭାବ ଛାଡ଼ିବାକୁ ପ୍ରତିଯୋଗିତା

ଦେଶକୁ ମହାମାରୀ କରୋନା ଆସିବା ପରେ କଣ୍ଟେଣ୍ଟ କ୍ରିଏସନ ୟୁନିଭର୍ସ ନୂଆ ଜୀବନ ପାଇ ଯାଇଥିଲା ଓ ଏହାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଯାହାକୁ ଦେଖିଲେ, ସେ ହାତରେ ଖଣ୍ଡେ ମୋବାଇଲ ଧରି ଭିଡିଓ ଶୁଟିଂ କରିବାରେ ଲାଗି ପଡ଼ିଛନ୍ତି। ଅଧିକରୁ ଅଧିକ ଲୋକ କଣ୍ଟେଣ୍ଟ କ୍ରିଏସନ ଦୁନିଆରେ ପାଦ ଦେଉଥିବା ବେଳେ ସମସ୍ତଙ୍କର ସ୍ୱପ୍ନ ଥିଲା ସାମାଜିକ ଗଣମାଧ୍ୟମରେ ନିଜର ପ୍ରଭାବ ବିସ୍ତାର କରିବା।

<!–

  • 17 March 2022

–>

ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ମଧ୍ୟରେ ଲାଇକ ଓ ଭ୍ୟୁଜର ରେସ ଆରମ୍ଭ ହୋଇଯାଇଥିଲା। ଏହାକୁ ଜାରି ରଖିବା ପାଇଁ ସେମାନଙ୍କୁ ନୂଆ ଓ ନିୟମିତ ବିଭିନ୍ନ ବିଷୟବସ୍ତୁର ଭିଡିଓ ଅପଲୋଡ କରିବାକୁ ପଡ଼ୁଥିଲା। ଏଥିପାଇଁ ସେମାନଙ୍କୁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ ଓ ସମ୍ପଦର ଆବଶ୍ୟକତା ଥିବା, ସେମାନେ ଭଲ ଭାବେ ବୁଝିଥିଲେ। ଏଥିପାଇଁ ସେମାନେ କିଛି ବି କରିବାକୁ ପଛାଉ ନଥାଆନ୍ତି। 

୩୩ ବର୍ଷୀୟ ଜ୍ୟୋତିଙ୍କ ୟୁଟ୍ୟୁବକୁ ୩.୮୫ ଲକ୍ଷ ସବସ୍କ୍ରାଇବ କରିଛନ୍ତି। ଟ୍ରାଭେଲ ୱିଥ ଜୋ ନାଁରେ ଥିବା ଜ୍ୟୋତିଙ୍କ ଚ୍ୟାନେଲ ବିଭିନ୍ନ ସ୍ଥାନର ଭିଡିଓ ଓ ରିଲ୍ସ ରହିଛି। ସେ ନିଜେ ଉକ୍ତ ସ୍ଥାନରେ ବୁଲିବା ସହ ଭିଡିଓ ନିଜ ଚ୍ୟାନେଲରେ ଅପଲୋଡ କରନ୍ତି। ନିଜର ଅଭିଜ୍ଞତା ଭିଡିଓ ମାଧ୍ୟମରେ ସେ ସମସ୍ତଙ୍କୁ ଜଣାଉଥିବା କୁହନ୍ତି।

ଜ୍ୟୋତି

ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କ୍‌

ଜ୍ୟୋତି ପାକିସ୍ତାନ ଓ ଚାଇନା ସମେତ ୮ଟି ଦେଶକୁ ଗସ୍ତ କରିଛନ୍ତି। ୟୁଟ୍ୟୁବ ଚ୍ୟାନେଲ କରି ନିଜର ଟ୍ରାଭେଲ ଭିଡିଓକୁ ଅପଲୋଡ କରୁଥିବା ଜ୍ୟୋତି ସମୟକ୍ରମେ ପାକିସ୍ତାନୀ ସୂଚନା ଅଫିସରମାନଙ୍କ ଯୋଗାଯୋଗରେ ଆସିଥିଲେ। ଏହାପରେ ପାକିସ୍ତାନ ପକ୍ଷରୁ ତାଙ୍କୁ ଗୋଟିଏ ନିଜସ୍ୱ ସମ୍ପତ୍ତି ଭାବେ ଗଢ଼ାଯାଇଥିଲା।

ହିସରା ଏସ୍‌ପି ଶଶାଙ୍କ କୁମାର ସାୱନଙ୍କ କହିବା କଥା ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ସିଧାସଳ କୌଣସି ସାମରିକ କିମ୍ବା ପ୍ରତିରକ୍ଷା ଅପରେସନ ସମ୍ପର୍କିତ ତଥ୍ୟ ସହ ନାହିଁ। କିନ୍ତୁ ସେ ପାକିସ୍ତାନ ଅଧିକାରୀଙ୍କ ଯୋଗାଯୋଗରେ ଥିଲେ। ନିଶ୍ଚିତ ଭାବେ ସେମାନେ ତାଙ୍କୁ ଗୋଟିଏ ସମ୍ପତ୍ତି ଭାବେ ତିଆରି କରିଥିଲେ। ଅନ୍ୟ ପ୍ରଭାବଶାଳୀ ୟଟ୍ୟୁବରମାନଙ୍କ ସହ ମଧ୍ୟ ତାଙ୍କର ଯୋଗାଯୋଗ ରହିଥିଲା। ସେମାନେ ମଧ୍ୟ ପାକିସ୍ତାନୀ ଏଜେଣ୍ଟଙ୍କ ଯୋଗାଯୋଗରେ ରହିଥିଲେ। ଏହା ଗୋଟିଏ ପ୍ରକାରର ଯୁଦ୍ଧ ବ୍ୟାପାର। ଏପରି କ୍ଷେତ୍ରରେ ଶତ୍ରୁପକ୍ଷ ନିଜର ଆଭିମୁଖ୍ୟକୁ ବିଭିନ୍ନ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ଉପସ୍ଥାପନ କରି ପ୍ରଚାର କରିବାକୁ ଚେଷ୍ଟା କରନ୍ତି ବୋଲି ସେ କହିଛନ୍ତି।

Jo 2ଦାନିଶଙ୍କ ସହ ଜ୍ୟୋତି

କେମିତି ପାକ ଅଧିକାରୀଙ୍କୁ ଭେଟିଲେ ଜ୍ୟୋତି?

ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରେ କାମ କରୁଥିବା ଦାନିଶଙ୍କ ସହ ଜ୍ୟୋତି ଯୋଗାଯୋଗରେ ରହିଥିଲେ। ପହଲଗାମ ନରସଂହାର ପରେ ଭାରତ ଆରମ୍ଭ କରିଥିବା ଅପରେସନ ସିନ୍ଦୂରର ବଦଲା ନେବାକୁ ପାକିସ୍ତାନ ଚେଷ୍ଟା କରିବାରୁ ଦୁଇ ଦେଶ ମଧ୍ୟରେ ପ୍ରାୟ ୪ ଦିନ ଧରି ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା। ଏହି ସମୟରେ ମଧ୍ୟ ଜ୍ୟୋତି ଓ ଦାନିଶଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଜ୍ୟୋତି ଏକାଧିକ ଥର ପାକିସ୍ତାନ ଗସ୍ତ କରୁଥିବାରୁ ପୂର୍ବରୁ ସେ ବିଭିନ୍ନ ଏଜେନ୍ସିର ରାଡାରରେ ଥିଲେ। ପୁଲିସ୍‌ ତାଙ୍କ ଫୋନ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଜବତ କରିଛି।

ଗତବର୍ଷ ମାର୍ଚ୍ଚ ମାସରେ ସେ ପାକିସ୍ତାନ ଦୂତାବାସକୁ ଯାଇଥିଲେ ଓ ଗୋଟିଏ ଭିଡିଓ ଅପଲୋଡ କରିଥିଲେ। ସେଠାରେ ତାଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଥିଲା ଯେ ଦୂତାବାସ କର୍ମଚାରୀଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲା। ସେହିପରି ସେ ପାକିସ୍ତାନର ପ୍ରଶଂସା କରିବାକୁ ମଧ୍ୟ ପଛାଇ ନଥିଲେ। ଖାଲି ସେତିକି ନୁହେଁ, ଜ୍ୟୋତି ପାକିସ୍ତାନ ଯିବାକୁ ଭିସା ଚାହୁଁଥିବା ମଧ୍ୟ ବିଭିନ୍ନ ଲୋକଙ୍କୁ ହସିହସି କହୁଥିବା ସେ ଅପଲୋଡ କରିଥିବା ଭିଡିଓରେ ଦେଖାଯାଇଥିଲା।

ଏସ୍‌ପି ସାୱନ କହିଛନ୍ତି, “ସାମାଜିକୀକରଣକୁ ଅନୁମତି ରହିଛି। କିନ୍ତୁ ସେମାନଙ୍କ ଆଭିମୁଖ୍ୟକୁ ଜଣେ ବୁଝିବା ଦରକାର। ଆମ ପାଇଁ ପାକିସ୍ତାନ ଗୋଟିଏ ସାଧାରଣ ଦେଶ ନୁହେଁ। ପାକିସ୍ତାନକୁ ଏକାଧିକ ଥର ଯିବା, ପାକିସ୍ତାନର ପ୍ରଚାର କରିବା, ବିବାଦ ସମୟରେ ପାକିସ୍ତାନ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବା ଓ ତାଙ୍କୁ ସହାୟତା ପ୍ରଦାନ କରିବା ଦେଶର ଏକତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି।

Jo 3ଜ୍ୟୋତି

ପାକିସ୍ତାନ ମିଟିଂ

ଗିରଫ ପରେ ଜ୍ୟୋତି ପୁଲିସ୍‌କୁ କହିଛନ୍ତି ଯେ ପ୍ରଥମ ଦେଖାରେ ଦାନିଶ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ଦୁଇ ଜଣ ଫୋନରେ କଥାବାର୍ତ୍ତା ଜାରି ରଖିଥିଲେ। ୨୦୨୩ରେ ତାଙ୍କୁ ୧୦ ଦିନ ପାକିସ୍ତାନ ଯିବାକୁ ଭିସା ମିଳିଥିଲା। ଦାନିଶ ତାଙ୍କୁ ନିଜର ସହଯୋଗୀ ଅଲୀ ଅହୱାନଙ୍କ ସହ ପାକିସ୍ତାନରେ ଭେଟିବାକୁ କହିଥିଲେ। ଅଲୀ ଅହୱାନ ତାଙ୍କ ଯିବାଆସିବା ଓ ରହିବା କଥା ବୁଝିଥିଲେ। ପାକିସ୍ତାନ ଗସ୍ତରେ ଥିବା ବେଳେ ଜ୍ୟୋତି ସେଠାରେ ବଡ଼ବଡ଼ ପାର୍ଟିରେ ମଧ୍ୟ ଯୋଗ ଦେଇଥିବା ପ୍ରମାଣ ମିଳିଛି।

ପାକିସ୍ତାନରେ ଜ୍ୟୋତି ପାକିସ୍ତାନୀ ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ। ଏହାର ବ୍ୟବସ୍ଥା ଅଲୀ କରିଥିଲା। ଶାକିର ଓ ରାଣା ଶାହବାଜ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ସହ ମଧ୍ୟ ଜ୍ୟୋତିଙ୍କ ପରିଚୟ ହୋଇଥିଲା। ସେ ଶାକିରଙ୍କ ନମ୍ବର ଆଣିବା ସହ ଏହାକୁ ଜାଟ ରାନ୍ଧୱା ନାଁରେ ନିଜ ମୋବାଇଲ୍‌ରେ ସେଭ କରିଥିଲେ। ଭାରତ ଫେରିବା ପରେ ମଧ୍ୟ ଜ୍ୟୋତି ପାକିସ୍ତାନରେ ଭେଟିଥିବା ଲୋକମାନଙ୍କ ସହ ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମ ଜରିଆରେ ଯୋଗାଯୋଗ କରୁଥିଲେ।

Jo 4ଜ୍ୟୋତି

ଆର୍ଥିକ କାରବାର

ବର୍ତ୍ତମାନ ପୁଲିସ୍‌ ଜ୍ୟୋତିଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି। ତାଙ୍କର ଆର୍ଥିକ କାରବାର, ଭ୍ରମଣ କାର୍ଯ୍ୟକ୍ରମ, ସେ କଉଁଠିକୁ ଯାଇଥିଲେ ଓ କେଉଁମାନଙ୍କୁ ଭେଟିଥିଲେ, ସେସବୁର ଯାଞ୍ଚ କରାଯାଉଛି। ହରିୟାଣା ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମଧ୍ୟ ଯୋଗାଯୋଗରେ ରହିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଜ୍ୟୋତି ଅତନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ତାଙ୍କ ଆୟ ଅନୁସାରେ ଖର୍ଚ୍ଚ ସମ୍ଭବତଃ ଅଧିକ ରହିଥିଲା। ତେଣୁ ଏହାର ଯାଞ୍ଚ ମଧ୍ୟ ଚାଲିଛି। ଜ୍ୟୋତି ନିଜ ୟୁଟ୍ୟୁବ ଚ୍ୟାନେଲ ପାଇଁ ଶୁଟିଂ କରିବାକୁ ଯିବା ବେଳେ ବିମାନର ବ୍ୟବହାର କରନ୍ତି। ସେ ବଡ଼ବଡ଼ ହୋଟାଲରେ ରହିବା ସହ ଦାମୀ ରେଷ୍ଟୁରାଣ୍ଟରେ ଖାଆନ୍ତି। ପୁଲିସ୍‌ ମଧ୍ୟ ଏହା ଜାଣିବାକୁ ପାଇଛି ଯେ ଜ୍ୟୋତିଙ୍କ ପାକିସ୍ତାନ ଗସ୍ତ ଗୋଟିଏ ପ୍ରାୟୋଜିତ ଟ୍ରିପ୍‌ ଥିଲା।

ପାକିସ୍ତାନରେ ଭିଆପି ସୁବିଧା ପାଇଥିବା ଜ୍ୟୋତି ସେଠାରୁ ଫେରିବା ମାତ୍ରେ ଚାଇନା ଗସ୍ତ କରିଥିଲେ। ଚାଇନାରେ ମଧ୍ୟ ସେ ଦାମୀ କାରରେ ବୁଲିଥିଲେ ଓ ଦାମୀ ଗହଣା ଦୋକାନ ଯାଇଥିଲେ। ଏପରି ବିଳାସପୂର୍ଣ୍ଣ ଟ୍ରିପ ଓ ସନ୍ଦେହଜନକ ବୈଠକ ଜ୍ୟୋତିଙ୍କୁ ସୁରକ୍ଷା ଏଜେନ୍ସିର ରାଡାର ଭିତରକୁ ଟାଣିଥିଲା।

ପହଲଗାମ ଓ ଅପରେସନ ସିନ୍ଦୂର

ମେ’ ୨୩ରେ ଭାରତ ଗୁଇନ୍ଦାଗିରିରେ ସାମିଥିଲା ଦାନିଶଙ୍କୁ ନିଲମ୍ବିତ କରିଥିଲା। ତାଙ୍କୁ ତୁରନ୍ତ ଭାରତ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ଦୁଇ ଦିନ ପରେ ଜ୍ୟୋତିଙ୍କୁ ଗିରଫ କରାଯାଇଛି। ଅପରେଦନ ସିନ୍ଦୂର ବେଳେ କ’ଣ ଜ୍ୟୋତି ତାଙ୍କ ପାକିସ୍ତାନୀ ଏଜେଣ୍ଟଙ୍କ ସହ କଥା ହୋଇଥିଲେ କି? ଏହାର ଜବାବ ଜଣେ ପୁଲିସ୍‌ ଅଧିକାରୀ ନିଜ ନାଁ ଗୋପନ ରଖି ଦେଇଛନ୍ତି। ତାଙ୍କ କହିବା କଥା ଯେ ଭାରତ-ପାକିସ୍ତାନ ବିବାଦ ବେଳେ ଜ୍ୟୋତି କିଛି ପାକିସ୍ତାନୀ ଏଜେଣ୍ଟ ଓ ଦାନିଶଙ୍କ ଯୋଗାଯୋଗରେ ଥିଲେ।

ଜ୍ୟୋତିଙ୍କ ଲ୍ୟାପଟପ ଓ ଅନ୍ୟ ବୈଦ୍ୟୁତିକ ଜିନିଷର ଫରେନ୍ସିକ ଯାଞ୍ଚ ଚାଲିଛି। ଏହି ଯାଞ୍ଚ ପରେ ସେ କେଉଁ ସବୁ ତଥ୍ୟ ଶେୟାର କରିଛନ୍ତି, ତାହା ସ୍ପଷ୍ଟ ହୋଇପାରିବ। ଗୋଟିଏ ଭିଡିଓରେ ସେ ଚାଇନା ଯିବାକୁ ଭିସା ପାଇଁ ଅନୁରୋଧ କରୁଥିବା ଦେଖାଯାଉଛି। ପହଲଗାମ ନରସଂହାର ପୂର୍ବରୁ ଜ୍ୟୋତି ଜମ୍ମୁ-କଶ୍ମୀର ଯାଇଥିଲେ। ସେହିପରି ପାକିସ୍ତାନ ଗସ୍ତ ବି କରିଥିଲେ। ପହଲଗାମ ନରସଂହାର ସହ ଏପରି ଗସ୍ତର କିଛି ଲିଙ୍କ ରହିଛି କି ନାହିଁ, ତା’ର ଛାନଭିନ କରାଯାଉଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଜ୍ୟୋତି ସମ୍ଭବତଃ ଏକା ନୁହନ୍ତି

ପୁଲିସ୍‌ କହିଛି ଯେ ପାକିସ୍ତାନୀ ଅଧିକାରୀଙ୍କ ଯୋଗାଯୋଗରେ ଥିବା ଏକାଧିକ ପ୍ରଭାବଶାଳୀ ଲୋକଙ୍କ ମଧ୍ୟରୁ ଜ୍ୟୋତି ଅନ୍ୟତମ। ଜ୍ୟୋତିଙ୍କୁ ଗିରଫ କରି ଅନ୍ୟମାନଙ୍କ ପାଖରେ ପୁଲିସ୍‌ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଜ୍ୟୋତି ଓ ପାକିସ୍ତାନ ଲିଙ୍କରେ ଥିବା କିଛି ୟୁଟ୍ୟୁବରଙ୍କ ପତ୍ତା ମିଳିଛି। ଓଡ଼ିଶା ପୁଲିସ୍‌ ମଧ୍ୟ ପୁରୀର ଜଣେ ୟୁଟ୍ୟୁବରଙ୍କ ଲିଙ୍କ ବିଷୟରେ ଖୋଳତାଡ଼ କରୁଛି। ଗତବର୍ଷ ଜ୍ୟୋତି ପୁରୀ ଗସ୍ତରେ ଥିବା ବେଳେ ପ୍ରିୟଙ୍କା ସେନାପତି ନାମକ ୟୁଟ୍ୟୁବର ତାଙ୍କୁ ଭେଟିଥିଲେ।

Jo 5ଜ୍ୟୋତି

ପୁରୀ ଏସ୍‌ପି ବୀନିତ ଅଗ୍ରୱାଲ କହିଛନ୍ତି, ଏବେ ସବୁ କିଛି ଯାଞ୍ଚ କରାଯାଉଛି। ଏହାପରେ ସବୁ ତଥ୍ୟ ଉପସ୍ଥାପନ କରାଯିବ। ଆମେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସିର ଯୋଗାଯୋଗରେ ରହିଛୁ। ଆମ ଠାରୁ ସେମାନେ ଚାହୁଁଥିବା ସବୁ ତଥ୍ୟ ଆମେ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ପୁରୀ ୟୁଟ୍ୟୁବର ପ୍ରିୟଙ୍କା ସେନାପତି କହିଛନ୍ତି, “ଜ୍ୟୋତି ମୋର ଜଣେ ବନ୍ଧୁ ଥିଲେ।

ୟୁଟ୍ୟୁବ ଜରିଆରେ ମୁଁ ତାଙ୍କ ଯୋଗାଯୋଗରେ ଆସିଥିଲି। ତାଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗ ସମ୍ପର୍କରେ ମୁଁ କିଛି ଜାଣି ନାହିଁ। ସେ ଶତ୍ରୁ ରାଷ୍ଟ୍ର ପାଇଁ ଗୁଇନ୍ଦାଗିରି କରୁଥିବା କଥା ମୁଁ କେବେ ହେଲେ ବି ତାଙ୍କ ସହ କୌଣସି ସମ୍ପର୍କ ରଖି ନଥାଆନ୍ତି।”

<!–

  • Share this article on

–>


telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।



Related Stories

SOURCE :- ODISHA REPORTER