Source :- ODIA PUA

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା- ବାସୁଦେବପୁର ରାସ୍ତାରେ କେତେକ ଅସାମାଜିକ ଯୁବକ ଆତଙ୍କରାଜ ଖେଳାଉଛନ୍ତି । ଦାଦାବଟି ନଦେଲେ ନିଜ ପତିଆରା ଦେଖାଇ ମାଡ ମାରିବା ପରି ଘଟଣା ପାରାପୋଖରୀ ଠାରେ ନିତିଦିନିଆ ଘଟଣା ହେବାକୁ ଲାଗିଲାଣି ବୋଲି ସ୍ଥାନୀୟ ଲୋକେ ଅସହାୟତା ପ୍ରକାଶ କରି ଜଣାଇଛନ୍ତି । ଅଭିଯୋଗ ମୁତାବକ, ଦୁଇଗୋଟି ଟ୍ରକ କଲିକତାରୁ ଧାମରା ଅଭିମୁଖେ ଆସୁଥିବା ସମୟରେ କଷିଆ ସାମୁଦ୍ରିକ ଥାନା ଅଧିନ ପାରାପୋଖରୀ ଛକ ଠାରେ ଟ୍ରକକୁ ଅଟକାଇ ଚାନ୍ଦା ମାଗିଥିଲେ । ଦୁଇଜଣ ଡ୍ରାଇଭର ଚାନ୍ଦା ଦେବାରେ ଅସମର୍ଥ ହୋଇଥିବା କାରଣରୁ ଦୁଇଜଣ ଡ୍ରାଇଭରଙ୍କୁ ମାଡ ମାରିବା ସହିତ ଗାଡି ଭାଙ୍ଗିଥିବାକୁ ନେଇ କଷିଆ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଅଭିଯୋଗ ପାଇବା ପରେ ପୋଲିସ ହାତବାନ୍ଧି ବସିବା କାରଣରୁ ଜନଅସନ୍ତୋଷ ଦେଖାଦେଇଥିଲା । ଯହାକୁ ନେଇ ଆଜି ପାରାପୋଖରୀ ଛକଠାରେ ସକାଳ ୯ ଟା ସମୟରେ ଟାୟାରଜାଳି ରାସ୍ତାରୋକ କରିଥିଲେ । ଖବରପାଇ ଆଡିସିନାଲ ଏସପି ଅଂଶୁମାନ ଦ୍ୱିବେଦୀ, ସଦର ଏସଡିପିଓ ବିଚିତ୍ରାନନ୍ଦ ସେଠୀ,ନାଇକାଣିଡିହ ଥାନାଧିକାରିଣୀ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିଥିଲେ । ଏହି ସମୟରେ ସ୍ଥାନୀୟଲୋକେ ମାମଲା ଋଜୁ କରିବା ସହିତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାନକୃଷ୍ନପୁର ପଂଚାୟତର କୈଳାସ ବେହେରାଙ୍କ ପୁଅ ଗୋବର୍ଦ୍ଧନ ବେହେରାଙ୍କୁ ଗିରଫ ଦାବୀ କରିଥିଲେ । ଯଥାଶିଘ୍ର ଗୋବର୍ଦ୍ଧନକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

SOURCE: ODIA PUA