Source :- ODIA PUA
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ଆଜି ଅପରାହ୍ଣ ସମୟରେ ଏକ ଯାତ୍ରୀ ବାହୀ ବୋଟ ଧକ୍କା ହୋଇ ବୁଡି ଯାଇଥିବା ବେଳେ ବୋଟରେ ଥିବା ୮ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୁଚନା ଅନୁଯାଇ ଭୁବନେଶ୍ୱର ରୁ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା କୁ ବୁଲିବାକୁ ଆସିଥିବା ୮ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ ଏକ ଯାତ୍ରୀବାହୀ ବୋଟ(ଅଭିରାମ) ଭିତର କନିକା ଆସିଥିଲା। ଧାମରାରେ ମକରମେଳା ଚାଲିଥିବା ବେଳେ ଏହି ଯାତ୍ରୀ ମାନେ ଭିତର କନିକା ରୁ ସେହି ବୋଟ ଯୋଗେ ଧାମରା ବୁଲିବାକୁ ଆସିଥିଲେ। ଧାମରାରେ ପହଂଚି ସଂପୃକ୍ତ ବୋଟଟି ପ୍ରକୃତରେ କେଉଁ ସ୍ଥାନରେ ଲଙ୍ଗର କରିବ ଜାଣି ପାରି ନଥିଲା। ଏହି ସମୟରେ ଏହି ଯାତ୍ରୀବାହୀ ବୋଟଟି ଅନ୍ୟ ଏକ ମାଛ ଧରା ଟ୍ରଲର କୁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ୮ଜଣ ଯାତ୍ରୀଙ୍କୁ ନେଇ ଆସିଥିବା ଅଭିରାମ ଯାତ୍ରୀ ବାହୀ ବୋଟଟି ଧାମରା ମତ୍ସ୍ୟପୋତାଶ୍ରୟରୁ ମାତ୍ର ୫୦ମିଟର ଦୂରରେ ବୁଡି ଯାଇଥିଲା। ଏହି ବୋଟରେ ଥିବା ୮ଜଣ ଯାତ୍ରୀ ଏବଂ ବୋଟର ଚାଳକ ଜୀବନ ବଂଚାଇବା ଆଶାରେ ପାଣିକୁ ଡେଇଁ ପଡିଥିଲେ। ସେହି ସ୍ଥାନରେ ଥିବା ଅନ୍ୟ ମାଛ ଧରା ଟ୍ରଲର ଷ୍ଟାଫ ମାନେ ଏହି ୮ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସଂପୃକ୍ତ ଯାତ୍ରୀ ବାହୀ ବୋଟର ଚାଳକକୁ ମଧ୍ୟ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ଯାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଛାଡି ଦିଆଯାଇଥିବା ବେଳେ, ଯାତ୍ରୀ ବାହୀ ବୋଟର ଚାଳକ ମଦ ପିଇ ନିଶାସକ୍ତ ଥିବା କଥା ଜଣା ପଡିବା ପରେ ସେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଅନ୍ୟ ପକ୍ଷରେ ସାଧାରଣ ଜନତାଙ୍କ କହିବାନୁଯାଇ ମକର ପର୍ବ ପାଇଁ ଧାମରା ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଜଳପଥରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ ଅସୁରକ୍ଷିତ ହୋଇ ପଡିଛି। ଧାମରା ମେରାଇନ ଥାନାରେ ନିୟୋଜିତ ଥିବା ଦ୍ରୁତଗାମୀ ବୋଟ ଠିକ ଭାବେ ନଦୀ କୂଳରେ ପଇଁତରା ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥାନ୍ତା ତା ହେଲେ ଏଭଳି ଅଘଟଣକୁ ରୋକା ଯାଇ ପାରିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
SOURCE: ODIA PUA