Source :- ODIA PUA
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୭ଦିନ ମଧ୍ୟରେ ଦୁଇ ଦୁଇଟି ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କର ଉଜାଡି ଦେଇଛି ବର୍ଷକର ଦାନା। ଆରଡି ସମେତ ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ୨୧ଖଣ୍ଡ ଗାଁର ଶତାଧିକ ଚାଷୀଙ୍କର ଅମଳ ହୋଇଥିବା ପାଚିଲାଧାନ ଏବେ କ୍ଷେତରେ ବାସୁଛି ତ ଖଳାରେ ଭିଜୁଛି। ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଚାଷୀଙ୍କୁ କଲବଲ କରିଛି। ପ୍ରଥମ ବର୍ଷାରେ ବତୁରା ଧାନକୁ କ୍ଷେତ ଓ ଖଳାରେ ସାଉଁଟୁଥିବା ବେଳେ ପୁର୍ନବାର ଅଦିନିଆ ବର୍ଷା ଦାଉ ସାଜିଲା। ଫଳରେ ଗତ ୭ଦିନ ହେବ କ୍ଷେତରେ ବର୍ଷାପାଣି ୬ଦ୭ଇଂଚି ଉଚ୍ଚରେ ଲହଡି ମାରୁଥିବାରୁ ଅମଳ ହୋଇଥିବା ଧାନ କଳେଇ ବୁଡି ଯାଇଥିବାରୁ ନଡା ପଚିବାକୁ ବସିଥିବା ବେଳେ ଧାନ ଗଜା ହେବାକୁ ଲାଗିଲାଣି। ଚାଷୀଙ୍କ କହିବା ଅନୁଯାୟୀ ଚାଷ ଆରମ୍ଭରୁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ବିଳମ୍ବ ପରେ ଧାନ ଥୋଡ ସମୟରେ ବାତ୍ୟା ଦାନା ପ୍ରଭାବିତ କରିଥିଲା। ଯାହାକିଛି ବାତ୍ୟା ଦାନାରୁ ବର୍ତି ଯାଇଥିଲା ସେତକ ଅଦିନିଆ ବର୍ଷା ଧୋଇନେବ। ସମବାୟ ବ୍ଯାଙ୍କ ଓ ଘରୋଇ ବ୍୍ୟାଙ୍କ ଋଣ କପରି ସୁଜିବେ ବର୍ଷ ସାରା ପରିବାର କିପରି ଚଳାଇବେ ଚାଷୀ ଏବେ ଭାଙ୍ଗି ପଡିଛନ୍ତି। ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବା ସହ ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଅମଳଧାନର ଅନୁଧ୍ୟାନ କରି ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି।
SOURCE: ODIA PUA