Source :- ODIA PUA

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ଥାନୀୟ ବିଧାୟକ ଗୁରୁତ୍ୱ ଦେଇଛନ୍ତି। ସହରର ମୁଖ୍ୟ ସମସ୍ୟା ମୁଖ୍ୟତଃ ୩ଟି ବୃହତ୍ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଗତକାଲି ବିଧାନସଭା ପରିସରରେ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ସଦସ୍ୟ ଜୟନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଧାନସଭା ଏଷ୍ଟିମେଟ୍ କମିଟି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥାପନା କରିଥିଲେ। ଶ୍ରୀ ମହାପାତ୍ରଙ୍କ ଉପସ୍ଥାପନା କରିଥିବା ପ୍ରକଳ୍ପଗୁଡିକ ମଧ୍ୟରେ ନୂତନ ରିଙ୍ଗ ରୋଡ ନିର୍ମାଣ, ମହତାବ ଛକରୁ ଶନି ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ତାହାର ପ୍ରଶସ୍ତିକରଣ, ଚରମ୍ପା ଷ୍ଟେସନ ରୋଡ ଓ ଚରମ୍ପା ରୁ ସାବରଙ୍ଗ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ, ବ୍ରିଟିଶ ଅମଳର ଐତିହାସିକ ରାଜଘାଟ ବ୍ରିଜକୁ ହେରିଟେଜ୍ ଷ୍ଟ୍ରକଚର ଭାବରେ ପୁନଃନବୀକରଣ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି। ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ ଓ ବିଭିନ୍ନ ବିଭାଗର ବରିଷ୍ଠ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଦୀର୍ଘଦିନରୁ ଭଦ୍ରକ ସହରରେ ମୁଖ୍ୟ ରାସ୍ତାଗୁଡିକର ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ରାସ୍ତା ପାଶ୍ୱର୍ସ୍ଥ ଉଠାଦୋକାନୀ, ଟ୍ରଲିରିକ୍ସା ଓ ଡ୍ରେନ୍ ଗୁଡିକ ଉପରେ ନିର୍ମାଣ କରାଯାଇଥିବା ବେଆଇନ୍ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ଭାଙ୍ଗିଦିଆଯାଇଥିଲା। ତେବେ ଉଚ୍ଛେଦ ପରେ ସହରର ରାସ୍ତାଗୁଡିକ ଦୀର୍ଘଦିନ ହେବ ପ୍ରଶସ୍ତିକରଣ ନହେବା ଯୋଗୁଁ ସହରବାସୀ ଯଥା ପୂର୍ବଂ ତଥା ପରଂ ଅବସ୍ଥା ଦେଇ ଗତି କରୁଛନ୍ତି। ଉଚ୍ଛେଦ ହୋଇଥିବା ସ୍ଥାନଗୁଡିକ ଉପରେ ପୁଣିଥରେ ରାସ୍ତାକୁ ମାଡିଆସି ଉଠାଦୋକାନୀ ମାନେ ସେମାନଙ୍କର ପସରା ମେଲାଇସାରିଲେଣି। ଫଳରେ ଟ୍ରାଫିକ୍ ସମସ୍ୟା ପୂର୍ବଠାରୁ ଜଟିଳ ହୋଇପଡିଛି। ତେବେ ସହରର ଏହି ସମସ୍ୟା ଗୁଡିକର ଉନ୍ନତି କ୍ଷେତ୍ରରେ ବିଧାୟକ ଏଷ୍ଟିମେଟ୍ କମିଟିର ବୈଠକରେ ଗୁରୁତ୍ୱ ଦେଇ ଏହାର ତ୍ୱରିତ୍ୱ କାର୍ଯ୍ୟକାରିତା ଦିଗରେ ପଦକ୍ଷେପ ନେବା ଘଟଣାକୁ ସହରବାସୀ ସ୍ୱାଗତ କରିଛନ୍ତି।

SOURCE: ODIA PUA