Source :- ODIA PUA
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମସ୍ୟା ଜର୍ଜରିତ ଭଦ୍ରକ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ କାର୍ଯ୍ୟାଳୟ (ଖାଉଟି ଅଦାଲତ)ର ସୁଧାର ଜନିତ କାର୍ଯ୍ୟାନୁଷ୍ଠାନର ତଦନ୍ତ ରିପୋର୍ଟ ୬ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିଶନର (ଏନଏଚଆରସି) ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି। ଏ ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଏବଂ ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଉତରକୁ ବିଚାର କରି ଏନଏଚଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଧିବକ୍ତା ଶ୍ରୀ ତ୍ରିପାଠୀ ଦାଖଲ କରିଥିବା ପିଟିସନ ମୂଳେ ଭଦ୍ରକ ଜିଲାର ବହୁ ଉପଭୋକ୍ତାଙ୍କ ମୌଳିକ ସୁବିଧାର ଶୁଣାଣି ପାଇଁ ପ୍ରତିଷ୍ଠା ହୋଇଥିବା ଜିଲା ଉପଭୋକ୍ତା ବିବାଦ ସମାଧାନ କାର୍ଯ୍ୟାଳୟଟି ଏବେ ସମସ୍ୟା ଜର୍ଜରିତ ଅବସ୍ଥାରେ ଗତି କରୁଛି। ବର୍ଷେ ନୁହେଁ କି ଅଧେ ନୁହେଁ ଦୀର୍ଘ ୧୮ ବର୍ଷ ଧରି ଏହି କାର୍ଯ୍ୟାଳୟଟି ସହରାଂଚଳ ଯୋଗାଣ ନିଗମ କାର୍ଯ୍ୟାଳୟରେ ଥିଲେ ମଧ୍ୟ ଏହାର ସ୍ୱତନ୍ତ୍ର ପାଚେରୀଟିଏ ନାହିଁ। ଫଳରେ ଯେ କେହି ଅବାଧରେ ଏହାମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ କରିପାରୁଛି। ଏହାର ସମ୍ମୁଖରେ ନିର୍ମିତ ବେଆଇନ୍ ମାର୍କେଟ୍ କମ୍ପେ୍ଲକ୍ସ ଯୋଗୁଁ ଏହା ସାଧାରଣରେ ଦୃଷ୍ଟିଗୋଚର ହେଉନାହିଁ। ଫଳରେ ଖାଉଟି ସଚେତନତା କ୍ଷେତ୍ରରେ ବାଧା ଉପୁଜିଛି। ଏହି କାର୍ଯ୍ୟାଳୟର ଉପର ମହଲାଟି ୨୦୦୭ ମସିହାରୁ ଅର୍ଦ୍ଧ୍ୱ ନିର୍ମିତ ଅବସ୍ଥାରେ ପଡିରହିଛି। ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ତ ବିଭାଗକୁ ଏ ସଂପର୍କରେ ବହୁବାର ପତ୍ର ଲେଖାଯାଇ ଅବଗତ କରାଯାଇଆସୁଥିଲେ ମଧ୍ୟ ଫଳ ଶୂନ ରହିଛି। ଅନୁରୂପ କାର୍ଯ୍ୟାଳୟଟିରେ ୨୪ ଘଂଟିଆ ବିଦ୍ୟୁତ୍ ସେବା ଉପଲବ୍ଧ ହେଉନଥିବାବେଳେ ବାତାନୁକୂଳ (ଏସି ଓ ଇନଭର୍ଟର)ସହ ଇଂଟରନେଟ୍ର ସୁବିଧା ନଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ପିଇବାର ସୁବନ୍ଦୋବସ୍ତ କରାଯାଇନାହିଁ। ଫଳରେ ଜିଲାର ୧୫ ଲକ୍ଷ ବାସିନ୍ଦା ଓ ନ୍ୟାୟ ଆଶାୟୀ ଗ୍ରାହକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ସେ ଦର୍ଶାଇଛନ୍ତି। ଏ ସଂପର୍କରେ ବହୁବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇପାରୁନାହିଁ। ତେବେ ଏନଏଚଆରସିଙ୍କ ନୋଟିସ୍ର ଜବାବରେ ଜିଲାପାଳ ଯେଉଁ ରିପୋର୍ଟ ଦାଖଲ କରିଛନ୍ତି, ତଦନୁଯାୟୀ ଓଡ଼ିଶା ସରକାର କେବଳ ଫର୍ଣ୍ଣିଚର ଏବଂ ସାମଗ୍ରୀ କ୍ରୟ ପାଇଁ ୧ ଲକ୍ଷ ୫୫ ହଜାର ଟଙ୍କା , କାର୍ଯ୍ୟାଳୟ ପରିସରରେ ୩ ଟି ଶୌଚାଳୟ ନିର୍ମାଣ ଏବଂ ଉନ୍ନତିକରଣ ପାଇଁ ୭୫ ହଜାର ଟଙ୍କା ମଂଜୁର କରିଛନ୍ତି। ଯାହାର ସଠିକ୍ ବ୍ୟବହାରର ପ୍ରମାଣପତ୍ର ଦାଖଲ କରାଯାଇଛି। ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟଟି ମଧ୍ୟ ଏ ସମସ୍ତ ସମସ୍ୟାର ସମାଧାନ କ୍ଷେତ୍ରରେ ଚୁପ୍ ହୋଇ ବସିଛି। ତେବେ ଏ ସମସ୍ତ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଅଧିବକ୍ତା ତଥା ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ କେଶ୍ ନଂ ୧୪୪୦/୧୮/୧୮/୨୦୨୪ ରୁଜୁ କରିବା ପରେ ସମସ୍ୟାର ସମାଧାନ କ୍ଷେତ୍ରରେ କ୍ଷେତ୍ରୀୟ ତଦନ୍ତ କରାଯାଇ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ସେ ସଂପର୍କରେ ୬ ସପ୍ତାହ ଅର୍ଥାତ୍ ଜୁନ୍ ୮ ତାରିଖ ମଧ୍ୟରେ ରିପୋର୍ଟ (ଏଟିଆର) ଦାଖଲ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।
SOURCE: ODIA PUA