Source :- ODIA PUA
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ଜୀବନକୁ ବଳିଦେଇ ଯେଉଁ ବୀର ଯବାନମାନେ ଦେଶ ମାତୃକାର ସେବାରେ ଜୀବନ ଉତ୍ସର୍ଗ କରିଥାନ୍ତି, ସେମାନେ ଏ ଦେଶ, ଜାତି ପାଇଁ ପ୍ରାତଃ ସ୍ମରଣୀୟ। ଏବେବି ଯେଉଁ ବୀର ଯୋଦ୍ଧାମାନେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଘନ ବନାନୀ, ପର୍ବତ ଶିଖର ଓ ହିମାଳୟ ଭଳି ପାଦଦେଶରେ ଗ୍ରୀଷ୍ମ, ବର୍ଷା ଓ ଶୀତକୁ ଖାତିର ନକରି ଅହରହ ସୀମା ସୁରକ୍ଷାରେ ନିୟୋଜିତ ଅଛନ୍ତି, ଆଜିର ଯୁବପିଢି ସେମାନଙ୍କ ତ୍ୟାଗ ଆଦର୍ଶକୁ ପାଥେୟ କରିବା ଉଚିତ୍ ବୋଲି ଆଜି ଭଦ୍ରକ ଜିଲା ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଅବସର ନେଇଥିବା ସୁବେଦାର ଗଣେଶ ପ୍ରସାଦ ନାୟକଙ୍କ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଦୀର୍ଘ ୩୦ ବର୍ଷ ଧରି ସେନା ବାହିନୀରେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ବୀରତ୍ୱ ସହକାରେ ଅବସର ନେଇଥିବା ଏହି ଜିଲାର ବାସୁଦେବପୁର ଅଧୀନସ୍ଥ ପଦ୍ମପୁର ଗ୍ରାମର ସୁବେଦାର ଗଣେଶ ପ୍ରସାଦ ନାୟକ ଗତ ୩୧ ତାରିଖ ଦିନ ଅବସର ନେଇଥିଲେ। ତାଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲା ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଆଜି ପୂର୍ବାହ୍ନରେ ସୈନିକ ସଂଘର ସଭାପତି ରୋହିତ ରାୟ, ସଂପାଦକ ଅଶୋକ ପାତ୍ର ଏବଂ ସେନାରେ ଯୋଗଦେଇ ପୂର୍ବରୁ ଅବସର ନେଇଥିବା ସୁବେଦାର ଶ୍ରୀ ନାୟକଙ୍କ ବଡଭାଇ ସୁରେଶ ନାୟକ ପ୍ରମୁଖ ଏକ ଖୋଲା ଜିପ୍ରେ ତାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ବାଗୁରାଇ ସ୍ଥିତ ସଂଘ କାର୍ଯ୍ୟାଳୟ ନିକଟକୁ ପାଛୋଟି ଆଣିଥିଲେ। ସେଠାରେ କର୍ମକର୍ତାମାନେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନାର ଉତରରେ ଶ୍ରୀ ନାୟକ ସଂଘ ଓ ସେନା ବାହିନୀର ଉଚ୍ଚ ପଦସ୍ଥ ଅଧିକାରୀମାନେ ତାଙ୍କ ଦୀର୍ଘ ୩୦ ବର୍ଷର କାର୍ଯ୍ୟକାଳ ପାଇଁ ଯେଉଁ ଶୁଭେଚ୍ଛା ଓ ଶ୍ରଦ୍ଧା ଜ୍ଞାପନ କରିଛନ୍ତି, ତାହାକୁ ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମନେ ରଖିବେ ବୋଲି କହିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶରତ ବେହେରା, ମନୋଜ ଭୂଇଁ, ପ୍ରଶାନ୍ତ ପଣ୍ଡା, ସୁଶାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ।
SOURCE: ODIA PUA