Source :- ODIA PUA
ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଦିନିଆ ବର୍ଷା ଜନିତ ଧାନ ଓ ସମସ୍ତ କୃଷି ଫସଲ କ୍ଷତିର ତୁରନ୍ତ କ୍ଷତିପୂରଣ ମିଳିବା, ଫସଲ ଜନିତ କ୍ଷତି ଓ କୃଷି ଋଣ ସୁଝି ନପାରି ଆତ୍ମହତ୍ୟା କରୁଥିବା ଚାଷୀ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ପ୍ରତ୍ୟେକ ଋଣଗ୍ରସ୍ତ ଚାଷୀ ର କୃଷି ଋଣ ଓ ସମସ୍ତ ମହାଜନୀ ଋଣ ଛାଡ କରିବା, ସମସ୍ତ କୃଷିଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ ଆଇନ ସଂସଦରେ ପ୍ରଣୟନ କରିବା,ଭଦ୍ରକ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ସରକାରୀ ଧାନ ମଣ୍ଡି ଖୋଲିବା, ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ସମୟରେ କଟଣି ଛଟଣି ବଂଦ କରିବା, ସମସ୍ତ ଭାଗଚାଷୀ ମାନଙ୍କ ଠାରୁ ପ୍ରତ୍ୟେକ୍ଷ ଧାନ କିଣିବା ଆଦି ଦାବି କରି ଓ ଡବଲ୍ ଇଞ୍ଜିନ୍ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମୋର୍ଚ୍ଚା ପକ୍ଷରୁ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ସଂଯୁକ୍ତ କୃଷକ ମୋର୍ଚ୍ଚାର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ଓଡିଶା କୃଷକ ସଭା ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ, ଚାଷୀ ମୂଲିଆ ସଂଘ ଜିଲ୍ଲା ସଭାପତି ସୁଶାନ୍ତ ଜେନା, ବୀମା କର୍ମଚାରୀ ନେତା ନବକିଶୋର ବେହେରା, ଚାଷୀ ନେତା ମହେଶ୍ୱର ନାୟକ, ବିମଲ ସାହା, ଦେବେନ୍ଦ୍ର ନାୟକ, ବିଜୟ ସାହା, ମିର ଆଜମେର ଅଲ୍ଲୀ, ସେକ୍ ସତାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
SOURCE: ODIA PUA