Source :- ODISHARE REPORTER NEWS

ଦେବେନ୍ଦ୍ର ପୃଷ୍ଟି

ମଇ, ୨୦୨୩। ଇନ୍‌ଷ୍ଟାଗ୍ରାମରେ ଓଡ଼ିଶାର ଜଣେ ଆଇଏଏସ ଅଫିସରଙ୍କର ଗୋଟିଏ ଭିଡିଓ ଅପ୍‌ଲୋଡ଼୍‌ ହେଲା। ଭିଡ଼ିଓରେ ଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଭୈରବ କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌। ସେ ଜଣେ ଭିଡିଓ ସାମ୍ବାଦିକଙ୍କୁ ଓଡ଼ିଆରେ କହୁଛନ୍ତି, ‘ଏହା ହେଉଛି ସାର୍‌ଙ୍କର ଦିଲ୍ଲୀ ଘର। ଆମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଗତକାଲିଠାରୁ ଆସିଛୁ।’

ଏହା ପରେ ସେ କ୍ୟାମେରାମ୍ୟାନ୍‌ଙ୍କୁ ନବୀନଙ୍କ ଘର ଭିତରକୁ ନେଇ ଯାଉଛନ୍ତି। କାନ୍ଥରେ ଟଙ୍ଗା ଯାଇଥିବା ଜଗନ୍ନାଥଙ୍କ ମହାପ୍ରସାଦର ଏକ ଫଟୋ ଦେଖାଉଛନ୍ତି। ତା’ ପରେ ବୈଠକଖାନାରେ ପହଞ୍ଚୁଛନ୍ତି। ସେଠାରେ ନବୀନ ପଟ୍ଟନାୟକ ବସିଥାନ୍ତି। ପାଣ୍ଡିଆନ ଏଥର ଓଡ଼ିଆ ଛାଡ଼ି ଇଂରାଜୀରେ ନବୀନବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ନେଇ ପ୍ରଶ୍ନ କଲେ।

<!–

  • 17 March 2022

–>

ଏଇ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ ଲୋଡ଼୍‌ ହେବା ପରଠାରୁ ଓଡ଼ିଶା ରାଜନୀତିର ବିଭିନ୍ନ କୋଣରେ ଆଲୋଚନା ଆରମ୍ଭ ହୋଇଗଲା ଯେ ପାଣ୍ଡିଆନ ବୋଧହୁଏ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ଏ ସଂକେତ ଅବଶ୍ୟ ଅନ୍ୟ ଦୁଇଟି ଫଟୋରୁ ମଧ୍ୟ ମିଳିଥିଲା। ସେତେବେଳେ ନବୀନ ନିବାସର ନିରାପତ୍ତା ବଳୟ ଓ ପାଣ୍ଡିଆନଙ୍କ ଆଜ୍ଞାଧୀନ ଅମଲାଙ୍କ ବ୍ୟୁହ ଭେଦକରି ‘ମାଛି’ଟେ ବି ନବୀନଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। ହଠାତ ଦିନେ ଗୋଟେ ଫଟୋ ପଦାକୁ ଆସିଲା। ଫଟୋରେ ନବୀନ ପଟ୍ଟନାୟକ ନବୀନ ନିବାସର ଗୋଟିଏ ସ୍ଥାନରେ ଚୌକିରେ ବସିଛନ୍ତି, ତାଙ୍କ ପଛରେ ଟି ସାର୍ଟ ପିନ୍ଧି ଠିଆ ହୋଇଛନ୍ତି ଭିକେ ପାଣ୍ଡିଆନ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ

ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଓ ଅନ୍ୟ କୌଣସି ଅଫିସର ହୋଇଥିଲେ ସେହି ଦିନ ହିଁ ପାଣ୍ଡିଆନଙ୍କର ଚାକିରି ଯାଇଥାନ୍ତା, ଅତି କମ୍‌ରେ ବଦଳି ଆଦେଶ ବାହାରିଥାନ୍ତା। କାରଣ ତାହା ଥିଲା ପ୍ରୋଟୋକଲ୍‌ର ଉଲ୍ଲଙ୍ଘନ। ଜଣେ ସାଧାରଣ ବ୍ୟକ୍ତିଗତ ସଚିବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଟି ସାର୍ଟ ପିନ୍ଧି ଠିଆ ହେବା ଆଦୌ ଶୋଭନୀୟ ନୁହେଁ। ସେଥିପାଇଁ ତାଙ୍କୁ ସିଏମଓରୁ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ବଦଳି କରାଯିବା କଥା। ମାତ୍ର, ସେପରି କିଛି ହେଲା ନାହିଁ। ବରଂ ପରକୁ ପର ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ‘କିଛି ଅଛି କି’ ଭଳି ପ୍ରଶ୍ନ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ ଛକ ଯାଏଁ ଅନେକ ଖଟିରେ ଚର୍ଚ୍ଚା ହେଲା।

ସେହି ୨୦୨୩ ମଇ ମାସରେ ନବୀନ ନିବାସରୁ ପଦାକୁ ଛଡ଼ାଯାଇଥିବା ଆଉ ଗୋଟିଏ ଫଟୋରେ ନବୀନ ନିବାସ ଭିତରେ ଗୋଟିଏ ଡାଇନିଂ ଟେବ୍‌ଲରେ ଖାଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌। ଏହା ମଧ୍ୟ ପ୍ରୋଟୋକଲ୍‌ର ଉଲ୍ଲଙ୍ଘନ। ଏଭଳି ଫଟୋ ଓ ଭିଡ଼ିଓ ଜରିଆରେ ପାଣ୍ଡିଆନ୍‌ବାବୁ ଓଡ଼ିଶାବାସୀଙ୍କୁ ଜଣେଇଦେବାକୁ ଚାହୁଁଥିଲେ ଯେ ସେ ହିଁ ନବୀନବାବୁଙ୍କର ଖାସ୍‌ ଲୋକ। ନବୀନବାବୁ ପ୍ରୋଟୋକଲ୍‌ କ’ଣ ଜାଣନ୍ତୁ ନଜାଣନ୍ତୁ, ତାଙ୍କ ବିନା ସମର୍ଥନରେ ପାଣ୍ଡିଆନବାବୁ ଏତେ ବାଟ ଉଠିପାରି ନଥାନ୍ତେ।

Nitish and Naveenନୀତୀଶ କୁମାରଙ୍କ ସହିତ ଭୋଜନ କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ

ଅକ୍ଟୋବର ୨୦୨୩ ବେଳକୁ ଜାତୀୟ ରାଜଧାନୀ ତଥା ନବୀନ ପଟ୍ଟନାୟକଙ୍କ ଅଧା ଜୀବନର ସହର ନୂଆଦିଲ୍ଲୀରେ ମଧ୍ୟ ଏନେଇ ଖବର ଖେଳି ବୁଲିଲାଣି। ସେହି ମାସ ୨୩ ତାରିଖ ସୋମବାର ଦିନ କେନ୍ଦ୍ର ସରକାର ଭିକେ ପାଣ୍ଡିଆନଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କଲେ। ସେଥିପାଇଁ ସେ ମାତ୍ର ଦୁଇ ଦିନ ପୂର୍ବରୁ ଆବେଦନ କରିଥିଲେ। ମଝିରେ ଛୁଟି ଦିନ ଥିଲା। ଅର୍ଥାତ କେନ୍ଦ୍ର ସରକାର ଏହି ଆବେଦନ ମଞ୍ଜୁର କରିବାକୁ ଯେମିତି ଅନେଇ ବସିଥିଲେ।

ସେ ଯାହା ହେଉ, ଏହାର ଠିକ ଦିନ କରେ ଅକ୍ଟୋବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟାରେ ୫-ଟି ପରିକଳ୍ପନାର ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ। ଏହା ପରେ ସ୍ପଷ୍ଟ ହୋଇଗଲା ଯେ ପାଣ୍ଡିଆନ୍‌ ହିଁ ନବୀନଙ୍କ ଉତ୍ତରାଧିକାରୀ ହେବେ। କାରଣ ଏହି ବିଭାଗ ବିହୀନ, ସମ୍ବିଧାନ ବହିର୍ଭୂତ କ୍ଷମତା କେନ୍ଦ୍ରର ଅଧ୍ୟକ୍ଷ ଭାବେ ସେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ କରିବାର ଥିଲା। କହିବା ବାହୁଲ୍ୟ ସେତେବେଳକୁ ପାଣ୍ଡିଆନ ହିଁ ଥିଲେ ପଟ୍ଟନାୟକଙ୍କର ଚଳନ୍ତି ପ୍ରତିମା, ତେଣୁ କିଏ କାହାକୁ ରିପୋର୍ଟ କରୁଥିଲେ, ଆଉ ଏବେ କରୁଛନ୍ତି ତାହା ଓଡ଼ିଶାର ରାଜନୀତି ସଚେତନ ପ୍ରାୟ ସମସ୍ତେ ବୁଝି ସାରିଥିଲେ।

ନବୀନବାବୁଙ୍କ ରାଜନୀତିକ ଦାୟାଦ

ଅକ୍ଟୋବର ଶେଷ ଆଡ଼କୁ ଦେଶର ଅନ୍ୟତମ ବହୁ ପଠିତ ୱେବ ପୋର୍ଟାଲ ଇଣ୍ଡିଆଟୁଡେ.ଇନ୍‌ରେ ଗୋଟିଏ ଖବର ପ୍ରକାଶ ପାଇଲା, ଯାହାର ଶୀର୍ଷକ ଥିଲା, ‘ଉଇଲ୍‌ ଏ ତାମିଲ୍‌ ବାବୁ ଇନ୍‌ହେରିଟ୍‌ ନବୀନ ବାବୁ’ସ ଓଡ଼ିଶା?’ ଏହାର କେଇ ଦିନ ପରେ ୨୦୨୩ ନଭେମ୍ବର ୪ ତାରିଖରେ ଦକ୍ଷିଣରୁ ପ୍ରକାଶିତ ଦୱିକ୍‌.ଇନ୍‌ରେ ମଧ୍ୟ ଗୋଟିଏ ରିପୋର୍ଟ ଆସିଲା, ‘ଓଡ଼ିଶା: ୱିଲ୍‌ ଭିକେ ପାଣ୍ଡିଆନ୍‌ ବି ନବୀନ ପଟ୍ଟନାୟକ’ସ ପଲିଟିକାଲ୍‌ ହୈର୍‌?’ ଜାତୀୟ ସ୍ତରରେ ଏ ଦୁଇଟି ଖବର କେବଳ ନୁହେଁ, ଏହି ସମୟରେ ଦକ୍ଷିଣରେ ପ୍ରକାଶ ପାଉଥିବା ଅନେକ ତାମିଲ ଓ ମାଲୟଲାମ ୱେବ୍‌ ଓ ପତ୍ରିକାରେ ମଧ୍ୟ ପାଣ୍ଡିଆନ୍‌ଙ୍କ ଉତ୍ତରଣ ନେଇ ଅନେକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ଓଡ଼ିଶାର ଅନେକ ଲାଜୁଆ ଓ ଡରକୁଳା ଗଣମାଧ୍ୟମରେ ମଧ୍ୟ କିଛିକିଛି କଥା ପ୍ରକାଶ ପାଇଲା।

୨୦୨୩ ଅକ୍ଟୋବର ଶେଷ ଆଡ଼କୁ ଜାତୀୟ ସ୍ତରରେ ନବୀନବାବୁଙ୍କ ଉତ୍ତରାଧିକାରୀ ଭାବେ ପାଣ୍ଡିଆନଙ୍କ ନାଁ ଚର୍ଚ୍ଚା ହେବାର ମାସକ ପୂର୍ବରୁ ସେପ୍ଟେମ୍ବର ମାସରେ ଦଳର ଉପସଭାପତି ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତାଙ୍କର ଦୋଷ ଥିଲା ଯେ ସେ ଦଳରେ ପାଣ୍ଡିଆନଙ୍କର ସାର୍ବଭୌମ କ୍ଷମତାକୁ ନାପସନ୍ଦ କରିଥିଲେ। ସେଯାଏଁ ପାଣ୍ଡିଆନ୍‌ ଜଣେ ସରକାରୀ କର୍ମଚାରୀ ଥିଲେ। ଏହା ସତ୍ତ୍ୱେ ସେ ରାଜନେତାଙ୍କ ଭଳି ଆଚରଣ ପ୍ରଦର୍ଶନ କରିବା ଓ ନବୀନବାବୁଙ୍କ ବିଜୁ ଜନତା ଦଳର ସର୍ବମୟ କର୍ତ୍ତା ହେବା ସମ୍ବିଧାନ, ଆଇନ ଓ ଗଣତାନ୍ତ୍ରିକ ସ୍ୱଚ୍ଛତା ଦୃଷ୍ଟିରୁ ଆଦୌ ସମୀଚୀନ ନଥିଲା। ସେତେବେଳେ ବିଧିବିଧାନ ଦୃଷ୍ଟିରୁ ବିଜୁ ଜନତା ଦଳରେ ପାଣ୍ଡିଆନ କିଛି ନଥିଲେ। ତାଙ୍କର ସରକାରୀ ପଦବୀ ଥିଲା, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ଅଥଚ ସମ୍ବାଦରେ ସଂପାଦକ ଭାବେ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କର ସ୍ତମ୍ଭ ଆମ ଘରର ହାଲ୍‌ଚାଲ୍‌ରେ ପ୍ରକାଶ କରିଥିବା ମତ ପାଇଁ ତାଙ୍କୁ ଦଳ ବାହାରର ରାସ୍ତା ଦେଖାଇ ଦିଆଗଲା। ତାଙ୍କ ବିରୋଧରେ ଆର୍ଥିକ ଅପରାଧ ମାମଲା ରୁଜୁ ହେଲା। ତାଙ୍କୁ ଗିରଫ କରାଯିବ ବୋଲି କଥା ଉଠିଲା। ତାଙ୍କ ଗଣମାଧ୍ୟମ ସଂସ୍ଥାରେ ତାଲା ପକାଯିବ ବୋଲି ପ୍ରଚାର ହେଲା। ଏଥିରେ ସେ ଡରିଯାଇ ସଂପାଦକ ଓ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ।

ଏହା ପରଠାରୁ ଆଉ କେହି ସନ୍ଦେହ କରି ନଥିଲେ ଯେ ନବୀନ ପଟ୍ଟନାୟକଙ୍କ ବିଜେଡିର ପ୍ରକୃତ ନେତା ବା ମାଲିକ ନୁହନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌। ୨୦୨୪ ମେ ୧୩ ତାରିଖରୁ ଜୁନ୍‌ ପହିଲା ମଧ୍ୟରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲା। ଭୋଟଦାନ ଆରମ୍ଭ ହେବାର ମାତ୍ର କେଇ ଦିନ ଆଗରୁ ମେ ପ୍ରଥମ ସପ୍ତାହରେ ଦକ୍ଷିଣରୁ ପ୍ରକାଶିତ ଦ ହିନ୍ଦୁ ଓ ଖବର ସରବରାହ ସଂସ୍ଥା ଏଏନ୍‌ଆଇର ପାଣ୍ଡିଆନ୍‌ଙ୍କର ସାକ୍ଷାତକାର ପ୍ରକାଶ ପାଇଲା। ସେଥିରେ ସେ ନିଜକୁ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କଲେ। ସେହି ସାକ୍ଷାତକାରରେ ସେ କହିଥିଲେ, ‘ମୁଁ ହେଉଛି ନବୀନ ପଟ୍ଟନାୟକଙ୍କ ସମସ୍ତ ମୂଲ୍ୟବୋଧର ପ୍ରାକୃତିକ ଉତ୍ତରାଧିକାରୀ।’ ତାଙ୍କର ଏହି ପ୍ରକାଶ୍ୟ ଘୋଷଣାକୁ ସେତେବେଳେ ନବୀନ ପଟ୍ଟନାୟକ ଖଣ୍ଡନ କରି ନଥିଲେ।

କିନ୍ତୁ ନିର୍ବାଚନ ଅଧାଅଧିକୁ ଯେତେବେଳେ ଜଣାପଡ଼ିଗଲାଣି ଯେ ଓଡ଼ିଆ ଲୋକେ ପାଣ୍ଡିଆନ୍‌ଙ୍କୁ ନବୀନବାବୁଙ୍କ ଉତ୍ତରାଧିକାରୀ ଭାବେ ପସନ୍ଦ କରନ୍ତି ନାହିଁ, ତେଣୁ ସେମାନେ ବିଜେଡି ଆଡ଼ୁ ମୁହଁ ଫେରାଇ ବିଜେପିକୁ ସମର୍ଥନ କଲେଣି, ୨୦୨୪ ଜୁନ୍‌ ୭ ତାରିଖ ଦିନ ନବୀନବାବୁ ତାଙ୍କ ଉତ୍ତରାଧିକାରୀ ନେଇ ଗୋଟିଏ ସ୍ପଷ୍ଟୀକରଣ ଦେଲେ, ‘ଭିକେ ପାଣ୍ଡିଆନ୍‌ ମୋର ଉତ୍ତରାଧିକାରୀ ନୁହନ୍ତି।’ ହେଲେ ସେତେବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହି ସାରିଥିଲା। ପାଣ୍ଡିଆନଙ୍କ ନେତୃତ୍ୱରେ ନବୀନବାବୁ ଓ ବିଜେଡିର ୨୪ ବର୍ଷର ଶାସନର ଅନ୍ତ ହେବାର ଘୋଷଣା କେବଳ ବାକିଥିଲା।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦଳରେ ବିଦ୍ରୋହ ପରିସ୍ଥିତି ସୃଷ୍ଟି ହେଲା। ପାଣ୍ଡିଆନଙ୍କ ଯୋଗୁଁ ଦଳ ହାରିଲା ବୋଲି ଅଧିକାଂଶ ନେତା ଖୋଲାଖୋଲି କହି ବୁଲିଲେ। ଅନେକ ନେତା ତାଙ୍କ ବିରୋଧରେ ନବୀନବାବୁଙ୍କ ପାଖରେ ଫେରାଦ ହେଲେ। କିନ୍ତୁ ନବୀନବାବୁଙ୍କ ପ୍ରତିକ୍ରିୟା ହେଲା, ସେ ବହୁତ ଦକ୍ଷ, ବହୁତ ଭଲ କାମ କରିଛନ୍ତି। ଏଥିରୁ ନବୀନବାବୁ ଯେ ନିଜେ ପାଣ୍ଡିଆନଙ୍କୁ ତାଙ୍କର ଉତ୍ତରାଧିକାରୀ ବାଛିଛନ୍ତି, ଏଥିରେ ଆଉ କୌଣସି ସନ୍ଦେହ ରହିବା କଥା ନୁହେଁ। ପୁଣି ପାଣ୍ଡିଆନବାବୁ ଏବେ ବି ନବୀନ ନିବାସରୁ ଦଳ ପରିଚାଳନା କରିବା, ଦଳର ଅନେକ ନେତାଙ୍କୁ ଭେଟିବା, ସେମାନଙ୍କ ଜରିଆରେ ଦଳର ବିଭିନ୍ନ ସଂଗଠନକୁ ନିୟନ୍ତ୍ରଣ କରିବା ଆଦି କାର୍ଯ୍ୟ ଜାରି ରଖିଛନ୍ତି। ମଝିରେ ଅଳ୍ପ କିଛି ଦିନ ପାଇଁ ସେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ଏବେ ପୁଣି ନବୀନବାବୁଙ୍କ ପରି ‘ସନ୍ନ୍ୟାସୀ’ର ନିବାସରେ ସଂପୂର୍ଣ୍ଣ ଗୃହକର୍ତ୍ତା।

କେମିତି ଚଢ଼ିଲେ ଏତେ ପାହାଚ?

ଏତେ ବାଟ ଆସିବା ପାଇଁ ଭିକେ ପାଣ୍ଡିଆନଙ୍କୁ ଓଡ଼ିଶାର ଅନେକ ମେଣ୍ଢାମୁଣ୍ଡିଆ ସ୍ୱାର୍ଥପର ନେତା ଓ କେତେ ଜଣ ଅଣଓଡ଼ିଆ ଅମଲା ସୁଯୋଗ ଓ ପରିସ୍ଥିତି ସୃଷ୍ଟି କରିଛନ୍ତି। ପାଣ୍ଡିଆନ ପରିସ୍ଥିତିରୁ ଫାଇଦା ନେଇଛନ୍ତି, ସୁଯୋଗର ସଦବ୍ୟବହାର କରିଛନ୍ତି। ଏହା ଯେକୌଣସି ଚତୁର ଲୋକ କରେ, ସେ କରିଛନ୍ତି। ୨୦୦୦ ବ୍ୟାଚ୍‌ର ଏହି ଆଇଏଏସ ଅଫିସର ନିଜ ସାଥୀ ଓଡ଼ିଶା କ୍ୟାଡରର ସୁଜାତା ରାଉତଙ୍କୁ ବିବାହ କରିବା ପରେ ପଞ୍ଜାବ କ୍ୟାଡରରୁ ଓଡ଼ିଶା କ୍ୟାଡରକୁ ବଦଳି ହୋଇ ଆସିଥିଲେ। ପଞ୍ଜାବ ହେଉଛି ନବୀନ ପଟ୍ଟନାୟକଙ୍କ ମାମୁଁ ଘର। ଏଠିକି ଆସିବା ପରେ ସେ ୨୦୦୨ ମସିହାରେ କଳାହାଣ୍ଡିର ଜିଲ୍ଲାପାଳ ହେଲେ। ପରେ ପରେ ମୟୂରଭଞ୍ଜ ଏବଂ ତା’ପରେ ଗଞ୍ଜାମର ଜିଲ୍ଲାପାଳ ହେଲେ। ଗଞ୍ଜାମ ହେଉଛି ନବୀନବାବୁଙ୍କ ପୂର୍ବପୁରୁଷଙ୍କ ଭିଟାମାଟି। ସେ ବି ପ୍ରଥମେ ଆସ୍କାରୁ ଲୋକସଭାକୁ ଜିତିଥିଲେ। ୨୦୦୦ ମସିହାରୁ ଏଯାବତ ସେ ହିଞ୍ଜିଳିର ବିଧାୟକ। ପାଣ୍ଡିଆନ୍‌ ଗଞ୍ଜାମ ଜିଲ୍ଲାପାଳ ଭାବେ ନବୀନବାବୁଙ୍କ ପାଇଁ ହିଞ୍ଜିଳି କଥା ବି ବୁଝୁଥିଲେ। ସେହି କାର୍ଯ୍ୟ ସେ ଏତେ ବିଶ୍ୱସ୍ତ ଭାବେ ତୁଲାଇଥିଲେ ଯେ ୨୦୧୧ ମସିହାରେ ନବୀନ ତାଙ୍କୁ ନିଜର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କଲେ। ସେତେବେଳ ଯାଏଁ ନବୀନବାବୁଙ୍କ ମୁଣ୍ଡ ଭାବେ କାମ କରୁଥିବା ପ୍ୟାରୀ ମୋହନ ମହାପାତ୍ର ଏହାକୁ ବିରୋଧ କରି କିଛି ଦିନ ଟାଳି ଦେଲେ। ମାତ୍ର, ସେ ବ୍ୟକ୍ତିଗତ କାମରେ ଆମେରିକା ଯାଇଥିଲାବେଳେ ଭିକେ ପାଣ୍ଡିଆନ କାର୍ଯ୍ୟରେ ଯୋଗଦେଲେ ଓ ତା’ ପରର କଥା ଇତିହାସ।

ପାଣ୍ଡିଆନବାବୁ ୨୦୨୪ ଅକ୍ଟୋବର ଯାଏଁ ମୋଟରେ ୧୩ ବର୍ଷ ଧରି ନବୀନବାବୁଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରିଥିଲେ। ଏହି ସମୟ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ସଂପର୍କ ଓ ଯୋଗାଯୋଗ ରଖିଥିବା ଅନେକ ନେତାଙ୍କୁ ବିଭିନ୍ନ କୌଶଳରେ ଦଳରୁ ବହିଷ୍କାର କରାଯାଇଛି। ୨୦୧୪ ସେପ୍ଟେମ୍ବର ମାସରେ ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। କାରଣ ଥିଲା ଏକ ପତ୍ରିକାରେ ପ୍ରକାଶିତ ତାଙ୍କର ଏକ ସାକ୍ଷାତକାର। ସେଥିରେ ସେ କହିଥିଲେ ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଏକ ଆଶ୍ଚର୍ଯ୍ୟ।

୨୦୧୮ ଜାନୁଆରୀ ମାସରେ ନବୀନଙ୍କ ଏକଦା ଅତ୍ୟନ୍ତ ଘନିଷ୍ଟ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ବାହାର କରାଗଲା। ସେ ନବୀନବାବୁଙ୍କ ସହିତ ସିଧାସଳଖ ଯୋଗାଯୋଗରେ ଥିବାରୁ ତାହା ହୁଏତ ପାଣ୍ଡିଆନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲା। ସେହିପରି ପ୍ୟାରୀମୋହନ ମହାପାତ୍ରଙ୍କ ସମୟରେ ତାଙ୍କର ଅଖଣ୍ଡ କ୍ଷମତାକୁ ବିରୋଧ କରି ବହୁବାର ମନ୍ତ୍ରୀପଦ ହରାଇଥିବା ଦାମବାବୁଙ୍କୁ ୨୦୧୮ ସେପ୍ଟେମ୍ବର ମାସରେ ଦଳରୁ ତଡ଼ି ଦିଆଗଲା। କାରଣ ସେ ଏକ ସରକାରୀ ବିଭାଗରେ ହୋଇଥିବା ଏକ ବହୁ କୋଟି ଟଙ୍କାର ଦୁର୍ନୀତି ବିରୋଧରେ ଅଭିଯୋଗ କରିଥିଲେ।

ଏହି ସମୟ ମଧ୍ୟରେ ସୂର୍ଯ୍ୟ ପାତ୍ର, ବିଜୟଶ୍ରୀ ରାଉତରାୟ, ଅନଙ୍ଗ ଉଦୟ ସିଂହଦେଓଙ୍କ ପରି ଅନ୍ୟ ବହୁ ବରିଷ୍ଠ ନେତାଙ୍କୁ ବିଭିନ୍ନ କୌଶଳରେ ନିଷ୍କ୍ରିୟ କରିଦିଆଗଲା। ଶେଷରେ ୨୦୨୪ ନିର୍ବାଚନର କେଇ ମାସ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଦଳରୁ ତଡ଼ି ଦିଆଗଲା। ଅଭିଯୋଗ ଥିଲା ଯେ ସେ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିଛନ୍ତି। ଏହି ମାମଲା ବେପ୍ରମାଣିତ ହୋଇସାରିଛି।

ପୂର୍ବରୁ ପ୍ୟାରୀବାବୁ ବିଜୟ ମହାପାତ୍ର, ନଳିନୀ ମହାନ୍ତି, କମଳା ଦାସ ପ୍ରମୁଖ ବହୁ ବରିଷ୍ଠ ନେତାଙ୍କ ଦଳ ବାହାରକୁ ପଠାଇ ଦେଇଥିଲେ। ପାଣ୍ଡିଆନବାବୁ ମଧ୍ୟ ବାକି ବରିଷ୍ଠଙ୍କୁ ବହିଷ୍କାର କଲେ। ପ୍ୟାରୀ ବିଜେଡିର ସର୍ବେସର୍ବା ଥିଲାବେଳେ ସେ ଥିଲେ ମୁଣ୍ଡ, ଦାମ ଥିଲେ ତୁଣ୍ଡ। ପାଣ୍ଡିଆନ ନବୀନଙ୍କ ମୁଣ୍ଡ ହେଲା ପରେ ହଜାରେ ତୁଣ୍ଡ ରଖିଲେ ସିନା ଗୋଟିଏ ମୁଣ୍ଡରେ କାମ କଲେ। ନବୀନବାବୁ ତାଙ୍କରି ଉପରେ ଭରସା କରି ନାମ କେ ବାସ୍ତେ ମୁଖ୍ୟମନ୍ତ୍ରୀ ରହିଲେ। ଏବେ ସେ ନାମ କେ ବାସ୍ତେ ବିଜେଡି ସଭାପତି। ଦଳ ତାଙ୍କ ଘରୁ ଚାଲୁଛି, କିନ୍ତୁ ଚଳଉଛନ୍ତି ପାଣ୍ଡିଆନ।

ନବୀନ ନିବାସର ଦାୟାଦ କିଏ?

ତେବେ, ଭୈରବ ପାଣ୍ଡିଆନ୍‌ ବାବୁ ନବୀନ ପଟ୍ଟନାୟକ ବାବୁଙ୍କର କେବଳ ରାଜନୀତିକ ଉତ୍ତରାଧିକାରୀ ନା ସଂପତ୍ତିର ବି? ଏ ନେଇ ଗଲା କେଇ ବର୍ଷ ଧରି ଅନେକ ଗୁଜବ ଚଳି ଆସିଛି। ବିଶେଷ କରି ୨୦୧୯ ନିର୍ବାଚନ ପରଠାରୁ ପାଣ୍ଡିଆନଙ୍କୁ ‘ଓଡ଼ିଶାର ଜ୍ୱାଇଁ’ ଭାବେ କେତେକ ମହଲରେ ଚିତ୍ରିତ କରାଯାଉଥିବାବେଳେ ଆଉ କେତେକ ନବୀନବାବୁଙ୍କ ପୋଷ୍ୟପୁତ୍ର ଭାବେ ମଧ୍ୟ ଆଖ୍ୟାୟିତ କରାଯାଇଛି। ଏମିତିରେ ପାଣ୍ଡିଆନବାବୁ ଜଣେ ଓଡ଼ିଆ ଭାଷୀ ସୁଜାତା ରାଉତଙ୍କୁ ବିବାହ କରିଛନ୍ତି। ସେ ତାଙ୍କର ବ୍ୟାଚ୍‌ ମେଟ୍‌। ସୁଜାତାଙ୍କ ମୂଳ ଘର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ତେବେ ତାଙ୍କ ପରିବାର ବହୁ ବର୍ଷ ତଳୁ ଜାମସେଦପୁରରେ ରହିଯାଇଛନ୍ତି। ସେଇଠାରେ ସୁଜାତା ପାଠ ପଢ଼ିଛନ୍ତି। ତାଙ୍କ ଆଇଏଏସ୍‌ ପାଇବାର ଠିକଣା ମଧ୍ୟ ଝାଡ଼ଖଣ୍ଡ। ତେବେ, ପାଣ୍ଡିଆନ୍‌ ନବୀନବାବୁଙ୍କ ପୋଷ୍ୟପୁତ୍ର ନେଇ କିମ୍ବା ସୁଜାତା ନବୀନବାବୁଙ୍କ ପୋଷ୍ୟକନ୍ୟା ନେଇ କୌଣସି ପ୍ରମାଣ ଏଯାଏଁ ଆମର ହସ୍ତଗତ ହୋଇନାହିଁ। ଏହା କେବଳ ରାଜନୀତିକ ସ୍ତରରେ ଘୂରି ବୁଲୁଥିବା ଏକ ଚର୍ଚ୍ଚା।

୨୦୧୯ ନିର୍ବାଚନ ପରଠାରୁ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟରେ ବହୁ ପରିବର୍ତ୍ତନ ଦେଖା ଦେଇଛି। ସେ ଅସୁସ୍ଥ ବୋଲି ଅନେକ ବାର୍ତ୍ତା ନବୀନ ନିବାସ ବାହାରକୁ ଯାଇଛି, ଗଣତନ୍ତ୍ର ଓ ଅମଲାତନ୍ତ୍ରକୁ ମଧ୍ୟ ସେହି ଅନୁସାରେ ଆଡ୍‌ଜଷ୍ଟ କରାଯାଇଛି ବା ଖାପ୍‌ ଖୁଆଇ ନିଆଯାଇଛି। କରୋନା କାଳଠାରୁ ସେ ବିଧାନସଭା ଓ ସଚିବାଳୟକୁ ପ୍ରାୟ ଯାଇ ନାହାନ୍ତି। କେତେବେଳେ କେମିତି ଯାହା ଯାଇଛନ୍ତି ତାହା କେବଳ ବ୍ୟତିକ୍ରମ। ନବୀନ ନିବାସ ଭିତରେ ସେ କାନ୍ଥ ଧରି ଚାଲୁଥିବାର ଭିଡିଓ ବି ବାହାରକୁ ଛଡ଼ାଯାଇଛି। ଏସବୁ ନବୀନ ଓ ପାଣ୍ଡିଆନଙ୍କ ଜାଣତରେ ହିଁ ହୋଇଥିବ। ବିଶେଷକରି ପାଣ୍ଡିଆନ୍‌ଙ୍କ ବିନା ଅନୁମତିରେ ଏପରି ଭିଡିଓ ଉଠି ନଥିବ କି ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇ ନଥିବ। ଏପରି କରିବା ପଛରେ ଗୋଟିଏ ଉଦ୍ଦେଶ୍ୟ ଥାଇପାରେ। ତାହା ହେଉଛି ନବୀନବାବୁଙ୍କ ଅସୁସ୍ଥ ଦର୍ଶାଇ ତାଙ୍କୁ ଘରେ ବସାଇ ରଖି ପାଣ୍ଡିଆନ ଦଳର ନେତୃତ୍ୱ ନେବା। ତାହା ହିଁ ହୋଇଥିଲା। ଦଳୀୟ କର୍ମୀଙ୍କୁ ବୁଝାଇ ଦିଆଗଲା ଯେ ନବୀନବାବୁ ଅସୁସ୍ଥ। ଦଳ ଓ ସରକାର ପାଇଁ ପାଣ୍ଡିଆନ୍‌ ପ୍ରଚୁର ପରିଶ୍ରମ କରୁଛନ୍ତି। ସେ ଓ ସୁଜାତା ନବୀନବାବୁଙ୍କର ଯଥେଷ୍ଟ ସେବା କରିଛନ୍ତି। ତାଙ୍କ ଗୁହମୁତ ବି ସଫା କରିଛନ୍ତି। ଏମିତି ଅନେକ କଥା ଶୁଣାଯାଏ। ତାଙ୍କୁ ଏବେ ୭୮ ବର୍ଷ। ତାଙ୍କର ଜନ୍ମ ତାରିଖ ୧୬ ଅକ୍ଟୋବର ୧୯୪୬ ମସିହା।

ନବୀନବାବୁ ସଭାରେ ବସି ପାଣ୍ଡିଆନଙ୍କୁ ଉଡ଼ନ୍ତା ଚୁମ୍ବନ ଦେବା, ଆଖି ମାରିବା, ବିଜୁବାବୁଙ୍କ ଫଟୋରେ ମାଲ୍ୟାର୍ପଣ କରିବାକୁ ଯାଇଁ ଅଜବ ଭଙ୍ଗୀ କରିବା ଆଦି ଅନେକ ଭାଇରାଲ ଭିଡିଓରୁ ତାଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ନଥିବା ଅନେକେ ଅନୁମାନ କରୁଥିଲେ। ଯଦି ସତରେ ତାଙ୍କର ସେପରି ହୋଇଥିଲା ତେବେ ସେହି ସମୟରେ ତାଙ୍କ ସେବା ଶୁଶ୍ରୁଷାରେ ଲାଗିଥିବା କେହି କୌଣସି କାଗଜରେ ତାଙ୍କର ଟିପ ଚିହ୍ନ ବା ଦସ୍ତଖତ ରଖିନେବା ଆଦୌ ଅସମ୍ଭବ ନୁହେଁ। ଯାଜପୁର ଜିଲ୍ଲାର ଏପରି କୁଖ୍ୟାତି ଓଡ଼ିଶା ବ୍ୟାପୀ। ଅବଶ୍ୟ ଯାଜପୁରରେ ସେଭଳି ଲୋକ ଆଉ ନାହାନ୍ତି। ସେଠି ସମସ୍ତେ ଚାଲାକ ହୋଇଥିବାରୁ ଆଉ କେହି କାହାର ଟିପ ଚିହ୍ନ ବା ଦସ୍ତଖତ ନେଇ ଜମି ହଡ଼ପ କରିବା କଷ୍ଟକର।

ଏପରି ବେଇମାନୀ କେହି ନକରିଥିଲେ ବି ନବୀନବାବୁ ନିଜ ଆଡ଼ୁ କାହାକୁ ପୋଷ୍ୟପୁତ୍ର ବା ପୋଷ୍ୟକନ୍ୟା କରିବା ଆଦୌ ଅବୈଧ ନୁହେଁ। ସେ ଅବିବାହିତ ରହିଛନ୍ତି। କାହାକୁ ପୋଷ୍ୟପୁତ୍ର କି ପୋଷ୍ୟକନ୍ୟା କରିଥିବା କଥା କେବେ ଘୋଷଣା କରିନାହାନ୍ତି। ତାଙ୍କ ଅନ୍ତେ ତାଙ୍କ ସଂପତ୍ତିର କ’ଣ ହେବ ସେନେଇ କୌଣସି ଇଚ୍ଛାପତ୍ର କରିଛନ୍ତି କି ନାହିଁ ତାହା ଜଣାନାହିଁ, କରିଥିଲେ ବି ତାହା ଘୋଷଣା କରିନାହାନ୍ତି। ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପିଲାମାନେ କେହି ହେଲେ ଆସି ନବୀନ ନିବାସରେ ରହୁ ନାହାନ୍ତି। ବରଂ କେଇ ମାସ ତଳେ ଓଡ଼ିଶା ଆସିଥିଲାବେଳେ ତାଙ୍କ ଝିଅ ଗାୟତ୍ରୀ ପଟ୍ଟନାୟକ ହୋଟେଲରେ ରହିଥିଲେ। ନବୀନ ନିବାସର ଦୁଇ ତୃତୀୟାଂଶର ମାଲିକ ହେଲେ ନବୀନ ପଟ୍ଟନାୟକ, ଏକ ତୃତୀୟାଂଶର ମାଲିକ ଥିଲେ ତାଙ୍କ ବଡ଼ ଭଉଣୀ ସ୍ୱର୍ଗତ ଗୀତା ମେହେଟ୍ଟା। ତାଙ୍କ ଅନ୍ତେ ସେହି ସତ୍ତ୍ୱ ତାଙ୍କ ସନ୍ତାନଙ୍କୁ ଯାଇଥିବ। ମାତ୍ର, ନବୀନବାବୁଙ୍କ ଅଂଶର ଉତ୍ତରାଧିକାରୀ କିଏ ତାହା ଏଯାଏଁ ଜଣାପଡ଼ିନାହିଁ। ଓଡ଼ିଶା ଓ ଜାତୀୟ ରାଜନୀତିର ଅନେକ ଘଟଣାର ମୂକସାକ୍ଷୀ ନବୀନ ନିବାସ। ଓଡ଼ିଶା ରାଜନୀତିର ଛଅ ଦଶନ୍ଧିର ଇତିହାସ ଧରି ରଖିଛି ଏହି ନିବାସ। ନବୀନଙ୍କ ପରେ ତାହାର ମାଲିକ କିଏ ହେବେ ତାହା ଏବେ ଏକ ବିରାଟ ପ୍ରଶ୍ନ।

ଠିକ ସେହିପରି ନବୀନବାବୁଙ୍କ ନାମରେ ଦିଲ୍ଲୀ ନିକଟରେ ପ୍ରାୟ ୨୩ ଏକରର ଏକ ଫାର୍ମ ହାଉସ୍‌ ଥିଲା। ୨୦୧୯ ନିର୍ବାଚନଠାରୁ ତାହା ଆଉ ତାଙ୍କ ନିର୍ବାଚନୀ ସତ୍ୟପାଠରେ ନାହିଁ। ତାହାକୁ ସେ ୧୦ କୋଟି ଟଙ୍କାରେ ବିକ୍ରି କରି ଦେଇଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ନବୀନବାବୁଙ୍କର ଏମିତି କି ଦରକାର ଥିଲା ଯେ ସେ ତାହାକୁ ବିକିଦେଲେ? ଏହାର ଉତ୍ତର କେହି ଦେଇପାରୁ ନାହାନ୍ତି। ସେହି ସଂପତ୍ତିର ମୂଲ୍ୟ ୧୦୦ କୋଟି ଟଙ୍କା ଉପରେ ହେବ।

<!–

  • Share this article on

–>


telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।



Related Stories

SOURCE :- ODISHA REPORTER