Source :- ODIA PUA
ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ପୋଲିସ ପକ୍ଷରୁ ଗୋରୁ ଚାଲାଣ ଅଭିଯୋଗରେ ଏକ ଜାଇଲୋ ଗାଡ଼ି ଉପରେ ଚଢ଼ାଉ କରାଯାଇ ଗାଡ଼ି ସହ ଗୋଟିଏ ଗୋରୁକୁ ଜବତ କରାଯାଇଛି। ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଥିବାବେଳେ ପୋଲିସ ତାହାର ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ଦୋବଲ ପଟରୁ ଧାମନଗର ଅଭିମୁଖେ ଓଆର-୦୯ପି-୬୭୨୯ ନମ୍ବର ବିଶିଷ୍ଟ ଏକ ଜାଇଲୋ ଗାଡ଼ିରେ ଅବୈଧ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା। ଖବର ପାଇ ପୋଲିସ ତୁରନ୍ତ ଚଡ଼ାଉ କରିଥିଲା। ପୋଲିସକୁ ଦେଖି ଗାଡ଼ି ଚାଳକ ଥାନା ନିକଟ ମୁଲଣା ସାହି ଗ୍ରାମ ଭିତରକୁ ଗାଡ଼ି ନେଇ ପଳାଇବାକୁ ଉଦ୍ୟମ କରିଥିଲା। ତେବେ ପୋଲିସ ପିଛା କରିବାରୁ ସେବାଶ୍ରମ ନିକଟରେ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ପରେ ପୋଲିସ ଗାଡ଼ି ଯାଂଚ କରିବାବେଳେ ଭିତରୁ ଗୋଟିଏ ଗୋରୁ ଉଦ୍ଧାର କରିଥିଲା। ଗାଡ଼ିକୁ ଜବତ କରାଯାଇ ଥାନାକୁ ଅଣାଯାଇଥିବା ବେଳେ ଫେରାର ଚାଳକଙ୍କ ସନ୍ଧାନରେ ପୋଲିସ ତଦନ୍ତ ଚାଲୁ ରଖିଛି। ଏହି ଚଢ଼ାଉ ଧାମନଗର ଥାନା ଅଧିକାରୀ ସୁବ୍ରଜିତ ଦାସଙ୍କ ନେତୃତ୍ୱରେ କରାଯାଇଥିବା ଜଣାଯାଇଛି।
SOURCE: ODIA PUA







