Source :- ODIA PUA
ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯେଉଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆଜି ଦେଶ ସ୍ୱାଧୀନ, ସେହି ବୀର ସନ୍ତାନଙ୍କୁ ସ୍ଥାନୀୟ ପ୍ରଶାସନ ଏବଂ ରାଜନୈତିକ ନେତାମାନେ କିଭଳି ଅସମ୍ମାନ କରିପାରନ୍ତି, ତାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚଂଚଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଶିଳାନ୍ୟାସ ଉତ୍ସବ ଅବସରରେ ଜଣେ ପ୍ରତିଷ୍ଠିତ ବୃଦ୍ଧ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ ଅତିଥି ଭାବେ ଡାକି ମଂଚ ତଳେ ଅପମାନିତ କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତନ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭିଡିଓ ୨୦୪ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କ୍ରମରେ ଧାମନଗର ବ୍ଲକର ବୟାଙ୍ଗଡିହି ଉତ୍କଳମଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହି ଆଦର୍ଶ ବିଦ୍ୟାଳୟ ଭାବେ ଘୋଷଣା କରାଯାଇ ସ୍ଥାନୀୟ ସ୍ତରରେ ଏକ ଶିଳାନ୍ୟାସ ଉତ୍ସବର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିଠି ସଂଖ୍ୟା ୬୭ ଜରିଆରେ ସ୍ଥାନୀୟ ଅଂଚଳର ଗର୍ବ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କୁ ନିମନ୍ତ୍ରଣ କରିଥିଲେ। ସରକାରୀ ଆହ୍ୱାନକୁ ସମ୍ମାନ ଜଣାଇ ସଂଗ୍ରାମୀ ବ୍ରଜକିଶୋର ନିର୍ଦ୍ଧାରିତ ସମୟରେ ସଭାସ୍ଥଳରେ ପହଂଚିଥିଲେ। ମାତ୍ର ସେତେବେଳକୁ ମଂଚ ଉପରେ ବିଇଓ ପ୍ରଫୁଲ୍ଲ ସାହୁ, ଏବିଇଓ ସତ୍ୟସୁନ୍ଦର ପରିଡ଼ା, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପାତ୍ର, ସମାଜସେବୀ ସୁବ୍ରତ ସାମଲ ଏବଂ ସ୍ଥାନୀୟ ସରପଂଚଙ୍କ ପରିବାର ଲୋକେ ଆସନ ଗ୍ରହଣ କରି ସାରିଥିଲେ। ଆଶ୍ଚର୍ଯ୍ୟର ବିଷୟ, ସଭାସ୍ଥଳରେ ପହଂଚିଥିବା ଅତିଥି ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋରଙ୍କ ପାଇଁ ମଂଚରେ କୌଣସି ଆସନ ଖାଲି ନଥିଲା କି କେହି ଜଣେ ହେଲେ ସରକାରୀ ବା ରାଜନୈତିକ ବ୍ୟକ୍ତି ତାଙ୍କୁ ସମ୍ମାନର ସହ ମଂଚକୁ ଡାକିବା ଉଚିତ୍ ମଣିନଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଜାତୀୟ ସଙ୍ଗୀତ ଏବଂ ରାଜ୍ୟ ସଙ୍ଗୀତ ଗାନ କରାଯାଇଥିଲା। ଦେଶାତ୍ମବୋଧର ଭାବନାରେ ଉଦ୍ବୁଦ୍ଧ ସଂଗ୍ରାମୀ ବ୍ରଜକିଶୋର ଜଣେ ସାଧାରଣ ଲୋକଙ୍କ ଭଳି ମଂଚ ତଳେ ଛିଡ଼ାହୋଇ ସଙ୍ଗୀତ ଗାନ କରିଥିଲେ, କିନ୍ତୁ ଅଭିମାନୀ ମଂଚାସୀନ ବ୍ୟକ୍ତିବିଶେଷଙ୍କ ଆଖି ତାଙ୍କ ଉପରେ ପଡ଼ିନଥିଲା। ଏହି ସମ୍ବେଦନଶୀଳ ଦୃଶ୍ୟକୁ ସେଠାରେ ଉପସ୍ଥିତ ଜଣେ ସ୍ଥାନୀୟ ସାମ୍ବାଦିକ ନିଜ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ସଭାସ୍ଥଳରେ ହଟଚମଟ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଏବଂ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଚେତା ଫେରିଥିଲା ପ୍ରଶାସନର। ମଂଚରେ ଥିବା ବ୍ୟକ୍ତିମାନେ ତରବରିଆ ଭାବେ ତାଙ୍କୁ ମଂଚକୁ ଡାକିବାକୁ ଚେଷ୍ଟା କରିଥିଲେ, ମାତ୍ର ସେଠାରେ ମଧ୍ୟ ଅଜ୍ଞତାର ସୀମା ପାର୍ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କୁ ମଂଚରୁ ଡାକିବା ବେଳେ “ସ୍ୱାଧୀନତା ସଂଗ୍ରାମୀ ଗଣେଶ୍ୱର ରାଉତ ମଂଚକୁ ଆସନ୍ତୁ” ବୋଲି ଭୁଲ୍ ନାଁରେ ସମ୍ବୋଧନ କରାଯାଇଥିଲା, ଯାହା ସେମାନଙ୍କର ସଂଗ୍ରାମୀଙ୍କ ପ୍ରତି ଥିବା ଆନ୍ତରିକତା ଓ ସମ୍ମାନବୋଧର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି। ବୟାଙ୍ଗଡିହି ଗାଁର ବ୍ରଜକିଶୋର ରାଉତ ଜଣେ ନାମୀ ସ୍ୱାଧୀନତା ସଂଗ୍ରାମୀ। ଗତ ୨୦୨୦ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ‘ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନା’ରେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ପକ୍ଷରୁ ତତ୍କାଳୀନ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ଓ ବିଡିଓ ଦୁର୍ଗାଚରଣ ମୁର୍ମୁ ନିଜେ ବ୍ରଜକିଶୋରଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସମ୍ମାନିତ କରିଥିଲେ। ଗାଁରେ ଏଭଳି ଜଣେ ମହାନ ବ୍ୟକ୍ତିତ୍ୱ ଅଛନ୍ତି ବୋଲି ଜାଣି ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିଠି ଲେଖିଲେ ସତ, ମାତ୍ର ସଭାସ୍ଥଳରେ ତାଙ୍କୁ ଉପଯୁକ୍ତ ପ୍ରୋଟୋକଲ୍ ଓ ସମ୍ମାନ ଦେବାକୁ ଭୁଲିଗଲେ। ନେତା ଓ ସରକାରୀ ବାବୁମାନଙ୍କର ଏଭଳି ବେଖାତିର ମନୋଭାବକୁ ଧାମନଗର ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
SOURCE: ODIA PUA







