Source :- ODIA PUA
ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଶ୍ରାବଣ ମାସର ଶେଷ ସୋମବାରରେ ବନ୍ତ ବ୍ଲକର ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଭିଡ ପରିଲକ୍ଷିତ ହୋଇଥିଲା । ପାନପଦୀ ଛକରେ ଥିବା ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିରରେ ପଣ୍ଡିତ ଉଦୟ କର, ବାଞ୍ଛାନିଧି ପରିଡା ପ୍ରମୁଖ କପାଳୀ ନଦୀର ଘାଟରୁ ପାଣି ଭାର ଧରି ଆସିଥିବା କାଉଡିଆଙ୍କ ଜଳ ଲାଗି କରିଥିଲେ । ପାନପଦୀ, ସିଲନ୍ଦୀ, ଗଭରପୁର, ଜିରିଣା, ବରଗଡିଆ ଆଦି ଅଚଂଳରୁ ଭକ୍ତ ମାନେ ଏଠାକୁ ଆସିଥିବା ବେଳେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଶିବପ୍ରସାଦ ପରିଡା, ଶିବ ନାରାୟଣ ବିଶ୍ୱାଳ, ଉପେନ୍ଦ୍ର ବାରିକ, ଧନେଶ୍ୱର ବେହେରା ପ୍ରମୁଖ ଧାଡି ଦର୍ଶନର ବ୍ୟବସ୍ଥା କରିଥିଲେ । ସେହିପରି ଏହି ବ୍ଲକର ପ୍ରସିଦ୍ଧ ଶୈବ ପୀଠ ପ୍ରତାପ ସିନ୍ଧୁକେଶ୍ୱରଙ୍କ ମନ୍ଦିରରେ ହଜାରେ ସଂଖ୍ୟାରେ କାଉଡିଆ ଜଳ ଲାଗି କରିଥିଲେ । ସାଳନ୍ଦୀ ନଦୀର ବିଭିନ୍ନ ଘାଟରୁ ପାଣି ଉଠାଇବା ପରେ ବୋଲବମ୍ ଧ୍ୱନିରେ ମନ୍ଦିରରେ ପହଂଚିବା ପରେ ପଣ୍ଡିତ ଶରତ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା ପୂର୍ବକ ମହାଦେବଙ୍କ ମସ୍ତକରେ ଜଳଲାଗି କରିଥିଲେ ।
SOURCE: ODIA PUA




