Home national news oriya ତାମ୍ପଳା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି

ତାମ୍ପଳା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି

5
0

Source :- ODIA PUA

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଚୁଡ଼ାକୁଟି ପଂଚାୟତ ଅନ୍ତର୍ଗତ ତାମ୍ପଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଅନିୟମିତତା ଅଭିଯୋଗ ଉଠିଛି। ବୁଧବାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇନଥିବା ସତ୍ୱେ ୨୯ ଜଣ ଛାତ୍ରଛାତ୍ରୀଙ୍କ ନାଁରେ ଭୋଜନ ହୋଇଥିବା ଦର୍ଶାଇ ଫଟୋ ପଠାଯାଇଥିବା ଅଭିଯୋଗକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି। ବୁଧବାର ୨୯ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇନଥିଲା। ଏହା ସତ୍ୱେ ୨୯ ଜଣଙ୍କ ନାଁରେ ମଧ୍ୟାହ୍ନ ଭୋଜନ ହୋଇଥିବା ଦର୍ଶାଇ ଫଟୋ ପଠାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଧାନଶିକ୍ଷୟିତ୍ରୀଙ୍କ କହିବାନୁଯାୟୀ, ଗ୍ରାମରେ ଏକ ଏକାଦଶାହ ଭୋଜି ଥିବାରୁ ପିଲାମାନଙ୍କୁ ସେଠାରେ ଭୋଜନ କରିବାକୁ କୁହାଯାଇଥିଲା। ତେଣୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଇନଥିଲା। ତେବେ ରୋଷେଇ ନହୋଇଥିବା ସତ୍ୱେ ୨୯ ଜଣଙ୍କ ନାଁରେ ଭୋଜନ ହୋଇଥିବା ଦର୍ଶାଇ ଫଟୋ କିପରି ପଠାଗଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ, ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏବିଓ ସତ୍ୟସୁନ୍ଦର ପରିଡ଼ାଙ୍କ ଭୂମିକାକୁ ନେଇ ମଧ୍ୟ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ରୋଷେଇ ନହୋଇ ଭୋଜନ ହୋଇଥିବା ଦର୍ଶାଇ ଫଟୋ ପଠାଯିବା ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ନହୋଇଥିଲେ ଏହାର ହିସାବ କିପରି ହେଉଛି, ତାହା ମଧ୍ୟ ଯାଂଚ କରିବା ଆବଶ୍ୟକ ବୋଲି ଅଭିଭାବକମାନେ କହିଛନ୍ତି। ତେବେ ଅଭିଯୋଗର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ୧୯୬୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଏଭଳି ଅଭିଯୋଗକୁ ନେଇ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି। ଘଟଣାର ତଦନ୍ତ କରାଯାଇ ମଧ୍ୟାହ୍ନ ଭୋଜନ ରୋଷେଇ ନହୋଇଥିବା ସତ୍ୱେ ଫଟୋ କିପରି ପଠାଗଲା, ତାହାର ତଥ୍ୟ ଲୋକଲୋଚନକୁ ଆଣିବା ସହ ଅନିୟମିତତା ନେଇ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।

SOURCE: ODIA PUA