Home national news oriya ଭଦ୍ରକରେ ୨୮ତମ ବିଶ୍ୱ ନଡ଼ିଆ ଦିବସ ପାଳିତ

ଭଦ୍ରକରେ ୨୮ତମ ବିଶ୍ୱ ନଡ଼ିଆ ଦିବସ ପାଳିତ

4
0

Source :- ODIA PUA

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ନଡ଼ିଆ ଉନ୍ନୟନ ବୋର୍ଡ, ଓଡ଼ିଶା ପକ୍ଷରୁ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗ ସହଯୋଗରେ ଭଦ୍ରକସ୍ଥିତ ନରେନ୍ଦ୍ର ରୟାଲ୍‌ଠାରେ ୨୮ତମ ବିଶ୍ୱ ନଡ଼ିଆ ଦିବସ ପାଳିତ ହୋଇଯାଇଛି। ଆନ୍ତର୍ଜାତୀୟ ନଡ଼ିଆ ସମୁଦାୟ ର ପ୍ରତିଷ୍ଠା ଦିବସକୁ ସ୍ମରଣ କରି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଏ। ବର୍ତମାନ ଆଇସିସିରେ ୨୧ଟି ନଡ଼ିଆ ଉତ୍ପାଦନକାରୀ ଦେଶ ସଦସ୍ୟ ଭାବେ ରହିଛନ୍ତି। ନଡ଼ିଆ ଚାଷୀ, ପ୍ରକ୍ରିୟାକରଣକାରୀ, ରପ୍ତାନିକାରୀ, ଗବେଷକ ଓ ନଡ଼ିଆ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ହିତାଧିକାରୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ନଡ଼ିଆ ଦିବସର ବିଷୟବସ୍ତୁ ରହିଛି “ଅନିଶ୍ଚିତତା ସମୟରେ ନଡ଼ିଆ ଖାଦ୍ୟ, ଶକ୍ତି ଓ ଜୀବିକାର ସୁରକ୍ଷା”। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓୟୁଏଟିର ଗବେଷଣା ଡିନ୍ ଡଃ ନିରଞ୍ଜନ ପଣ୍ଡା, ଆଇସିଏଆର ଆଇଆଇଏଚଆର ସିଏଚଇଏସ ପ୍ରଧାନ ବୈଜ୍ଞାନିକ ତଥା ମୁଖ୍ୟ ଡଃ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, କେଭିକେ ଭଦ୍ରକର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ସଞ୍ଜୟ କୁମାର ମହାନ୍ତି, ଓୟୁଏଟି-ରାଣୀତାଲ, ଭଦ୍ରକର ଆସୋସିଏଟ୍ ଡାଇରେକ୍ଟର ଅଫ୍ ରିସର୍ଚ୍ଚ ଡଃ ବିଶ୍ୱରଞ୍ଜନ ନାୟକ, ଓୟୁଏଆଇଟି ର ଓଆଇସି ଏଆଇସିଆରପି ଡଃ ଅଜିତ କୁମାର ସାହୁ ଏବଂ ଭଦ୍ରକର ଏଡିଏଚ ହୃଦୟ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଚାଷୀ, ବିଭାଗୀୟ ଅଧିକାରୀ, ବୈଜ୍ଞାନିକ ଓ ନଡ଼ିଆ ଚାଷ ସହ ଜଡ଼ିତ ବିଭିନ୍ନ ହିତାଧିକାରୀଙ୍କ ସମେତ ୧୪୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ନଡ଼ିଆ ଉନ୍ନୟନ ବୋର୍ଡ, ଓଡ଼ିଶାର ଉପନିର୍ଦ୍ଦେଶକ ଶ୍ରୀ ଶଶିକୁମାର ସି. ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍‌ଘାଟନୀ ଅଭିଭାଷଣରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ନଡ଼ିଆ ଚାଷର ଗୁରୁତ୍ୱ ଏବଂ ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ନଡ଼ିଆ ଚାଷ କରି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ସହ ଜାତୀୟ ସ୍ତରର ଉତ୍ପାଦନକୁ ହାସଲ କରିବା ଦିଗରେ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହ ନଡ଼ିଆରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ମୂଲ୍ୟଯୋଗ ଓ ପ୍ରକ୍ରିୟାକରଣ ସମ୍ପର୍କରେ ତାଲିମ ନେବା ସହ ଭଦ୍ରକ ଜିଲ୍ଲାରେ ଛୋଟ ଛୋଟ ନଡ଼ିଆଭିତିକ ଶିଳ୍ପ ସ୍ଥାପନ କରିବାକୁ ଚାଷୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ। ଭଦ୍ରକରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଜିଲ୍ଲାପାଳ ନଡ଼ିଆ ଉନ୍ନୟନ ବୋର୍ଡକୁ ଅଭିନନ୍ଦନ ଜଣାଇବା ସହ ଭଦ୍ରକ ଜିଲ୍ଲାରେ ବୋର୍ଡ ପକ୍ଷରୁ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟାନ୍ୱୟନକୁ ପ୍ରଶଂସା କରିଥିଲେ। ଭଦ୍ରକ ଏକ ଉପକୂଳବର୍ତୀ ଜିଲ୍ଲା ହୋଇଥିବାରୁ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ନଡ଼ିଆ ଗଛର କ୍ଷୟକ୍ଷତି କମାଇବା ପାଇଁ ଉପଯୁକ୍ତ ଓ ସହନଶୀଳ କିସମର ନଡ଼ିଆ ଚାରା ଚୟନ କରି ରୋପଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ଜିଲ୍ଲାପାଳ ଆୟୋଜକ ନଡ଼ିଆ ଉନ୍ନୟନ ବୋର୍ଡ ଏବଂ ରାଜ୍ୟ ଉଦ୍ୟାନ କୃଷି ବିଭାଗକୁ ଏଭଳି ଏକ ସୁନ୍ଦର ଓ ଉପଯୋଗୀ କାର୍ଯ୍ୟକ୍ରମ ଭଦ୍ରକରେ ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ଚାଷୀମାନେ ବରିଷ୍ଠ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ଦ୍ୱାରା ଆୟୋଜିତ ବୈଷୟିକ ଅଧିବେଶନରେ ଯୋଗଦେଇ ନଡ଼ିଆ ଚାଷ ସମ୍ପର୍କିତ ଜ୍ଞାନ ଆହରଣ କରିବା ସହ ନିଜର ସନ୍ଦେହ ଦୂର କରିବାକୁ ସେ ଆହ୍ୱାନ ଦେଇଥିଲେ।

SOURCE: ODIA PUA