Home national news oriya ଜମି ବିବାଦକୁ କେନ୍ଦ୍ର କରି ଉତେଜନା, ଥାନାରେ ଅଭିଯୋଗ ପରେ ମଧ୍ୟ ମିଳୁନି ନ୍ୟାୟ, ନିରାପତା...

ଜମି ବିବାଦକୁ କେନ୍ଦ୍ର କରି ଉତେଜନା, ଥାନାରେ ଅଭିଯୋଗ ପରେ ମଧ୍ୟ ମିଳୁନି ନ୍ୟାୟ, ନିରାପତା ନେଇ ପରିବାର ଚିନ୍ତିତ

3
0

Source :- ODIA PUA

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିକୁ କେନ୍ଦ୍ର କରି ଏକ ପରିବାର ଓ ଅନ୍ୟପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବିବାଦକୁ ନେଇ ଉତେଜନା ଦେଖାଦେଇଛି। ରାସ୍ତା ନିର୍ମାଣ ପାଇଁ ତାଙ୍କ ଜମି ଉପରେ ଜବରଦସ୍ତି ରାସ୍ତା ନେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି ବରାଙ୍ଗ ଅଂଚଳର ଶକୁନ୍ତଳା ପଲେଇ । ଏହାକୁ ବିରୋଧ କରିବାରୁ ତାଙ୍କ ପରିବାର ଉପରେ ମାଡ଼ମାରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଶକୁନ୍ତଳା ଙ୍କ କହିବା ଅନୁସାରେ, ଘଟଣାକୁ ନେଇ ପ୍ରାୟ ଏକ ବର୍ଷ ହେବ ସେ ଆଇନର ଆଶ୍ରୟ ନେଇଛନ୍ତି। ମାମଲା ଏବେ ମଧ୍ୟ କୋର୍ଟରେ ବିଚାରାଧୀନ ଥିବା ସେ କହିଛନ୍ତି। ଏହା ସତ୍ୱେ ମଧ୍ୟ ତାଙ୍କ ପରିବାରକୁ ହଇରାଣ କରାଯାଉଥିବା ଏବଂ ଧମକ ଦିଆଯାଉଥିବା ନେଇ ସେ ଅଭିଯୋଗ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଘଟଣାକୁ ନେଇ ସେ ସାବରଙ୍ଗ ଥାନାରେ ଯାଇ ଅଭିଯୋଗ କରିଥିଲେ। ପରଦିନ ସକାଳେ ଅଭିଯୋଗ ଦିଆଯାଇଥିବା ଖବର ପାଇ କିଛି ବ୍ୟକ୍ତି ତାଙ୍କ ଘରକୁ ଆସି ପରିବାର ସଦସ୍ୟଙ୍କ ସହ ଗଣ୍ଡଗୋଳ କରିଥିବା ସେ କହିଛନ୍ତି। ଶକୁନ୍ତଳା ଙ୍କ ଅଭିଯୋଗ ହେଉଛି, ଘଟଣା ସମୟରେ ତାଙ୍କୁ ଧକ୍କା ମାରିବା ସହ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନିଆଯାଇଥିଲା। ଏଥିସହ ଘରର ଦୁଆର, କାଚ ଓ ସିସିଟିଭି କ୍ୟାମେରା ଆଦି ଭଙ୍ଗାରୁଜା କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଅରୁଣ ସାହୁ, ଗୁଡୁ, ବଙ୍କୁ ସାହୁ, ଦୀପା ସାହୁଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ଓ ମହିଳାଙ୍କ ସମ୍ପୃକ୍ତି ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଂଚ ହୋଇନାହିଁ। ଶକୁନ୍ତଳା ଙ୍କ ଅଭିଯୋଗ ଅନୁସାରେ, ଘଟଣା ସମୟରେ ପରିବାରକୁ ଘରେ ରହିବାକୁ ଦିଆଯିବ ନାହିଁ ଏବଂ ଘରେ ନିଆଁ ଲଗାଇଦେବା ଭଳି ଧମକ ମଧ୍ୟ ଦିଆଯାଇଥିଲା। ଏହାକୁ ନେଇ ପରିବାରରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଜମି ସମ୍ପର୍କିତ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଆଇନକୁ ହାତକୁ ନନେଇ ଶାନ୍ତି ରକ୍ଷା କରିବାକୁ ସେ ଦାବି କରିଛନ୍ତି। ଏଥିସହ ତାଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବା, ଘଟଣାର ନିରପେକ୍ଷ ତଦନ୍ତ କରିବା ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ସେ ପୁଲିସ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅଭିଯୋଗର ସତ୍ୟତା, ଘଟଣାରେ କେଉଁମାନେ ପ୍ରକୃତରେ ସମ୍ପୃକ୍ତ ଏବଂ ମାମଲାରେ ପୁଲିସ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

SOURCE: ODIA PUA