Home national news oriya ପହଂଚିଲା ନାହିଁ ଓଡ଼୍ରାଫ୍ ଟିମ୍‌, ବନ୍ୟା ଘେରରୁ ଖଟିଆରେ ବୁହା ହୋଇ ଆସିଲେ ଗର୍ଭବତୀ

ପହଂଚିଲା ନାହିଁ ଓଡ଼୍ରାଫ୍ ଟିମ୍‌, ବନ୍ୟା ଘେରରୁ ଖଟିଆରେ ବୁହା ହୋଇ ଆସିଲେ ଗର୍ଭବତୀ

4
0

Source :- ODIA PUA

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକୃତିର କରାଳ ରୂପ ଏବଂ ବନ୍ୟାର ବିପତି ମଧ୍ୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ରୁ ଏକ ଆଶ୍ୱସ୍ତିକର ତଥା ସାହସିକତାର ଖବର ସାମ୍ନାକୁ ଆସିଛି। ବନ୍ୟାଜଳରେ ଘେରି ହୋଇରହିଥିବା ଜଣେ ନ ମାସର ଗର୍ଭବତୀଙ୍କୁ ଗ୍ରାମବାସୀଙ୍କ ମାନବିକତା ଏବଂ ଅପାର ସାହାସ ବଳରେ ଉଦ୍ଧାର କରାଯାଇଥିବାବେଳେ, ମେଡିକାଲରେ ସେ ଏକ ସୁସ୍ଥ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିବା ପରେ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି।ଧାମନଗର ବ୍ଲକ ବମକୁରା ଗ୍ରାମର ଉତମ ଦଳାଇଙ୍କ ସ୍ତ୍ରୀ ଶୁଭଶ୍ରୀ ବେହେରା ନ ମାସର ଗର୍ଭବତୀ ଥିଲେ। ଗତ ରାତିରେ ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଚାରିଆଡ଼େ ବନ୍ୟାଜଳ ଘେରି ରହିଥିବାରୁ ପରିବାର ଓ ଗ୍ରାମବାସୀ ଚିନ୍ତାରେ ପଡ଼ିଥିଲେ। କୌଣସି ପ୍ରଶାସନିକ ସହାୟତା କିମ୍ବା ଉଦ୍ଧାରକାରୀ ଦଳ (ଓଡ୍ରାଫ କିମ୍ବା ବୋଟ୍‌) ସେଠାରେ ପହଂଚି ନଥିବାରୁ, ଗ୍ରାମବାସୀ ନିଜେ ଆଗ ଭର ହୋଇଥିଲେ। ସେମାନେ ଏକ ଖଟିଆରେ ଶୁଭଶ୍ରୀଙ୍କୁ ଶୁଆଇ ବେକେ ପାଣି ମଧ୍ୟରେ କାନ୍ଧେଇ କାନ୍ଧେଇ ଧୁଷୁରୀ ବଜାର ନେଇ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ସେ ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି।ବନ୍ୟା ଆସିବା ପୂର୍ବରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆଗୁଆ ପ୍ରସ୍ତୁତି ବୈଠକ କରାଯାଇଥିଲା। ଗର୍ଭବତୀ, ପ୍ରସୂତି ଏବଂ ବୟସ୍କ ଲୋକଙ୍କୁ ପୂର୍ବରୁ ସୁରକ୍ଷିତ ଉଚ୍ଚସ୍ଥାନକୁ କିମ୍ବା ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ଦାବି କରିଥିଲା। ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟାଥିଲା। ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ବମକୁରା ଅଂଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଏଭଳି ନାହିଁ ନଥିବା ଦୁର୍ଦ୍ଦଶା ଏବଂ କଷ୍ଟ ଭୋଗିବାକୁ ପଡ଼ିଥିବାବେଳେ ସେଠାରେ ନା ଓଡ୍ରାଫ ଟିମ ପହଂଚିଥିଲା, ନା ଦମକଳ ଗାଡ଼ି କିମ୍ବା ବୋଟ୍ ମିଳିଥିଲା।ପ୍ରଶାସନିକ ଅଧିକାରୀଙ୍କ ଏଭଳି ଉଦାସୀନତାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣରେ ଗଭୀରକ୍ଷୋଭ ପ୍ରକାଶ ପାଇଛି। “ଯଦି ଆଗୁଆ ପଦକ୍ଷେପ ନିଆଯାଇଥିଲା, ତେବେ ଗ୍ରାମବାସୀଙ୍କୁ କାହିଁକି ଜୀବନ ବିପନ୍ନ କରି ନିଜେ ରୋଗୀଙ୍କୁ ପାଣିରେ ବୋହି ଆଣିବାକୁ ପଡ଼ିଲା’ ବୋଲି ପ୍ରଶ୍ନ ଉଠିଛି। ବନ୍ୟା ସମୟରେ ପ୍ରଶାସନର ଏଭଳି ବିଫଳତା ପାଇଁ ଦାୟୀ କିଏ ସରକାରୀ ସହାୟତା ପହଂଚିବାରେ ବିଳମ୍ବ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହାକୁ ଅପେକ୍ଷା କରାଯାଇଛି।

SOURCE: ODIA PUA