Home national news oriya ମାଟି ପାଇଁ ଗୌରବ ଆଣିଲେ ଗୁରୁ ସୁବାସ ମଲ୍ଲିକ

ମାଟି ପାଇଁ ଗୌରବ ଆଣିଲେ ଗୁରୁ ସୁବାସ ମଲ୍ଲିକ

5
0

Source :- ODIA PUA

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟେ ଜାତିର ପରିଚୟ ତାର ଲୋକକଳା ଓ ଲୋକ ସଂସ୍କୃତି ଅଟେ । ଯାହା ସେ” ଜାତିର ଅସ୍ମିତାକୁ ବୁଝାଏ। ଏକ ସମୃଦ୍ଧ ଲୋକକଳାର ରାଜ୍ୟ ଆମ ଓଡିଶାରେ ସମୟ ସ୍ରୋତରେ ବହୁ ପ୍ରକାରର ଲୋକକଳା ହଜିଯାଇଥିବା ସ୍ଥଳେ ଆଉ କିଛି ପ୍ରାୟ ଅବଲୁପ୍ତ ଅବସ୍ଥାରେ ।ସେହି ଅବଲୁପ୍ତ ପ୍ରାୟ ଲୋକକଳାର ପୁନରୁଦ୍ଧାର ତଥା କଳାକାର ମାନଙ୍କୁ ପ୍ରୋତ୍ସାହନ ଦେବା ପରିପ୍ରେକ୍ଷୀରେ ଓଡ଼ିଆ, ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସୌଜନ୍ୟରୁ ଗତକାଲି ଅକ୍ଟୋବର ୨ ତାରିଖରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ‘ଲୋକରଞ୍ଜନୀ” ଓ ‘ଆମ ଲୋକକଳା ଆମ ଅସ୍ମିତା” କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୩୦ଟି ବିରଳ ଲୋକକଳାର ସମୁହ ପ୍ରଦର୍ଶନ ହୋଇଥିଲା। ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାରୁ ଓଡିଶା ସଂଗୀତ ନାଟକ ଏକାଡ଼େମୀ ସମ୍ମାନ ପ୍ରାପ୍ତ ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଲୋକବାଦ୍ୟ ଯୋଡିନାଗରା ପରିବେଷିତ ହୋଇ ଜିଲ୍ଲାର ଗୌରବ ବୃଦ୍ଧି ହୋଇ ପାରିଚିଛି । ସୂଚନା ଯୋଗ୍ୟ ଯେ ଏହି ଗଣ ବାଦ୍ୟ ବା ପୁରାଣ ବର୍ଣ୍ଣିତ ‘ଦେବ ବାଦ୍ୟ” ଟି ସମୟ କ୍ରମେ ଲୋପପାଇ ଯିବାକୁ ବସିଥିବା ବେଳେ ବିଭାଗ ତରଫରୁ ଶ୍ରୀ ମଲ୍ଲିକ ଲୋକକଳା ଗୁରୁ ଭାବରେ ଚୟନିତ ହୋଇ ୨୦୨୩ ମସିହାରେ ଯୋଡି ନାଗରା କଳାରେ କର୍ମଶାଳା ଆୟୋଜିତ କରି କିଛି ଛାତ୍ର ସୃଷ୍ଟି କରିଥିଲେ । ତେଣୁ ସେହି କଳାର ମହାକୁମ୍ଭରେ ସମୁହ ଯୋଡିନାଗରା ବାଦନ ହଜାର ହଜାର କଳାକାର ମାନଙ୍କ ମନରେ ବିମଳ ଆନନ୍ଦ ଭରିଦେଇଥିଲା । ସକାଳ ୧୦ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କିଛି ବିରଳ ପ୍ରଦର୍ଶନମାନ ଦେଖି ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କରାଇବାପାଇଁ ବିଭାଗକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ବାବୁସିଂ,ଅତିରିକ୍ତ ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଡଃ ଚନ୍ଦ୍ରଶେଖର ହୋତା,ସଂସ୍କାର ଭାରତୀର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା,ଏସସିବି ମେଡିକାଲ କଲେଜର ହୃଦରୋଗ ପ୍ରଫେସର ଡ. ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଲୋକକଳାର ମହନୀୟତା ଓ ଜନଜୀବନରେ ଏହାର ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିବା ସହିତ ଲୋକକଳାର ଗୁରୁ ତଥା ବିଶେଷଜ୍ଞ ମାନଙ୍କୁ ଉତରୀୟ,ସ୍ମୃତି ଫଳକ ଓ ଅର୍ଥରାଶି ସହ ସମ୍ବର୍ଦ୍ଧିତ କରିଥିଲେ ।

SOURCE: ODIA PUA