Home national news oriya ୧୨ ବର୍ଷ ପରେ ଧାମନଗର କଲେଜରେ ଗଣତନ୍ତ୍ରର ମହାପର୍ବ,ରାତି ପାହିଲେ ଭୋଟ ଲଢ଼େଇ; ଏବିଭିପି-ବିସିଜେଡି ମୁହାଁମୁହିଁ...

୧୨ ବର୍ଷ ପରେ ଧାମନଗର କଲେଜରେ ଗଣତନ୍ତ୍ରର ମହାପର୍ବ,ରାତି ପାହିଲେ ଭୋଟ ଲଢ଼େଇ; ଏବିଭିପି-ବିସିଜେଡି ମୁହାଁମୁହିଁ ,ସଭାପତି ଓ ସମ୍ପାଦକ ପଦ ଉପରେ ରାଜ୍ୟର ନଜର

2
0

Source :- ODIA PUA

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦୀର୍ଘ ୧୨ ବର୍ଷର ଅପେକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଭୋଟ ର ଉତ୍ସାହ, ବିଜୟର ଆଶା ଓ ରାଜନୈତିକ ପତିଆରାର ଲଢ଼େଇରେ ଆସନ୍ତାକାଲି ସରଗରମ ହେବ ଧାମନଗର ମହାବିଦ୍ୟାଳୟ। କ୍ୟାମ୍ପସରେ କାହାର ବାଜିମାତ ହେବ, କିଏ ପିନ୍ଧିବ ବିଜୟର ମୁକୁଟ ତାହାକୁ ନେଇ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ରାଜନୈତିକ ମହଲ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ମୋଟ ୬୦୨ ଭୋଟରଙ୍କ ମତଦାନ ଏହି ମହାମୁକାବିଲାର ଭାଗ୍ୟ ନିର୍ଣ୍ଣୟ କରିବ। ଏହି ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଲଢ଼େଇ ହେଉଛି ସଭାପତି ଓ ସମ୍ପାଦକ ପଦ। ସଭାପତି ପଦ ପାଇଁ ଏବିଭିପିର ଜଗନ୍ନାଥ ମାଝୀ ଓ ବିସିଜେଡିର ସ୍ମିତିରେଖା ବେହେରା ମଇଦାନରେ ଥିବାବେଳେ ସମ୍ପାଦକ ପଦ ପାଇଁ ଏବିଭିପିର ଚିନ୍ମୟ ପାତ୍ର ଓ ବିସିଜେଡିର କଳ୍ପନା ସାହୁଙ୍କ ମଧ୍ୟରେ ହେବ କଡ଼ା ମୁକାବିଲା। ଉଭୟ ପଦବୀରେ ବିଜୟ ହାସଲ କରିବା ଦୁଇ ସଂଗଠନ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ଭୋଟରଙ୍କ ନିଷ୍ପତି ହିଁ ଖୋଲିବ ବିଜୟର ରାସ୍ତା। ନାମାଙ୍କନ ପ୍ରତ୍ୟାହାର ଓ କେତେକ ପ୍ରାର୍ôଥପତ୍ର ନାକଚ ପରେ ୧୩ଟି ପଦବୀରେ ଏବିଭିପି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବାବେଳେ ଗୋଟିଏ ପଦବୀ ଖାଲି ରହିଛି। ଅନ୍ୟପକ୍ଷରେ, ଅବଶିଷ୍ଟ ୯ଟି ପଦବୀ ପାଇଁ ଅକ୍ଟୋବର ୧୫ ତାରିଖରେ ହେବ ସିଧାସଳଖ ଭୋଟ୍ ଲଢ଼େଇ। ଏହି ଆସନଗୁଡ଼ିକର ଫଳାଫଳ କଲେଜ ଛାତ୍ର ରାଜନୀତିର ଆଗାମୀ ଚିତ୍ରକୁ ପ୍ରଭାବିତ କରିପାରେ। ମତଦାନ ପୂର୍ବରୁ ଉଭୟ ସଂଗଠନ ନିଜ ନିଜ ପ୍ରଚାରକୁ ଶେଷ ପର୍ଯ୍ୟାୟରେ ଜୋରଦାର କରିଛନ୍ତି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା ସହ ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମରେ ପୋଷ୍ଟର, ଫଟୋ ଓ ଭିଡିଓ ମାଧ୍ୟମରେ ଭୋଟରଙ୍କ ମନ ଜିଣିବାକୁ ଚାଲିଛି ପ୍ରୟାସ। ରବିବାର କଲେଜ ବନ୍ଦ ଥିଲେ ମଧ୍ୟ ପ୍ରାର୍ଥୀମାନେ ଘରକୁ ଘର ଯାଇ ସମର୍ଥନ ଲୋଡ଼ିଥିବା ଜଣାପଡ଼ିଛି। ଶେଷ ମୁହୂର୍ତରେ କାହାର ପ୍ରଚାର ରଣନୀତି ଭୋଟରଙ୍କୁ ଅଧିକ ପ୍ରଭାବିତ କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର। ଏଥର ନିର୍ବାଚନ କେବଳ ଦୁଇ ସଂଗଠନର ପତିଆରା ଲଢ଼େଇରେ ସୀମିତ ନୁହେଁ। ଶିକ୍ଷାର ମାନ, କ୍ୟାମ୍ପସର ପରିବେଶ, ଛାତ୍ରଛାତ୍ରୀଙ୍କ ସମସ୍ୟା, ଅଧିକାର ଓ ସ୍ୱାର୍ଥ ଭଳି ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ବହନ କରୁଛି। ୧୪ ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ଶୀର୍ଷକ ବୈଠକ ହେବାକୁ ଥିବାବେଳେ ୧୫ ତାରିଖ ଗୁରୁବାର ହେବ ମତଦାନ। ଦୀର୍ଘ ୧୨ ବର୍ଷ ପରେ ଧାମନଗର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଏହା କେବଳ ଏକ କଲେଜ ନିର୍ବାଚନ ନୁହେଁ, ବରଂ ଛାତ୍ର ରାଜନୀତିର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼। ଏବିଭିପି ନିଜର ପ୍ରଭାବ ବଜାୟ ରଖିବ ନା ବିସିଜେଡି ମୁଖ୍ୟ ପଦବୀରେ ବିଜୟୀ ହୋଇ ନୂଆ ସମୀକରଣ ସୃଷ୍ଟି କରିବ ଏହାର ଉତର ଦେବେ ୬୦୨ ଭୋଟର। ଏବେ ସମସ୍ତଙ୍କ ନଜର ମତଦାନ ଉପରେ; ଆଉ ଅପେକ୍ଷା ଗଣତନ୍ତ୍ରର ସେହି ରାୟକୁ।

SOURCE: ODIA PUA