Source :- ODIA PUA
ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଆଗରପଡ଼ା ବଜାର ସଂଲଗ୍ନ ବହୁମୂଲ୍ୟ ସରକାରୀ ଜମିକୁ ନେଇ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ଜମିକୁ ଯୋଜନାବଦ୍ଧ ଭାବେ ବ୍ୟକ୍ତିଗତ ନାମରେ କରାଇ ଏହାର ବିକ୍ରି ମାଧ୍ୟମରେ ବିପୁଳ ଅବୈଧ ଅର୍ଥ ଉପାର୍ଜନ କରାଯାଇଥିବା ନେଇ ଅଭିଯୋଗ ଉଠିଛି। ଏହି ଘଟଣାର ପ୍ରତିବାଦ ଓ ଜମିକୁ ପୁନର୍ବାର ସରକାରୀ ଖାତାକୁ ଫେରାଇ ଆଣିବା ଦାବିରେ ଭୂମି ସୁରକ୍ଷା ମଂଚ, ଆଗରପଡ଼ା ପକ୍ଷରୁ ଏକ ବୈଠକ ଆଗରପଡ଼ା ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ପ୍ରକାଶ ମହାକୁଡ଼ଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ବହୁ ସଂଖ୍ୟାରେ ଯୁବକ ଯୋଗଦେଇଥିଲେ। ସରକାରୀ ଜମିର ସୁରକ୍ଷା ଓ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପ୍ରସଙ୍ଗରେ ଉପସ୍ଥିତ ବକ୍ତାମାନେ ନିଜ ନିଜର ମତ ରଖିବା ସହ ଅଭିଯୋଗର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି କରିଥିଲେ। ବୈଠକରେ ଉଠିଥିବା ଅଭିଯୋଗ ଅନୁଯାୟୀ, ବିଟିପୁର ମୌଜାରେ ପ୍ରାୟ ୨୦ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିର କିସମ ପରିବର୍ତନ କରାଯାଇଥିବା ଏବଂ ଏହାଦ୍ୱାରା ଆଗରପଡ଼ା ଅଞ୍ଚଳବାସୀଙ୍କ ସାମୂହିକ ସ୍ୱାର୍ଥ କ୍ଷୁଣ୍ଣ ହୋଇଥିବା ଅଭିଯୋଗ ହୋଇଛି। ଏତେ ପରିମାଣର ସରକାରୀ ଜମି ସମ୍ପର୍କରେ ଉଠିଥିବା ଏହି ପ୍ରଶ୍ନକୁ ଗୁରୁତ୍ୱର ସହ ନେଇ ଜମିର ପ୍ରକୃତ ସ୍ଥିତି, ରେକର୍ଡରେ ହୋଇଥିବା ପରିବର୍ତନ ଓ ଜମି ହସ୍ତାନ୍ତର ପ୍ରକ୍ରିୟାର ନିରପେକ୍ଷ ତଦନ୍ତ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ବକ୍ତାମାନେ କହିଥିଲେ ଯେ, ସରକାରୀ ଜମି ହେଉଛି ଜନସାଧାରଣଙ୍କ ସମ୍ପତି। ଏହାର ସୁରକ୍ଷା କରିବା ସରକାର ଓ ପ୍ରଶାସନର ଦାୟିତ୍ୱ। ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ତାହାର ତଦନ୍ତ କରାଯାଇ ଆଇନସମ୍ମତ ଭାବେ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ଆବଶ୍ୟକ। ଏହି ପ୍ରସଙ୍ଗରେ ଦଳୀୟ ମତଭେଦ ଭୁଲି ସମସ୍ତେ ଏକାଠି ହୋଇ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଜନସାଧାରଣଙ୍କ ସମ୍ପତିକୁ ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କରାଯାଇଥିବା ଅଭିଯୋଗ ଯଦି ପ୍ରମାଣିତ ହୁଏ, ତେବେ ଏହା ଆଗାମୀ ପିଢ଼ି ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ହେବ ବୋଲି ବକ୍ତାମାନେ ମତ ରଖିଥିଲେ। ତେଣୁ ପ୍ରଶାସନ ଏହି ମାମଲାରେ ନିରବ ନ ରହି ତଥ୍ୟଭିତିକ ତଦନ୍ତ କରିବା ସହ ସରକାରୀ ଜମିର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଥିଲା। ଏହି ବୈଠକରେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ଦାଶ, ପ୍ରଭାତ ପଣ୍ଡା, ଅଶୋକ ପାଣିଗ୍ରାହୀ, ଚିତରଞ୍ଜନ ସାମନ୍ତରାୟ, ସତ୍ୟସାଧନ ବେଜ, ଦୀପକ ମହାନ୍ତି, କଳ୍ପତରୁ ସାହୁ, ଦିଲୀପ ପୁହାଣ, ଭୀଷ୍ମେଶ୍ୱର ଦାସ, ଅବିନାଶ ପଣ୍ଡା, ପରେଶ ନାୟକ, ମହେଶ୍ୱର ଦାସ, ସନ୍ତୋଷ ପୁହାଣ, ଶଶିକାନ୍ତ ଘୋଷ, ସ୍ଥିତପ୍ରଜ୍ଞ ବେହେରା, ରାଜୁ ଦାସଙ୍କ ସମେତ ବହୁ ରାଜନୈତିକ କର୍ମୀ ଓ ଯୁବକ ଉପସ୍ଥିତ ଥିଲେ। ସରକାରୀ ଜମିର ସୁରକ୍ଷା, ଅଭିଯୋଗର ନିରପେକ୍ଷ ତଦନ୍ତ ଏବଂ ଜମିକୁ ପୁନର୍ବାର ସରକାରୀ ଖାତାକୁ ଫେରାଇ ଆଣିବା ଦାବି ଏବେ ଆଗରପଡ଼ା ଅଂଚଳରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।
SOURCE: ODIA PUA




