Source :- ODIA PUA
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଦଳୀ ପତ୍ର ଓ ଅଳିଆ ପକାଇବାକୁ ନେଇ ଉଗ୍ର ହେଲା ବିବାଦ। ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଗାଳିଗୁଲଜ, ମାଡ଼ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ଧୁଷୁରୀ ଥାନାରେ ପହଂଚିଛି। ଭଦ୍ରକ ଜିଲ୍ଲା ପଙ୍ଗଟା ଗ୍ରାମର ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ଜୋର ଧରିଛି।ଏତଲାରେ ଦର୍ଶାଯାଇଥିବା ଅନୁଯାୟୀ, ଗତ ୧୦ ତାରିଖ ଅପରାହ୍ନ ପ୍ରାୟ ୪ ଟା ରେ ଅଭିଯୋଗକାରିଣୀ ମମତା ପଣ୍ଡା ନିର୍ଦ୍ଧାରିତ ସ୍ଥାନରେ କଦଳୀ ପତ୍ର ଓ ଆବର୍ଜନା ପକାଉଥିବା ସମୟରେ ଗ୍ରାମର ପ୍ରସନ୍ନ ପଣ୍ଡା (୫୦) ଓ ସୌଦାମିନୀ ପଣ୍ଡା (୪୫) ସେଠାରେ ପହଂଚି ବିରୋଧ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ କରିବାରୁ ପ୍ରସନ୍ନ ତାଙ୍କୁ ଚାପୁଡ଼ା ମାରିବା ସହ ହତ୍ୟା ଧମକ ଦେଇଥିବା ମମତା ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁସାରେ, ମମତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା”ଙ୍କ ଦେଖାଶୁଣା ଓ ଖର୍ଚ୍ଚ ଭାର ବହନ କୁ ନେଇ ପୂର୍ବରୁ ପାରିବାରିକ ଅସନ୍ତୋଷ ଲାଗି ରହିଥିଲା। ମା’ଙ୍କ ଯତ୍ନ ନେବା ପାଇଁ ମମତା ସେଠାରେ ରହୁଥିବା ବେଳେ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି।ଏହି ଘଟଣାରେ ଧୁଷୁରୀ ଥାନା ପୁଲିସ କେସ୍ ନଂ ୦୪୮୫/୨୦୨୬ ରୁଜୁ କରିଛି। ବିଏନ୍ଏସ୍ର ଧାରା ୧୧୫(୨), ୧୨୬(୨), ୨୯୬, ୩(୫), ୩୫୧(୨) ଓ ୭୪ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଏସ୍ଆଇ ସୁଜାତା ସାହୁଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପରେ ଅଭିଯୋଗର ସତ୍ୟତା ସ୍ପଷ୍ଟ ହେବ।
SOURCE: ODIA PUA




