Source :- ODIA PUA
ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଗଠିତ ସମବାୟ ସମିତି ଏବେ କାହା ସ୍ୱାର୍ଥରେ ଚାଲିଛି। ଚାଷୀଙ୍କ ଉନ୍ନତି ବଦଳରେ ଧାନ କିଣା, ସାର ବିକ୍ରି ଓ ସରକାରୀ ଅର୍ଥ କାରବାରରେ ଅନିୟମିତତାର ଅଭିଯୋଗ ଉଠିବା ପରେ ଧାମନଗର ବ୍ଲକର ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତି ଏବେ ବିବାଦ ଘେରରେ। ସମିତିର ଭାରପ୍ରାପ୍ତ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତଙ୍କ ବିରୋଧରେ ମନମୁଖୀ ଶାସନ, ଉକେôାଚ ଆଦାୟ, ଧାନ କିଣାରେ ଦଲାଲଙ୍କୁ ପ୍ରୋତ୍ସାହନ ଓ ସାର ବଂଟନରେ ହେରଫେର ଭଳି ଏକାଧିକ ସଙ୍ଗିନ ଅଭିଯୋଗ ଆସିଛି। ଭଗବାନପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ଜନଶୁଣାଣି ଶିବିରରେ ପଂଚାୟତର ସମିତି ସଭ୍ୟ ସୁଦୀପ୍ତ ଖଟୁଆ ଏସବୁ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଫେରାଦ ହୋଇଛନ୍ତି। ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ନିର୍ବାଚିତ ପରିଚାଳନା ପରିଷଦ ନଥିବା ସମୟରେ ନିୟମକୁ ଉଲ୍ଲଂଘନ କରି ଭାରପ୍ରାପ୍ତ ସମ୍ପାଦକ ନିଯୁକ୍ତି ହାସଲ କରାଯାଇଛି। ଧାନ କିଣା ସମୟରେ ପ୍ରକୃତ ଚାଷୀଙ୍କୁ ଅଣଦେଖା କରି କେତେକ ବଡ଼ ଚାଷୀଙ୍କ ନାମରେ ଧାନ ବେପାରୀଙ୍କ କାରବାରକୁ ସୁଯୋଗ ଦିଆଯାଉଥିବା ଏବଂ ଏଥିପାଇଁ ମୋଟା ଅଙ୍କର ଅର୍ଥ ଆଦାୟ ହେଉଥିବା ଅଭିଯୋଗ ହୋଇଛି। ସେହିପରି ସାର ଚାଷୀଙ୍କ ପାଖରେ ପହଂଚିବା ବଦଳରେ ବେପାରୀଙ୍କ ହାତକୁ ଯାଉଥିବା ଏବଂ ସରକାରଙ୍କ ଧାର୍ଯ୍ୟ ମଣ୍ଡି ଚାର୍ଜ ମଧ୍ୟ ହଡ଼ପ ହେଉଥିବା ଅଭିଯୋଗ ଆଣିଛନ୍ତି ଅଭିଯୋଗକାରୀ। କେବଳ ଧାନ କିଣା କିମ୍ବା ସାର ବଂଟନ ନୁହେଁ, ସମିତିର ପରିଚାଳନା ବ୍ୟବସ୍ଥା ମଧ୍ୟ ସନ୍ଦେହ ଘେରରେ। ବାର୍ଷିକ ସାଧାରଣ ସଭା ନିୟମିତ ଡକାଯାଉନଥିବା, ସଦସ୍ୟମାନଙ୍କୁ ଅଣଦେଖା କରାଯାଉଥିବା ଏବଂ ଚାଷୀଙ୍କ ସହ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ରହିଛି। ଅଭିଯୋଗକାରୀ ଆହୁରି ଦର୍ଶାଇଛନ୍ତି ଯେ, ମାସିକ ୨୫ ହଜାର ଟଙ୍କା ଦରମା ପାଉଥିବା ସମ୍ପାଦକଙ୍କ ଆର୍ôଥକ ସମ୍ପତି, ଏକାଧିକ ଗାଡ଼ି ବ୍ୟବହାର ଏବଂ ସରକାରୀ ଜମିରେ ନିର୍ମାଣ ସମ୍ପର୍କରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ। ପୂର୍ବରୁ ଏକାଧିକ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନର ନିରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ତାଙ୍କ ବଦଳି ସମ୍ପର୍କିତ ନ୍ୟାୟିକ ଆଦେଶ ଥିବା ସତ୍ୱେ ତାହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି, ଚାଷୀଙ୍କ ନାଁରେ ଚାଲୁଥିବା ସମବାୟ ସମିତିରେ ଯଦି ଚାଷୀ ହିଁ ନ୍ୟାୟ ପାଇବେ ନାହିଁ, ତେବେ ଏହି ସଂସ୍ଥାର ଉଦ୍ଦେଶ୍ୟ କ’ଣ। ଅଭିଯୋଗ ଉପରେ କେବଳ କାଗଜପତ୍ରରେ ତଦନ୍ତ ନୁହେଁ, ବରଂ ଧାନ କିଣା ରେକର୍ଡ, ସାର ବିକ୍ରି ରେଜିଷ୍ଟର, ମଣ୍ଡି ଚାର୍ଜର ହିସାବ ଓ ସମିତିର ଆର୍ôଥକ କାରବାରର ନିରପେକ୍ଷ ଯାଂଚ ହେବା ଜରୁରୀ। ଦୋଷ ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ବିଭାଗୀୟ ଓ ଆଇନଗତ ପଦକ୍ଷେପ ନେବା ସହ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ସୁଦୀପ୍ତ ଖଟୁଆ ଦାବି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଜନଶୁଣାଣିରେ ଉଠିଥିବା ଏହି ସଙ୍ଗିନ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ତଦନ୍ତ କରିବ ନା ଅଭିଯୋଗପତ୍ରଟି ଅନ୍ୟ ଫାଇଲ ଭଳି ଶୀତଳଭଣ୍ଡାରକୁ ଚାଲିଯିବ।
SOURCE: ODIA PUA




