Home national news oriya ଅବ୍ୟବସ୍ଥା ଭିତରେ ଗୌରାଙ୍ଗ ସାହାଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟ,ଭଡ଼ା ରେ ଚାଲିଚି ବିଦ୍ୟାଳୟ

ଅବ୍ୟବସ୍ଥା ଭିତରେ ଗୌରାଙ୍ଗ ସାହାଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟ,ଭଡ଼ା ରେ ଚାଲିଚି ବିଦ୍ୟାଳୟ

3
0

Source :- ODIA PUA

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ମୁସ୍ତଫାପୁର ପଞ୍ଚାୟତର ଯଜ୍ଞ ପଡିଆ ନିକଟରେ ଥିବା ଗୌରାଙ୍ଗ ସାହାଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବେ ଘୋର ଅବ୍ୟବସ୍ଥା ଓ ରାଜନୈତିକ ସ୍ୱାର୍ଥର ଶିକାର ହୋଇ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି। ୧୯୯୫ ମସିହାରୁ ପ୍ରତିଷ୍ଠା ହୋଇ ଦୀର୍ଘ ୩୧ ବର୍ଷ ଅତିକ୍ରାନ୍ତ କରିସାରିଥିଲେ ହେଁ, ବିଦ୍ୟାଳୟଟି ଏ ପର୍ଯ୍ୟନ୍ତ ସରକାରୀ ଅନୁଦାନରୁ ବଞ୍ଚିତ ହୋଇ ରହିଛି। ସରକାରଙ୍କ ତରଫରୁ କେବଳ ସ୍ୱୀକୃତି ମିଳିଥିବା ବେଳେ ଆର୍ôଥକ ସହାୟତା ଶୂନ।ବିଦ୍ୟାଳୟରେ ମୋଟ ୩ଟି ଶ୍ରେଣୀଗୃହ ରହିଛି, ଯାହା ମଧ୍ୟରୁ ଗୋଟିକରେ କାର୍ଯ୍ୟାଳୟ ଚାଲିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଅନ୍ୟ ଏକ ଶ୍ରେଣୀଗୃହ କୁ ଠିକାଦାର ଭଡ଼ାରେ ନେଇ ଯାଇଛି। ଅଭିଯୋଗ ହେଉଛି ଯେ, ବ୍ୟକ୍ତିଗତ କିମ୍ବା ରାଜନୈତିକ ଫାଇଦା ପାଇଁ ପିଲାଙ୍କ ଭବିଷ୍ୟତକୁ ବାଜି ଲଗାଇ ଏହି ଶ୍ରେଣୀଗୃହ କୁ ଭଡ଼ା ସୂତ୍ରରେ ଟେକି ଦେଇଛନ୍ତି ସ୍ଥାନୀୟ ଲୋକ। ବିଦ୍ୟାଳୟ ପାଖରେ ନିର୍ମାଣାଧିନ ମାର୍କେଟ କଂପ୍ଲେକ୍ସ ର ଆବଶ୍ୟକୀୟ ନିର୍ମାଣ ସାମଗ୍ରୀ ଏହି ଶ୍ରେଣୀଗୃହ ଭିତରେ ରଖାଯାଉଛି। ପରିଚାଳନା କମିଟିର ଏଭଳି ଦାୟିତ୍ୱହୀନ ଓ ସ୍ୱାର୍ଥପର ମନୋଭାବ ଯୋଗୁଁ କୋମଳମତି ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପାଠ ପଢୁଛନ୍ତି। ଟ୍ରକ ଟ୍ରାକ୍ଟର ସେଠାରେ ରହୁଥିବାରୁ କାଦୁଅ ପଚ ପଚ ରେ ପିଲା ମାନେ ସ୍କୁଲ ଯାଉଛନ୍ତି। ଉକ୍ତ ସ୍କୁଲ ଟି ବ୍ୟବସାୟୀକରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ପରିଚାଳନା କମିଟି କୁ ଦାୟୀ କରାଯାଉଛି।ସ୍କୁଲର ଦୁଇଟି ଶ୍ରେଣୀରେ ମୋଟ ୨୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ଗୋଟିଏ ଶ୍ରେଣୀଗୃହ ଭଡ଼ା ଲାଗିଥିବାରୁ ବାଧ୍ୟ ହୋଇ ଉଭୟ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କୁ ଗୋଟିଏ ମାତ୍ର କୋଠରୀରେ ଏକାଠି ବସାଯାଉଛି। ଫଳରେ ଏଠାରେ ଏକ ଅଭାବନୀୟ ଶିକ୍ଷାଦାନ ପଦ୍ଧତି ଦେଖିବାକୁ ମିଳିଛି। ଗୋଟିଏ ପିରିୟଡ଼ରେ ଷଷ୍ଠ ଶ୍ରେଣୀ ପିଲାଙ୍କୁ ପଢ଼ାଯାଉଥିବା ବେଳେ ସପ୍ତମ ଶ୍ରେଣୀ ପିଲା ଚୁପ୍‌?ଚାପ୍ ବସି ରହୁଛନ୍ତି ଏବଂ ଆର ପିରିୟଡ଼ରେ ସପ୍ତମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେଉଛି। ଏଭଳି ସ୍ଥିତିରେ ପିଲାମାନେ କେତେଦୂର ଶିକ୍ଷା ଗ୍ରହଣ କରୁଥିବେ ଏବଂ ସେମାନଙ୍କର କିପରି ବୌଦ୍ଧିକ ବିକାଶ ହେଉଥିବ,ଏପଟେ ପାଠ୍ୟ ପୁସ୍ତକ ରେ ତୃଟି ସେପଟେ ବିଦ୍ୟାଳୟ ଭଡ଼ାରେ ଚାଲିଚି କେମିତି ପିଲା ଶିକ୍ଷା ଗ୍ରହଣ କରିବେ।ତାହା ସହଜରେ ଅନୁମେୟ।୧୯୯୫ ମସିହାରେ ତତ୍କାଳୀନ ପ୍ରଚଳିତ ଆଇନ ଓ ସରକାରଙ୍କ ପ୍ରାକ୍ ଅନୁମତି ନେଇ ସମସ୍ତ ନିୟମ ଓ ମାନଦଣ୍ଡ ପୂରଣ ପୂର୍ବକ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ହେଲେ ତିନି ଦଶନ୍ଧି ବିତିଯାଇଥିଲେ ବି ସରକାର ଏହି ବିଦ୍ୟାଳୟ ପ୍ରତି ସାବତ ମା’ର ନୀତି ଆପଣାଇଛନ୍ତି। ଶିକ୍ଷା ବିଭାଗ ଓ ସରକାରଙ୍କ ଏହି ଦୀର୍ଘଦିନର ଆଖିବୁଜା ଆଭିମୁଖ୍ୟ ଯୋଗୁଁ ଆଜି ଏହି ଶିକ୍ଷାନୁଷ୍ଠାନଟି ମରଣାସନ୍ନ ଅବସ୍ଥାକୁ ଚାଲିଆସିଛି।ସ୍କୁଲ ପ୍ରତିଷ୍ଠା ସମୟରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ମଧ୍ୟରୁ ଏବେ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି। ଦୀର୍ଘ ୩୧ ବର୍ଷ ଧରି ବିନା ଦରମାରେ କାମ କରି ସେମାନେ ଆଜି ଚରମ ଆର୍ôଥକ କଷଣ ଓ ମାନସିକ ଯନ୍ତ୍ରଣା ଭିତରେ ଗତି କରୁଛନ୍ତି। ଅଧିକନ୍ତୁ, ନିଜର ଚାକିରି ବଞ୍ଚାଇବା ଏବଂ ସ୍କୁଲକୁ ସଂପୂର୍ଣ୍ଣ ବନ୍ଦ ହେବାରୁ ରକ୍ଷା କରିବା ପାଇଁ ଏହି ଅଭାବୀ ଶିକ୍ଷକମାନେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଓ ୟୁନିଫର୍ମ ଯୋଗାଇ ଦେଉଛନ୍ତି। କାରଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କିମ୍ବା ଡ୍ରେସ୍ ନଦେଲେ ସେମାନେ ଆଉ ସ୍କୁଲକୁ ଆସିବେ ନାହିଁ କିମ୍ବା କୌଣସି ନୂଆ ପିଲା ନାମ ଲେଖାଇବେ ନାହିଁ। ପିଲା ସଂଖ୍ୟା ଶୂନ ହେଲେ ସ୍କୁଲ ସଦାଦିନ ପାଇଁ ବନ୍ଦ ହୋଇଯିବ ଏବଂ ଭବିଷ୍ୟତରେ ସରକାରୀ ଅନୁଦାନ ପାଇ ଦରମା ପାଇବାର ଯେଉଁ କ୍ଷୀଣ ଆଶା ରହିଛି, ତାହା ମଧ୍ୟ ଧୂଳିସାତ ହୋଇଯିବ।ଏହି ସମ୍ବେଦନଶୀଳ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଓ ଉଚ୍ଚ ଶିକ୍ଷା କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଶ୍ରେଣୀଗୃହ କୁ ଭଡ଼ା ମୁକ୍ତ କରିବା ସହ ବିଦ୍ୟାଳୟକୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ଦିଗରେ ସ୍ଥାନୀୟ ସି ଆର ସି ସି ହାପା ମାରାଣ୍ଡି କହିଛନ୍ତି ଯେ ଉକ୍ତ ବିଦ୍ୟାଳୟଟି କୁ କୌଣସି ଅନୁଦାନ ମିଳୁନି ବୋଲି ଆମେ ଏତେ ଗୁରୁତ୍ୱ ଦେଉନାହିଁ ତେବେ ଯଦି ବିଦ୍ୟାଳୟ ଭଡ଼ା ରେ ଲାଗିଛି ଏ ଦିଗରେ ତଦନ୍ତ କରା ଯିବ ବୋଲି କହିଥିଲେ।

SOURCE: ODIA PUA