Home national news oriya ଆରଏମ୍‌ସି ଠାରେ ବାଣ ଦୋକାନ ଖୋଲାଯିବା ପାଇଁ ପ୍ରଶାସନର ନିଷ୍ପତି, ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ

ଆରଏମ୍‌ସି ଠାରେ ବାଣ ଦୋକାନ ଖୋଲାଯିବା ପାଇଁ ପ୍ରଶାସନର ନିଷ୍ପତି, ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ

5
0

Source :- ODIA PUA

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀପାବଳୀ ଅମାବାସ୍ୟା ଆଉ ରହିଲା ୬ ଦିନ। ବାଣ ବ୍ୟବସାୟୀ ପାଇଁ ତହସିଲ ଅଫିସ୍ ଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲାଇସେନ୍ସ ପାଇଁ ଦୋକାନୀଙ୍କ ଲମ୍ବା ଧାଡି ଲାଗିଛି। ପ୍ରଶାସନିକ ସୂତ୍ରରୁ ଜଣାଯାଇଛି ଯେ ଆଜିସୁଦ୍ଧା ଭଦ୍ରକ ସହରାଂଚଳରେ ୬୦ ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ବାଣ ଦୋକାନ ଖୋଲିବା ନିମନ୍ତେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ସହରାଂଚଳରେ କେଉଁ ସ୍ଥାନରେ ବାଣ ଦୋକାନ ଖୋଲିବ, ଏ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ସୂଚନାଯୋଗ୍ୟ ଗତବର୍ଷ ବାଇପାସ୍‌ସ୍ଥିତ ନିୟନ୍ତ୍ରିତ ବଜାର କମିଟି ଓ କଲେଜ ରୋଡ୍ ସାଳନ୍ଦୀ ନଦୀପଠାରେ ବାଣ ଦୋକାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସହରାଂଚଳର କେତେକ ବ୍ୟବସାୟୀ ଏଥର ଏଠାରେ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଚଳିତବର୍ଷ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ୍ ସମସ୍ୟା ଉପୁଜିବା ହେତୁ ପ୍ରଶାସନ ନିଷେଧାଦେଶ ଜାରି କରିଥିଲେ। ଏଥିସହିତ ବାଣ ବିକ୍ରି କିମ୍ବା ମହଜୁଦ ରଖିବା ଉଦ୍ଦେଶ୍ୟରେ ଉକ୍ତ ଅଂଚଳରେ ନିର୍ମାଣ କରାଯାଇଥିବା ସମସ୍ତ ବେଆଇନ ଅସ୍ଥାୟୀ ଷ୍ଟଲ୍‌, କାଉଂଟର ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିଷେଧାଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୨୨୩ ଅନୁଯାୟୀ ଆଇନଗତ ଓ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଗୋଟିଏ ଗୋଷ୍ଠୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ଏକ ଗୋଷ୍ଠୀ କୁଆଁସସ୍ଥିତ ଅର୍ଜୁନ ସେତୁ ନିକଟରେ ବାଣ ଦୋକାନ ଖୋଲାଯିବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ସଂପୃକ୍ତ ସ୍ଥାନଟି ସଂକୁଚିତ ଥିବାରୁ ଏହାକୁ ବାତିଲ କରାଯାଇଛି। ଶେଷରେ ଜିଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ବୈଠକରେ ଭଦ୍ରକ ସହରାଂଚଳ ପାଇଁ ବାଇପାସ୍‌ସ୍ଥିତ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଠାରେ ଓ ଚରମ୍ପା ଅଂଚଳର ପୂର୍ବବର୍ଷ ଭଳି ଓଏସ୍‌ଆରଟିସି ପଡିଆରେ ବାଣ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରଶାସନର ଏହି ନିର୍ଦ୍ଦେଶନାମା ଫଳରେ ସହରାଂଚଳ ବାଣ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆରଏମ୍‌ସି ଠାରେ ବାଣ ଦୋକାନ ହେଲେ ବ୍ୟବସାୟ ମାନ୍ଦା ହେବା ସହ ମୂଳ ଜମା ଉଠିବ ନାହିଁ ବୋଲି ଆଜି ଗୋଟିଏ ଗୋଷ୍ଠୀର କେତେକ ବ୍ୟବସାୟୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।

SOURCE: ODIA PUA