Source :- ODISHARE REPORTER NEWS

କଶ୍ମୀରରେ ଆତଙ୍କବାଦ ଭାଗ-୨ରେ ଆମେ ଆପଣମାନଙ୍କୁ ୧୯୮୦ରୁ ୧୯୮୯ ମଧ୍ୟରେ କେମିତି ଅସମ୍ଭବ ନୀରବତା ଗୋଟିଏ ଝଡ଼ ଆଣି ଦେଇଥିଲା। କଶ୍ମୀର ଇତିହାସରେ ମୁସଲିମ ବଂଶବାଦର ବେଶ ଦବଦବା ରହି ଆସିଛି। ଏହା ୧୪ଶ ଶତାବ୍ବୀରୁ ଶାହ ମୀରଙ୍କ ଠାରୁ ଆରମ୍ଭ ହୋଇଥିଲା ଓ ଏବେ ଆଧୁନିକ ରାଜନୀତିରେ ଏହା କାଏମ ରହିଛି। ଅବଦୁଲ୍ଲା ଓ ମୁଫତି ପରିବାର କହିଲେ କଶ୍ମୀରକୁ ରାଜନୀତିକୁ ବୁଝାଏ।

କୌତୁହଳର ବିଷୟ ହେଉଛି ଯେ କଶ୍ମୀରରେ ମୁସଲିମ ଯୁଗ ଜଣେ ତିବ୍ଦତ ପ୍ରିନ୍ସ ରିନଚନ ଶାହଙ୍କ ସମୟରୁ ଆରମ୍ଭ ହୋଇଥିଲା। ପ୍ରାୟ ୧୩୨୦ରେ ସେ କ୍ଷମତା ଦଖଲ କରିଥିଲେ। ସୁଫି ସନ୍ଥ ବୁଲବୁଲ ଶାହଙ୍କ ପ୍ରଭାବରେ ରିନଚନ ଶାହ ଇସଲାମ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ ସେ ପ୍ରାଣ ହରାଇବା ପରେ ତାଙ୍କ ସହ କାମ କରୁଥିବା ମୁସଲିମ ଧର୍ମଗୁରୁମାନେ ତାଙ୍କ ପୁଅ ହାଇଦରଙ୍କୁ ବନ୍ଦୀ ବନାଇ ଦେଇଥିଲେ। ହାଇଦରଙ୍କ ବଦଳରେ ଶାହ ମୀରଙ୍କ ରାଜାଭିଷେକ ହୋଇଥିଲା। ତାଙ୍କ ଠାରୁ ବଂଶବାଦର ପରମ୍ପରା ଆରମ୍ଭ ହୋଇଥିଲା।

କଶ୍ମୀର

<!–

  • 17 March 2022

–>

ପ୍ରଥମ ଗଣତାନ୍ତ୍ରିକ ବଂଶବାଦ କଥା କହିଲେ ଏହା ଶେଖ ଅବଦୁଲ୍ଲାଙ୍କ ଠାରୁ ଆରମ୍ଭ ହୋଇଥିଲା। ୧୯୮୦ ମସିହା ଅଗଷ୍ଟ ୨୧ରେ ଶ୍ରୀନଗରର ଇକବାଲ ପାର୍କ ଠାରେ ଗୋଟିଏ ଜନସଭା ଚାଲିଥାଏ। ଏହି ସମୟରେ ଶେଖ ଅବଦୁଲ୍ଲା ତାଙ୍କ ପୁଅ ଫାରୁକ ଅବଦୁଲ୍ଲାକୁ ନିଜ ଦଳ ନ୍ୟାଶନାଲ କନଫରେନ୍ସର ମୁଖିଆ ଭାବେ ଘୋଷଣା କରିଥିଲେ। ନ୍ୟାଶନାଲ, ନ୍ୟାଶନାଏ ଅଲ ଆର ନ୍ୟାଶନାଲ ଧ୍ୱନି ପୂରା ପରିବେଶରେ ପ୍ରକମ୍ପିତ ହୋଇଥିଲା।

ଟ୍ରିନାଦର ଲେଖକ ଭିଏସ ନୈପଲ ତାଙ୍କ ବହି ଆନ ଏରିଆ ଅଫ ଡାର୍କନେସରେ ଅବଦୁଲ୍ଲା ପରିବାର ସମ୍ପର୍କରେ ଗୋଟିଏ ଚମତ୍କାର କଥା ଲେଖିଛନ୍ତି। ନିଜ କଶ୍ମୀର ଗସ୍ତର ଅଭିଜ୍ଞତା ସମ୍ପର୍କରେ ନୈପଲ ଲେଖିଛନ୍ତି ଗୁଲମର୍ଗରେ ଜଣେ ୟୁରୋପୀୟ ହୋଟେଲ ମାଲିକ ସେଠାକାର ଜଣେ ଗରିବ ମୁସଲିମ ଝିଅଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଝିଅ ଜଣଙ୍କ ଯେତେବେଳେ ବାହାଘର କଥା କହିଥିଲେ ସେ ତୁରନ୍ତ ରାଜି ହୋଇ ଯାଇଥିଲେ। ଦମ୍ପତି ମାଇକେଲ ହେନରୀ ନେଡୌ ଓ ମୀର ଜାନଙ୍କ ଝିଅ ହେଉଛନ୍ତି ଅକବର ଜେହାନ। ଜେହାନ ପରବର୍ତ୍ତୀ ଅବସ୍ଥାରେ ଶେଖ ଅବଦୁଲ୍ଲାଙ୍କୁ ବିବାହ କରିଥିଲେ। ଏହାର ଅର୍ଥ ଜେହାନ ହେଉଛନ୍ତି ଫାରୁକ ଅବଦୁଲ୍ଲାଙ୍କ ମା’।

K3କଶ୍ମୀର

ବ୍ରିଟିଶ-ପାକିସ୍ତାନୀ ଲେଖକ ତାରିକ ଅଲୀ ଦାବି କରିଥିଲେ ଯେ ୧୭ ବର୍ଷ ବୟସରେ ଜେହାନ ଜଣେ ବ୍ରିଟିଶ ଗୁଇନ୍ଦା ଟିଇ ଲରେନ୍ସଙ୍କୁ ବିବାହ କରିଥିଲେ। ଲରେନ୍ସ ଭାରତରେ କରାମ ଶାହ ନାଁରେ ଗୁପ୍ତ ଭାବେ ରହୁଥିଲେ। ଜେହାନ ତାଙ୍କୁ ତାଙ୍କ ବାପାଙ୍କ ହୋଟେଲରେ ଦେଖିଥିଲେ। ଏହି ଦେଖାସାକ୍ଷାତ ଅନୈତିକ ସମ୍ପର୍କର ରୂପ ନେଇଥିଲା। ଶେଷରେ କଥା ସାମ୍ନାକୁ ଆସିବା ପରେ ଜେହାନ ଓ ଲରେନ୍ସଙ୍କ ବିବାହ ହୋଇଥିଲା। କିନ୍ତୁ ଯେତେବେଳେ ଲରେନ୍ସଙ୍କ ପ୍ରକୃତ ପରିଚୟ ସାମ୍ନାକୁ ଆସିଥିଲା ସେତେବେଳେ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ତାରିକ ଏପରି ଦାବି କରିଥିଲେ ହେଁ ଏକଥାରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି।

ଖର୍ଚ୍ଚି ପୁଅର ପ୍ରତ୍ୟାବର୍ତ୍ତନ

୧୯୮୨ ମସିହା ସେପ୍ଟେମ୍ବର ମାସରେ ଶେଖ ଅବଦୁଲ୍ଲାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଫାରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ହେବା ସହ କଶ୍ମରୀର ଇତିହାସ ବଦଳି ଯାଇଥିଲା। ୧୯୮୦ ଆରମ୍ଭରେ ଉପତ୍ୟକା ପର୍ଯ୍ୟଟକଙ୍କ ଭୂସ୍ୱର୍ଗ ପାଲଟିଥିଲା। ପୂର୍ବରୁ ଦେଖା ଯାଇଥିବା ହିଂସା ବରଫ ତଳେ ଚାପି ହେବାକୁ ବସିଥିଲା। ସ୍ଥାନୀୟ ଲୋକ ବିଚ୍ଛିନ୍ନତାବାଦୀ ଏଜେଣ୍ଡାକୁ ଭୁଲି ସାରିଥିଲେ ଓ ଗୋଟିଏ ଭାରତୀୟ ରାଜ୍ୟ ଭାବେ ନିଜ ଭବିଷ୍ୟତର କଳ୍ପନା ଆରମ୍ଭ କରିଥିଲେ। କିନ୍ତୁ ଫାରୁକ ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ବଦଳି ଯାଇଥିଲା। 

୧୯୮୩ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିଜ ଆଡ଼ୁ ଫାରୁକ ଅବଦୁଲ୍ଲାଙ୍କ ସହ ମେଣ୍ଟ କରିବାକୁ ଚାହିଁଥିଲେ। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଇନ୍ଦିରା ଗାନ୍ଧି ପ୍ରତିଶୋଧ ନେବାକୁ ପଣ କରିଥିଲେ। ସେ ଅବଦୁଲ୍ଲାଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ। ଏଥିପାଇଁ କଂଗ୍ରେସ ଫାରୁକ ଅବଦୁଲ୍ଲାଙ୍କ ଭିଣୋଇ ଜିଏମ ଶାହଙ୍କୁ ବ୍ୟବହାର କରିଥିଲା। ତାଙ୍କୁ ବ୍ୟବହାର କରି କଂଗ୍ରେସ ୧୯୮୩ରେ ବଡ଼ ବିଜୟ ହାସଲ କରିଥିବା ଫାରୁକ ଅବଦୁଲ୍ଲାଙ୍କ ସରକାରଙ୍କୁ ଭାଙ୍ଗି ଦେଇଥିଲା।

K3କଶ୍ମୀର

ଶାହ ଓରଫ ଗୁଲଶନ ୧୯୮୪ ମସିହା ଜୁଲାଇ ୨ରୁ ୧୯୮୬ ମସିହା ମାର୍ଚ୍ଚ ୬ ଯାଏ ମୁଖ୍ୟମନ୍ତ୍ରୀ ଭାବେ ଜମ୍ମୁ-କଶ୍ମୀରରେ କାମ କରିଥିଲେ। ଏହି ସମୟରେ ଉପତ୍ୟକାରେ ପ୍ରବଳ ହିଂସା ଓ ସାଂପ୍ରଦାୟିକ ଦଙ୍ଗା ଦେଖାଯାଇଥିଲା। ସ୍ଥିତି ବେକାବୁ ହେବାରୁ ମୁଖ୍ୟମନ୍ତ୍ରୀ ଶାହ ଗୁଲ-ଇ-କର୍ଫ୍ୟୁ ଲାଗୁ କରିଥିଲେ। ଯେତେବେଳେ ତାଙ୍କ ସରକାରଙ୍କୁ ବରଖାସ୍ତ କରାଗଲା ଓ ୧୯୮୭ରେ ପୁଣି ନିର୍ବାଚନ ହେଲା ସେତେବେଳେ କଶ୍ମୀର ଗୋଟିଏ ବଡ଼ ଓ ଭୟଙ୍କ ବିସ୍ଫୋରଣକୁ ଅପେକ୍ଷା କରି ରହିଥିଲା।

ଗୋଟିଏ ଇରାନୀୟ ସ୍ୱପ୍ନ

୭୦ ଦଶକରେ ଜମାତ-ଇ-ଇସଲାମୀ ନାମକ ଗୋଟିଏ କଟରପନ୍ଥୀ ଇସଲାମିକ ଆଦର୍ଶରେ ପରିଚାଳିତ ଦଳ କଶ୍ମୀରରେ ଇରାନ ଶୈଳୀ ବିଦ୍ରୋହ ପାଇଁ ଉଦ୍ୟମ କରିଥିଲା। ଏହାର ପାକିସ୍ତାନୀ ନେତା ଇରାନର ତେହାରନକୁ ନିୟମିତ ଯାଉଥିଲେ। କଶ୍ମୀରରେ ଚାଲିଥିବା ଭାରତୀୟ ଶାସନକୁ ଇରାନର ଶାହ ଶାସନ ଭଳି ହଟାଯାଇ ପାରିବ କି ନାହିଁ, ତା’ର ବିଚାରବିମର୍ଶ କରୁଥିଲେ। କିନ୍ତୁ ଏହି ଇରାନୀୟ ସ୍ୱପ୍ନ କେବଳ ଗୋଟିଏ ଦଶନ୍ଧି ମଧ୍ୟରେ ଶେଷ ହୋଇଯାଇଥିଲା।

୧୯୮୭ ନିର୍ବାଚନ କଟରପନ୍ଥୀଙ୍କୁ ସେମାନଙ୍କ ଏଜେଣ୍ଡାକୁ ପ୍ରଚାର କରିବା ପାଇଁ ପ୍ରଥମ ସୁଯୋଗ ଦେଇଥିଲା। କଂଗ୍ରେସ ଦ୍ୱାରା ପ୍ରତାଡ଼ିତ ହେବା ପରେ ଫାରୁକ ଅବଦୁଲ୍ଲା ଗୋଟିଏ ଶାନ୍ତି ଚୁକ୍ତି ଇନ୍ଦିରା ଗାନ୍ଧିଙ୍କ ପୁଅ ରାଜୀବ ଗାନ୍ଧିଙ୍କ ସହ କରିଥିଲେ। ରାଜୀବ ୧୯୮୪ରେ ଇନ୍ଦିରାଙ୍କ ଉତ୍ତରାଧିକାରୀ ହୋଇଥିଲେ। ଶାନ୍ତି ଚୁକ୍ତିକୁ ଅଧିକାଂଶ କଶ୍ମିରୀ ଦିଲ୍ଲୀ ନିକଟରେ ଫାରୁକଙ୍କ ଆତ୍ମସମର୍ପଣ ଭାବେ ବିବେଚନା କରିଥିଲେ।

ଧାରା ୩୭୦ରେ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବା ବେଳେ ସେମାନେ ଶାନ୍ତି ଚୁକ୍ତିକୁ ସହଜରେ ଗ୍ରହଣ କରି ନଥିଲେ। କଶ୍ମୀରରେ ଶାନ୍ତି ଚୁକ୍ତି ଯୋଗୁ ବିରୋଧୀ ଆଉ ରହି ନଥିଲେ। ରାଜନୀତିରେ ଗୋଟିଏ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ତେଣୁ ୧୯୮୭ ନିର୍ବାଚନ ବେଳେ ଅନେକ ପାକିସ୍ତାନ ସପକ୍ଷବାଦୀ ଓ ଆଜାଦୀ ପାର୍ଟିଗୁଡ଼ିକ ମଧ୍ୟରେ ମେଣ୍ଟ ଦେଖାଯାଇଥିଲା। ଏମାନେ ମୁସଲିମ ୟୁନାଇଟେଡ ଫ୍ରଣ୍ଟ ଭାବେ ନିଜକୁ ନାମିତ କରିଥିଲେ। ଉପତ୍ୟକାରେ କୋରାନ ଶାସନ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଥିଲେ।

K4କଶ୍ମୀର

୧୯୮୭ ନିର୍ବାଚନ କଶ୍ମୀରକୁ ଭାରତ ଅନ୍ୟ ରାଜ୍ୟ ଭଳି ବିବେଚନା ପାଇଁ ଗୋଟିଏ ସୁଯୋଗ ସୃଷ୍ଟି କରିଥିଲେ ହେଁ କଂଗ୍ରେସ-ଏନସି ମେଣ୍ଟ ଅକଳରେ ପଡ଼ି ଯାଇଥିଲେ। ଯଦି ମୁସଲିମ ୟୁନାଇଟେଡ ଫ୍ରଣ୍ଟ ଜିତୁଛି, ତା’ହେଲେ ସେମାନଙ୍କ ବିଚ୍ଛିନ୍ନତାବାଦୀ ଏଜେଣ୍ଡା ପୁଣି ବ୍ୟାପିବ। ପାକିସ୍ତାନୀ ସପକ୍ଷବାଦୀ ଓ ଆଜାଦୀ ଫୋର୍ସ ରାଜନୀତିକ ସୁରକ୍ଷା ପାଇଯିବେ। ଯଦି ମେଣ୍ଟ ସରକାର ନିର୍ବାଚନ ଜିତୁଛନ୍ତି, ତା’ହେଲେ ଉପତ୍ୟକାରେ ଜାରି ରହିଥିବା ଭାବନା ସହ ଧୋକ୍କା ଭାବେ ବିବେଚିତ ହେବ। ଟ୍ରାପରେ ଫସିଥିବା ମେଣ୍ଟ ଚାରିଆଡ଼ୁ ଘେରାବନ୍ଦୀ ହୋଇଯାଇଥିବାରୁ ଦୁଇଟି କଷ୍ଟକର ବିକଳ୍ପ ମଧ୍ୟରୁ ସହଜ ବିକଳ୍ପକୁ ବାଛିଥିଲା।

ବାଲଟ ଓ ବୁଲେଟ

ଅମିରା କଦଲ ଶ୍ରୀନଗରର ହାର୍ଟ ଭାବେ ପରିଚିତ ଥିଲା। ଐତିହାସିକ ଲାଲ ଚୌକ ଓ ସୁନ୍ଦର ଡାଲ ଲେକର ଅତି ନିକଟ ଥିବା ଅମିରା କଦଲ ନିଜର ଆର୍ଥିକ ଓ ରାଜନୀତିକ ସ୍ଥିତି ପାଇଁ ବେଶ ଜଣାଶୁଣା। ୧୯୮୭ ବିଧାନସଭା ନିର୍ବାଚନ ବେଳେ ଅମିରା କଦଲ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ଏଠାରେ ମୁସଲିମ ୟୁନାଇଟେଡ ଫ୍ରଣ୍ଟ ଜଣେ ସ୍କୁଲ ଶିକ୍ଷକ ମହମ୍ମଦ ୟୁସୁଫ ଶାହଙ୍କୁ ନିଜର ପ୍ରାର୍ଥୀ କରିଥିଲା।

କୁହାଯାଏ ଯେ ଅମିରା କଦଲରେ ୟୁସୁଫ ଶାହ ଲିଡ କରୁଥିଲେ। କିନ୍ତୁ ଏଠାରେ ଏନସି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯାଇଥିଲା। ବୁଥ ରିଗିଂ ଓ ଟାମ୍ପରିଂ ଦ୍ୱାରା ଏପରି କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହାକୁ ପ୍ରମାଣ କରିବା ପାଇଁ କୌଣସି ସରକାରୀ ତଥ୍ୟ କିମ୍ବା ଭୋଟିଂ ତାଲିକା ନାହିଁ।

୧୯୮୭ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା କଥା କୁହାଯାଇଥିଲେ ହେଁ କଂଗ୍ରେସ ଓ ଏନସି ବିଜୟୀ ହୋଇଥିଲେ। ଉପତ୍ୟକାରେ ମୁସଲିମ ୟୁନାଇଟେଡ ଫ୍ରଣ୍ଟ ୩୧% ଭୋଟ ପାଇଥିଲେ ହେଁ କେବଳ ୪ଟି ଆସନ ଜିତି ପାରିଥିଲା। ପରବର୍ତ୍ତୀ ଅବସ୍ଥାରେ ୟୁସୁଫ ଶାହଙ୍କ ଭଳି ମୁସଲିମ ୟୁନାଇଟେଡ ଫ୍ରଣ୍ଟର ଅନେକ ନେତାକୁ ଜେଲରେ ଭର୍ତ୍ତି କରାଯାଇଥିଲା। ଭାରତୀୟ ନିର୍ବାଚନ କମିଶନ ମଧ୍ୟ ସେମାନଙ୍କ ‘ଚୋରି ଜନାଦେଶ’ ଅଭିଯୋଗକୁ ଗ୍ରହଣ କରି ନଥିଲେ।

K5କଶ୍ମୀର

ସମସ୍ତ ରାଜନୀତିକ ବିଶେଷଜ୍ଞମାନେ କୁହନ୍ତି ଯେ ୧୯୮୭ ନିର୍ବାଚନ କଶ୍ମୀରକୁ ଆତଙ୍କବାଦୀ ଓ ପାକିସ୍ତାନର ଆଇଏସଆଇ କବଳକୁ ଠେଲି ଦେଇଥିଲା। ସେମାନେ ନିର୍ବାଚନର ଫଳାଫଳ ଦେଖି ଗଣତାନ୍ତ୍ରିକ ବ୍ୟବସ୍ଥା ସେମାନଙ୍କ ପାଇଁ ବନ୍ଦ ହୋଇଥିବା ଭାବି ନେଇଥିଲେ।

ଜେଲରୁ ବାହାରିବା ପରେ ୟୁସୁଫ ଶାହ ଭାରତ ଛାଡ଼ି ପାକିସ୍ତାନକୁ ଚାଲି ଯାଇଥିଲେ। ତାଙ୍କ ପଥକୁ ଶାହଙ୍କ ନିର୍ବାଚନ ଏଜେଣ୍ଟ ୟାସିନ ମଲିକ ଅନୁସରଣ କରିଥିଲେ। ପାକିସ୍ତାନ ପ୍ରତି କଶ୍ମୀରର ପ୍ରମୁଖ ନେତାଙ୍କ ଭଲ ପାଇବା ବଢ଼ିବାରୁ ଇସଲାମାବାଦ ଏହାକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ସୁଯୋଗ ପାଇ ଯାଇଥିଲା।

ଲଣ୍ଡନରୁ ଆସିଥିବା ଭ୍ରମଣକାରୀ

୧୯୮୫ ମସିହା ସେପ୍ଟେମ୍ବର ମାସରେ କଶ୍ମିରୀ ବିଦ୍ରୋହୀ ଅମନୁଲ୍ଲା ଖାନକୁ ଲଣ୍ଡନରୁ ପାକିସ୍ତାନକୁ ପ୍ରତ୍ୟର୍ପିତ କରାଯାଇଥିଲା। ସେ ସେଠାରେ ବେଆଇନ ଗୁଳିଗୋଳା ରଖିବା ଘଟଣାରେ ଧରାପଡ଼ିବାରୁ ବ୍ରିଟେନ ସରକାର ତା’କୁ ପାକିସ୍ତାନ ପଠାଇ ଦେଇଥିଲେ। ୧୯୮୪ ମସିହା ଫେବୃଆରୀ ୩ ତାରିଖ ସନ୍ଧ୍ୟା ପ୍ରାୟ ୬ଟା। ଭାରତୀୟ ଦୂତାବାସର ଦ୍ୱିତୀୟ ପାହ୍ୟା ଅଫିସର ୪୮ ବର୍ଷୀୟ ରବୀନ୍ଦ୍ର ହାରେଶ୍ୱର ମହାତ୍ରେ ବର୍ମିଂହାମର ବାର୍ଟଲେ ଗ୍ରୀନ୍ସ ସ୍ଥିତ ନିଜ ଘର ପାଖରେ ଥିବା ବସ ଷ୍ଟାଣ୍ଡରେ ଓହ୍ଲାଇଥିଲେ। ତାଙ୍କ ହାତରେ ଝିଅ ଆଶାଙ୍କ ପାଇଁ ଜନ୍ମ ଦିନର କେକ ରହିଥିଲା। କିନ୍ତୁ ହଠାତ୍‌ ୩ ଜଣ ଲୋକ ତାଙ୍କ ପାଖକୁ ଆସି ପାଟିତୁଣ୍ଡ କରିଥିଲେ। ତାଙ୍କୁ ଧକ୍କା ମାରି ଗୋଟିଏ ନାଲି କାରରେ ଭର୍ତ୍ତି କରି ନିକଟସ୍ଥ ମୁସଲିମ ବହୁଳ ଅଞ୍ଚଳକୁ ନେଇ ଯାଇଥିଲେ।

ରାତି ପ୍ରାୟ ୩ଟା ବେଳେ କଶ୍ମୀର ଲିବେରେସନ ଆର୍ମି(କେଏଲଏ) ରବୀନ୍ଦ୍ରଙ୍କ ଅପହରଣ ପାଇଁ ନିଜକୁ ଦାୟୀ କରିଥିଲା। ଏଥିସହ ରବୀନ୍ଦ୍ରଙ୍କ ବଦଳରେ ତିହାର ଜେଲରେ ଥିବା ସ୍ଥାନୀୟ ଆତଙ୍କବାଦୀ ମକବୁଲ ଭଟର ରିଲିଜ ଦାବି କରିଥିଲା।

ହେଲେ ଅପହରଣକାରୀ ଭାରତର ଆଭିମୁଖ୍ୟ ଦେଖି ଡରି ଯାଇଥିଲେ। ସେମାନେ ଭୟ ଓ ଆତଙ୍କିତ ହୋଇ ‍ଫେବୃଆରୀ ୫ରେ ରବୀନ୍ଦ୍ରଙ୍କୁ ବର୍ମିଂହାମ ଠାରୁ ୨୦ କିମି ଦୂର ଗୋଟିଏ ନିଛାଟିଆ ଗଳିରେ ୨ ଥର ଗୁଳି ମାରି ଫିଙ୍ଗି ଦେଇଥିଲେ। ସେହିଦିନ ସନ୍ଧ୍ୟାରେ ତାଙ୍କ ମୃତଦେହକୁ ଗଳିରୁ ପୁଲିସ ଠାବ କରିଥିଲା।

ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ୍‌ ଜମ୍ମୁ-କଶ୍ମୀରର ଲିବେରେସନ ଫ୍ରଣ୍ଟର ସହଯୋଗୀ କେଏଲଏ ଘଟଣାରେ ସାମିଲ ଥିବା ଜାଣିବାକୁ ପାଇଥିଲା। ମକବୁଲ ଓ ଅମନୁଲ୍ଲା ଖାନ ୧୯୬୫ରେ ପ୍ରତିଷ୍ଠା କରିଥିବା ଏନଏଲଏଫର ଏହା ଅଂଶବିଶେଷ ଥିଲା। ୧୯୭୭ରେ ବର୍ମିଂହାମରେ ଜେକେଏଲଏଫ ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରମୁଖ ବିନ୍ଧାଣି ଥିଲା ଅମନୁଲ୍ଲା ଖାନ ଓ ଏହାକୁ କଶ୍ମିରୀରୁ ଯାଇ ସେଠାରେ ଥିବା ଲୋକମାନେ ସହାୟତା କରୁଥିଲେ।

K6କଶ୍ମୀର

୧୯୮୦ ଦଶକରେ ଆଇଏସଆଇ ପକ୍ଷରୁ ଜେକେଏଲଏଫକୁ ଅସ୍ତ୍ରଶସ୍ତ୍ର ଓ ତାଲିମ ମଧ୍ୟ ଯୋଗାଇ ଦିଆଯିବା ଆରମ୍ଭ ହୋଇଥିଲା। ମହାତ୍ରେଙ୍କ ହତ୍ୟା ପାଇଁ ମହମ୍ମଦ ରିଆଜ ଓ ଅବଦୁଲ୍ଲା ରାଜେ ନାମକ ଦୁଇ ଜଣ ଯୁବକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ମହାତ୍ରେଙ୍କୁ ଅପହରଣ ବେଳେ ଅମନୁଲ୍ଲା ଖାନ ବର୍ମିଂହାମରେ ଉପସ୍ଥିତ ରହିବା ସହ ପୂରା ଯୋଜନାକୁ କାର୍ଯ୍ୟକାରୀ କରିଥିଲା। କାଳେ ସେ ମାଷ୍ଟରମାଇଣ୍ଡ ବୋଲି ଧରାପଡ଼ି ଯିବ, ସେହି ଭୟରେ ଅମନୁଲ୍ଲା ହିଁ ମହାତ୍ରେଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଅମନୁଲ୍ଲା ଖାନର ଜେକେଏଲଏଫକୁ ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ଯୋଜନା କରିଥିଲା। ଏହି ସମୟରେ କଶ୍ମିରୀ କଟରପନ୍ଥୀ ମଧ୍ୟ ଗୋଟିଏ ସଶସ୍ତ୍ର ବିଦ୍ରୋହ ପାଇଁ ଅପେକ୍ଷା କରି ରହିଥିଲେ। ଅମନୁଲ୍ଲା ପ୍ରଥମେ ଅସଫାକ ମାଜିଦ ୱାନି, ଶେଖ ଅବଦୁଲ ହମିଦ, ଜାଭେଦ ଅହମଦ ମୀର ଓ ୟାସିନ ମଲିକକୁ ଭାରତ ବିରୋଧୀ କାମ ପାଇଁ ନିଯୁକ୍ତ କରିଥିଲା। ପ୍ରଥମେ ସେମାନଙ୍କୁ ଆଇଏସଆଇ କ୍ୟାମ୍ପରେ ତାଲିମ ଦିଆଯାଇଥିଲା। ଏହାପରେ ଜେକେଏଲଏଫ ସେମାନଙ୍କୁ କଶ୍ମୀରକୁ ପଠାଇ ଆତଙ୍କ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଜିଆଙ୍କ ନିଜାମ-ଇ-ମୁସ୍ତାଫା

୧୯୭୬ ମସିହା ମାର୍ଚ୍ଚରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଣଦେଖା କରି ଭାରତର ଜଲନ୍ଧରରେ ଜନ୍ମ ଗ୍ରହଣ କରିଥିବା ଜିଆ ଉଲ ହକଙ୍କୁ ସେନା ମୁଖ୍ୟ କରିଥିଲେ। ପାକିସ୍ତାନ ସେନା ମୁଖ୍ୟ ହେବା ପରେ ଜେନେରାଲ ଜିଆ ସବୁ ପଛ କଥା ଭୁଲି ଯାଇଥିଲେ। ସେ ଭୁଟ୍ଟୋଙ୍କ ବିରୋଧରେ ସାମରିକ ବିଦ୍ରୋହ କରିଥିଲେ ଓ ଅହମଦ ଖାନ କସୁରୀଙ୍କ ହତ୍ୟା ମାମଲାରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। କସୁରୀ ସଂଯୋଗବଶତଃ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଫାଶୀ ଦଣ୍ଡାଦେଶରେ ବ୍ରିଟଶ ବିଚାରପତି ଭାବେ ଦସ୍ତଖତ କରିବା ସହ ସାକ୍ଷୀ ରହିଥିଲେ।

ଭୁଟ୍ଟୋଙ୍କ ପତନ ପରେ ପାକିସ୍ତାନରେ ପ୍ରବଳ ବିକ୍ଷୋଭ ଦେଖାଯାଇଥିଲା। ପାକିସ୍ତାନର ବିରୋଧୀ ଦଳଗୁଡ଼ିକ ନିଜାମ-ଇ-ମୁସ୍ତାଫା(ପ୍ରଫେଟ ଶାସନ) ଲାଗୁ କରିବାକୁ ଦାବି କରଥିଲେ। ନିଜ କ୍ଷମତାକୁ ଅଧିକ ସୁଦୃଢ଼ ଓ ଆଣ୍ଟି ଭୁଟ୍ଟୋ କ୍ୟାମ୍ପକୁ ଖୁସି କରିବା ପାଇଁ ଜିଆ ଉଲ ହକ ପାକିସ୍ତାନର ଇସଲାମିକକରଣ ଆରମ୍ଭ କରିଥିଲେ। ସେ ପାକିସ୍ତାନର ଆଇନଗତ, ସାମାଜିକ ଓ ସାଂସ୍କୃତିକ ପରମ୍ପରାକୁ ନିଜେ ବୁଝିଥିବା ଇସଲାମିକ ଆଇନ ଅନୁସାରେ ପୁନର୍ଗଠନ କରିଥିଲେ।

ନିଜର କ୍ଷମତାକୁ ବାରମ୍ବାର ନିର୍ବାଚନକୁ ଟାଳି ଅକ୍ଷୁର୍ଣ୍ଣ ରଖିଥିବା ଜିଆ ପରବର୍ତ୍ତୀ ଅବସ୍ଥାରେ କଶ୍ମୀର ମୁହାଁ ହୋଇଥିଲେ। ଆଇଏସଆଇକୁ ବିଚ୍ଛିନ୍ନତାବାଦୀ ଓ କଟରପନ୍ଥୀଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ କହିଥିଲେ। ଆଫଗାନିସ୍ତାନରେ ଜିହାଦ ପାଇଁ ପଶ୍ଚିମ ଦେଶଗୁଡ଼ିକ ପାକିସ୍ତାନ ସରକାରକୁ ଦେଉଥିବା ପାଣ୍ଠିକୁ ମଧ୍ୟ ଜିଆ ଉଲ ହକ କଶ୍ମିରୀ ମସଜିଦ ଓ ସେମିନାର ପାଇଁ ପଠାଇଥିଲେ। ଏହି ପାଣ୍ଠି ଯୋଗାଣ କରି ସେ ଭାରତ ବିରୋଧରେ ବିଷର ମଞ୍ଜି ବୁଣିଥିଲେ।

ତେବେ କଶ୍ମୀର କାର୍ଡରେ ଜିଆ ଜଣେ ଚାଲାକ ଖେଳାଳି ଥିଲେ। ଅନ୍ତର୍ଜାତୀୟ ଫୋରମରେ ସେ ସବୁବେଳେ ଭାରତ ସହ ଶିମଲା ଚୁକ୍ତିକୁ ବଜାୟୀ ରଖିବା ସପକ୍ଷରେ ମତ ରଖୁଥିଲେ। କିନ୍ତୁ ସେ ଭଲ ଭାବେ ଜାଣିଥିଲେ ଯେ ପାକିସ୍ତାନୀ ଆର୍ମିକୁ ନିଜ ଅଧୀନରେ ରଖିବା ପାଇଁ ତାଙ୍କୁ ସବୁବେଳେ କଶ୍ମୀର ପ୍ରସଙ୍ଗକୁ ଜୀବିତ ରଖିବାକୁ ପଡ଼ିବ।

K8କଶ୍ମୀର

ଇତିହାସକୁ ଚାଲାକ ଜିଆ ଅନେକ କିଛି ଶିଖିଥିଲେ। ସେ କଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ ନିଜ ଟ୍ରୁପ କିମ୍ବା ଆଦିବାସୀ ଲସ୍କରଙ୍କୁ ପଠାଉ ନଥିଲେ, ବରଂ ସଶସ୍ତ୍ର ବିଦ୍ରୋହ ପାଇଁ ସ୍ଥାନୀୟ କଶ୍ମିରୀ ଯୁବକଙ୍କୁ ତାଲିମ ଦେବାକୁ ଚାହିଁଥିଲେ। ଏହାଦ୍ୱାରା କଶ୍ମୀରକୁ ନିୟନ୍ତ୍ରଣକୁ ନେବା ଭାରତ ପକ୍ଷରେ ସହଜ ହେବନି ବୋଲି ତାଙ୍କୁ ଜଣା ଥିଲା। ସେ ଭାରତକୁ ହଜାର ଖଣ୍ଡ କରି ରକ୍ତରଞ୍ଜିତ କରିବାକୁ ଚାହୁଁଥିଲେ। ଯୁଦ୍ଧ ବଦଳରେ ସେ ନିୟମିତ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରୋତ୍ସାହିତ କରୁଥିଲେ।

୮୦ ଦଶକ ଯାଏ ପାକିସ୍ତାନ ଅପରେସନ ଟୁପାକ ବା ଟୋପାକ ଯୋଜନାରେ କାମ କରୁଥିଲା। ଅପରେସନ ଗୁଲମାର୍ଗ ଓ ଅପରେସନ ଗିବ୍ରାଲଟର ଭଳି ଅପରେସନ ଟୁପାକ ଜରିଆରେ ପାକିସ୍ତାନ କଶ୍ମୀରକୁ ଦଖଲ କରିବାକୁ ଚାହୁଁଥିଲା। ୧୮ ଶତାବ୍ଦୀର ବିଦ୍ରୋହ ଟୋପାକ ଆମୀନରୁ ଅନୁପ୍ରାଣିତ ହୋଇ ପାକିସ୍ତାନ ଏପରି ଅପରେସନ ଆରମ୍ଭ କରିଥିଲା। ୧୯୮୭ ନିର୍ବାଚନ ପରେ ଜିଆ ଯେଉଁଥି ପାଇଁ ଭୋକିଲା ଥିଲେ, ତା’ର ସୁଯୋଗ ତାଙ୍କୁ ମିଳିଥିଲା।

ଉପତ୍ୟକାରେ ବିସ୍ଫୋରକ ସ୍ଥିତି

୧୯୮୯ ମସିହା ଗ୍ରୀଷ୍ମ ସମୟରେ ସବୁ କିଛି ସ୍ୱାଭାବିକ ଥିଲା। ପର୍ଯ୍ୟଟନ ଋତୁ ବେଶ ଭଲ ଭାବେ ଚାଲିଥିଲା। ସେହିବର୍ଷ ସବୁ ଠାରୁ ଅଧିକ ପର୍ଯ୍ୟଟକ ପ୍ରକୃତିକୁ ଉପଭୋଗ କରିବାକୁ ଭାରତର ଭୂସ୍ୱର୍ଗ କଶ୍ମୀରକୁ ଆସିଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ବେଶ ହସଖୁସିରେ ଡାଲ ଲେକ ନିକଟରେ ନିଜ ବାଇକରେ ବୁଲୁଥିଲେ। ସବୁ କିଛି ଶାନ୍ତ ଓ ସ୍ୱାଭାବିକ ରହିଥିଲା।

ଏହି ଶାନ୍ତି ଭିତରେ ଆତଙ୍କର ମଞ୍ଜି ବୁଣା ଚାଲିଥିଲା। ୧୯୮୭ରେ ଭାଗ ନେଇଥିବା ସମସ୍ତ କଟରପନ୍ଥୀ ରାଜନୀତିକ ଦଳ ସେମାନଙ୍କ ବିଦ୍ରୋହୀ ସଂଗଠନ କରି ସାରିଥିଲେ। ଅଲ ବାରକ, ଅଲ ଫତେ, ଅଲ ଜେହାଦ, ଆଲ୍ଲା ଟାଇଗର୍ସ ଓ ଜେକେଏଲଏଫ ଉପତ୍ୟକାରେ ନିଜର କାୟା ବିସ୍ତାର କରି ଚାଲିଥିଲେ। ଲସ୍କର-ଇ-ତାଏବା ଓ ହିଜବୁଲ ମୁଜାହିଦ୍ଦିନର ନେତୃତ୍ୱ ୟୁସୁଫ ଶାହ ନେଉଥିଲେ। ତାଙ୍କ ଆତଙ୍କବାଦୀ ଅବତାର ସାମ୍ନାକୁ ଆସିଥିଲେ। ସେ ନିଜ ନାଁ ବଦଳାଇ ସୟିଦ ସଲାହୁଦ୍ଦିନ ରଖି ସାରିଥିଲେ। ସଲାଉଦ୍ଦିନ କଶ୍ମୀର ଆତଙ୍କର ନୂଆ ଚେହେରା ଥିଲା।

K9କଶ୍ମୀର

୧୯୮୮ରେ କଶ୍ମୀରରେ ଏକାଧିକ ସ୍ନିପର ଆକ୍ରମଣ, ବୋମା ବିସ୍ଫୋରଣ, ବିକ୍ଷୋଭ ଓ ହିଂସା ଦେଖାଯାଇଥିଲା। ବିଦ୍ରୋହର ନିଆଁ ଜଳିବା ଆରମ୍ଭ ହୋଇଥିଲା।

ପ୍ରଥମ ରକ୍ତ

୧୯୮୯ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଓ ଟେରର ଗ୍ରୁପର ବର୍ଷ ଥିଲା। ସେମାନଙ୍କ ସ୍ୱର ପୂରା ଉପତ୍ୟକାରେ ଶୁଭୁଥିଲା। ଆତଙ୍କର ସ୍ୱର ଆଗରେ ଅବଦୁଲ୍ଲା ସରକାରର ସ୍ୱର ଫିକା ପଡ଼ି ଯାଇଥିଲା। ଭାରତୀୟ ଇତିହାସର ପ୍ରମୁଖ ଦିବସଗୁଡ଼ିକରେ ସେମାନେ ବନ୍ଦ ଡାକରା ଦେଉଥିଲେ। ଦୈନିକ ବନ୍ଦ ଓ ବିକ୍ଷୋଭ ପୂରା କଶ୍ମୀରକୁ ଅସ୍ଥିର କରି ଦେଇଥିଲା। ଅଗଷ୍ଟ ୧୫ ହେଉଛି ଭାରତର ସ୍ୱାଧୀନତା ଦିବସ। ସେହିଦିନ ଗୋଟିଏ ହରତାଲ ଓ ବନ୍ଦ ଡାକରା ଦିଆଯାଇଥିଲା। ସଶସ୍ତ୍ର ଆତଙ୍କବାଦୀ ଓ କାଠ ଫାଳିଆ ଖଚିତ ବିଚ୍ଛିନ୍ନତାବାଦୀ ବେଧଡ଼କ ଅନ୍ଦାଜରେ ରାସ୍ତାରେ ବୁଲିବାକୁ ଲାଗିଥିଲେ। ସମସ୍ତଙ୍କୁ ଅଗଷ୍ଟ ୧୫ରେ ଆଲୁଅ ବନ୍ଦ କରିବାକୁ କୁହାଯାଇଥିଲା। ପୂରା କଶ୍ମୀର ଅନ୍ଧାରରେ ରହିଥିଲା। କିନ୍ତୁ ଅନ୍ଧାର ରାତିରେ ଗୋଟିଏ ଆଲୁଆ ଜଳିବା ସ୍ୱାଭାବିକ। ସେହି ଆଲୁଅ ଏନସିର କର୍ମୀ ୟୁସୁଫ ୱାନିଙ୍କ ଦୋକାନରୁ ବାହାରିଥିଲା। ସେ ବନ୍ଦ ଡାକରାକୁ ମାନି ନଥିଲେ।

ଅଗଷ୍ଟ ୨୧ରେ ୟୁସୁଫ ୱାନି ହାଲାୱାଇ ଶ୍ରୀନଗରର ଗୋଲ୍ଡ ହବ ଭାବେ ପରିଚିତ ସରାଫ କଦଲ ସ୍ଥିତ ମିଠା ଦୋକାନର କାଉଣ୍ଟରରେ ବସିଥିଲେ। ଏହି ସମୟରେ ଜେକେଏଲଏଫର ଆତଙ୍କବାଦୀମାନେ ସେଠାରେ ପହଞ୍ଚି ତାଙ୍କ ମୁଣ୍ଡରେ ଗୁଳି ବର୍ଷା କରିଥିଲେ। ୟୁସୁଫ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିବା କ୍ଷଣି ଆତଙ୍କବାଦୀମାନେ ସେଠାରୁ ଫେରାର ମାରିଥିଲେ।
ଅଗଷ୍ଟ ୧୫ରେ ୟୁସୁଫ ୱାନି ଆଲୁଅ ବନ୍ଦ କରି ନଥିବାରୁ ତାଙ୍କୁ ଆତଙ୍କବାଦୀମାନେ ଦଣ୍ଡ ଦେଇଥିଲେ। ସେମାନେ ସ୍ପଷ୍ଟ ଭାବେ କହିଥିଲେ ଯେ “ଯଦି ତୁମେ ଭାରତ ସହ ରହିଛି, ତା’ହେଲେ ତୁମେ କଶ୍ମୀର ବିରୋଧୀ।”

K10କଶ୍ମୀର

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଅଗଷ୍ଟ ୨୧ରେ ପ୍ରଥମଥର ପାଇଁ କଶ୍ମୀରରେ ଟାର୍ଗେଟ କିଲିଂ ଦେଖାଯାଇଥିଲା। ୧୯୬୬ରେ ମକବୁଲ ଭଟ ଜଣେ ସିଆଇଡି ଇନସପେକ୍ଟରଙ୍କୁ ହତ୍ୟା କରିଥିଲା। ଏହାପରେ ୟୁସୁଫଙ୍କୁ କଶ୍ମୀର ବିରୋଧୀ କହି ଆତଙ୍କବାଦୀ ହତ୍ୟା କରିଥିଲେ। ହେଲେ ୧୯୮୯ ମସିହା ଅଗଷ୍ଟ ୨୧ ପରେ ହିଂସା ଓ ଇସଲାମି ଟେରରର ମୂଳଦୂଆ ପଡ଼ିଥିଲା। ଯେଉଁମାନେ ଭାରତ କିମ୍ବା ଭାରତର ଜାତୀୟ ପତାକା ସପକ୍ଷରେ ରହୁଥିଲେ, ସେମାନଙ୍କୁ ଟାର୍ଗେଟ କରାଯାଉଥିଲା। ଧୀରେଧୀରେ ଲୋକମାନେ ଡରିବା ଆରମ୍ଭ କରିଥିଲେ।

ମାତ୍ର କିଛି ସପ୍ତାହ ମଧ୍ୟରେ କଶ୍ମୀର ପୂରା ଗ୍ରୀନ ପତାକାରେ ଭର୍ତ୍ତି ହୋଇଯାଇଥିଲା। ମାଟି ରକ୍ତରଞ୍ଜିତ ହୋଇଥିଲା। ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ସଂଖ୍ୟାଲଘୁ କଶ୍ମୀର ପଣ୍ଡିତ।

K11କଶ୍ମୀର

ତୃତୀୟ ଭାଗରେ- ଧର୍ମ ବଦଳାଅ, ଚାଲି ଯାଅ ନଚେତ ମର: ସ୍ୱାଧୀନତା ପରେ ସବୁଠାରୁ ବଡ଼ ପଳାନୟ

<!–

  • Share this article on

–>


telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।



Related Stories

SOURCE :- ODISHA REPORTER