Source :- ODIA PUA

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନମଣ୍ଡଳୀର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିବା ଲକ୍ଷ୍ୟରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ “ବିଧାୟକ ମେଧା ସମ୍ମାନ’ ସମାରୋହ। ଧାମନଗର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ଏବଂ ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟଗୁଡ଼ିକୁ ସମ୍ମାନିତ କରିବେ। ଏହି ଅବସରରେ ମନ୍ତ୍ରୀ ଧାମନଗରର ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଏକ ବୃହତ୍ ‘ଆକ୍ସନ୍ ପ୍ଲାନ୍‌’ ରୂପରେଖ ପ୍ରକାଶ କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀ ଓ ଶ୍ରେଷ୍ଠ ସ୍କୁଲ ହେବେ ପୁରସ୍କୃତ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ଏ୧ ଗ୍ରେଡ୍ ହାସଲ କରିଥିବା କୃତୀ ସନ୍ତାନମାନଙ୍କୁ ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯିବ। ଏହା ସହିତ କଳା, ସଂସ୍କୃତି, କ୍ରୀଡ଼ା ଏବଂ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଚଳର ନାମ ଗୌରବାନ୍ୱିତ କରିଥିବା ପ୍ରତିଭାମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଜାତୀୟ ଶିକ୍ଷାନୀତି ର ଅନୁପାଳନ, ସ୍ୱଚ୍ଛ କ୍ୟାମ୍ପସ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜୀରୋ ଡ୍ରପଆଉଟ ସୁନିଶ୍ଚିତ କରିଥିବା ବିଦ୍ୟାଳୟଗୁଡ଼ିକୁ ବେଷ୍ଟ ପରଫର୍ମିଂ ବିଦ୍ୟାଳୟ ଭାବେ ପୁରସ୍କୃତ କରାଯିବ। କୌଣସି ପିଲା ଯେପରି ଅଧାରୁ ପାଠ ନଛାଡ଼ନ୍ତି, ସେଥିପାଇଁ ଏକ ସ୍ୱତନ୍ତ୍ର ଉପସ୍ଥାନ ଟ୍ରାକିଂ ବ୍ୟବସ୍ଥା କରାଯାଇଛି। କୌଣସି ଛାତ୍ର ଲଗାତାର ୩ ଦିନ ଅନୁପସ୍ଥିତ ରହିଲେ ତାର ତଥ୍ୟ ସିଧାସଳଖ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବ ଏବଂ ସାପ୍ତାହିକ ସମୀକ୍ଷା ହେବ। ଆସନ୍ତାକାଲିର ଏହି କାର୍ଯ୍ୟକ୍ରମ ଧାମନଗର ମାଟିରେ ଏକ ଐତିହାସିକ ଶିକ୍ଷା କ୍ରାନ୍ତିର ସୂତ୍ରପାତ କରିବ ବୋଲି ଶିକ୍ଷାବିତ୍ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ଧାମନଗର ନିର୍ବାଚନମଣ୍ଡଳୀରେ ଶିକ୍ଷାର ବିକାଶ ନିମନ୍ତେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗତ ନଭେମ୍ବରରେ ଏହି ବିଧାୟକ ମେଧା ସମ୍ମାନର ଶୁଭାରମ୍ଭ କରିଥିଲେ। ଏନେଇ ଡିସେମ୍ବର ମାସରେ ପ୍ରଧାନଶିକ୍ଷକ ସମ୍ମିଳନୀ କରି କାର୍ଯ୍ୟକ୍ରମର ରୂପରେଖ ଘୋଷଣା କରିଥିଲେ।

SOURCE: ODIA PUA