Source :- ODIA PUA
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରବଳ ବର୍ଷା ଓ ବନ୍ୟାଜଳ ମଧ୍ୟରେ ପାଣି ନିଷ୍କାସନକୁ ନେଇ ବିରୁହାଁ ଗ୍ରାମରେ ଦୁଇ ପଡ଼ୋଶୀ ପରିବାର ମଧ୍ୟରେ ଘଟିଛି ତୀବ୍ର ସଂଘର୍ଷ। ଅଭିଯୋଗ-ପ୍ରତ୍ୟଭିଯୋଗକୁ ନେଇ ଧାମନଗର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବାବେଳେ ଉଭୟ ମାମଲାରେ ସମୁଦାୟ ୧୩ ଜଣଙ୍କ ନାମ ରହିଛି।ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୪ ତାରିଖ ରାତିରେ ବର୍ଷାଜଳ ନିଷ୍କାସନ ଓ ନଦୀବନ୍ଧ ମରାମତିକୁ ନେଇ ବିବାଦ ତୀବ୍ର ରୂପ ନେଇଥିଲା। ସଦାଶିବ ଜେନାଙ୍କ ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧୧ଟାରେ ଘରେ ବନ୍ୟାଜଳ ପଶିବା ଆଶଙ୍କାରେ ସେ ନଦୀବନ୍ଧ ମରାମତି କରୁଥିବା ସମୟରେ କାଳନ୍ଦୀ ଜେନାଙ୍କ ପରିବାର ଏହାକୁ ବିରୋଧ କରିଥିଲେ।ପରେ ବିବାଦ ଉଗ୍ର ରୂପ ନେଇଥିବା ଏବଂ ଶାବଳ, କୁରାଢ଼ି, ଛୁରୀ ଭଳି ଅସ୍ତ୍ର ଧରି ଆକ୍ରମଣ କରାଯାଇଥିବା ସଦାଶିବ ଅଭିଯୋଗ କରିଛନ୍ତି। ଠେଙ୍ଗା ମାଡ଼ରେ ତାଙ୍କ ଘାଟିରେ ଗୁରୁତର ଆଘାତ ଲାଗିଥିବା ଏବଂ ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।ଏହି ଘଟଣାରେ କେଶ ନମ୍ବର ନଂ-୩୫୫/ ୨୬ ରୁଜୁ ହୋଇ କାଳନ୍ଦୀ ଜେନା, ସଂକିରୀ ଜେନା, ଛଗିଲି ଜେନା, ଚୈତନ୍ୟ ଜେନା, ବଳରାମ ଜେନା, ରସ୍ମିତା ଜେନା, ଅଭିଲାଷ ଜେନା ଓ ଉର୍ମିଳା ଜେନାଙ୍କ ନାମରେ ମାମଲା ହୋଇଛି।ଅନ୍ୟପକ୍ଷରେ, କାଳନ୍ଦୀ ଜେନାଙ୍କ ସ୍ତ୍ରୀ ଲିପାରାଣୀ ଜେନାଙ୍କ ପକ୍ଷରୁ ମଧ୍ୟ ଗୁରୁତର ପ୍ରତ୍ୟଭିଯୋଗ ଆସିଛି। ତାଙ୍କ ଅଭିଯୋଗ ଅନୁସାରେ, ରାତି ପ୍ରାୟ ୯ଟା ୩୦ରେ ସେମାନେ ଅଗଣାରୁ ବର୍ଷାଜଳ ନିଷ୍କାସନ କରୁଥିବାବେଳେ ସଦାଶିବ ଜେନା ଓ ତାଙ୍କ ସହଯୋଗୀମାନେ ଆସି ବିବାଦ କରିଥିଲେ। ଏହାକୁ ନେଇ କାଳନ୍ଦୀଙ୍କୁ ଆକ୍ରମଣ କରାଯାଇଥିବା ଏବଂ ତାଙ୍କ ୬ ବର୍ଷର ଝିଅ ମଧ୍ୟ ଆହତ ହୋଇଥିବା ସେ ଅଭିଯୋଗ କରିଛନ୍ତି।ଏଥିସହ ପୋଲିସକୁ ଜଣାଇଲେ ଘରେ ପେଟ୍ରୋଲ ଢାଳି ଜାଳିଦେବାକୁ ଧମକ ମିଳିଥିବାରୁ ଭୟରେ ସେମାନେ ଗାଁ ଛାଡ଼ି ଅନ୍ୟତ୍ର ରହିଥିବା ଲିପାରାଣୀ ଅଭିଯୋଗ କରିଛନ୍ତି।ଏହି ପ୍ରତ୍ୟଭିଯୋଗ ଆଧାରରେ କେଶ ନମ୍ୱର ନଂ-୩୫୬/୨୬ ରୁଜୁ ହୋଇ ସଦାଶିବ ଜେନା, ବିଦ୍ୟାଧର ଜେନା (ପିତା–ରଥ ଜେନା), ବିଦ୍ୟାଧର ଜେନା (ପିତା–ବିଦ୍ୟାଧର ଜେନା), ବୁଲା ଜେନା ଓ ଲିଟନ ଜେନାଙ୍କ ନାମ ରହିଛି।ଦୁଇଟି ମାମଲା ଅଗଷ୍ଟ ୨୪ ତାରିଖ ସନ୍ଧ୍ୟାରେ ଧାମନଗର ଥାନାରେ ପଞ୍ଜୀକୃତ ହୋଇଛି। ଉଭୟ ମାମଲାର ତଦନ୍ତ ଭାର ଏ ଏସ ଆଇ ଶିବଶଙ୍କର ଖିଲାରଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ବନ୍ୟାବିପର୍ଯ୍ୟସ୍ତ ପରିସ୍ଥିତିରେ ଜଳନିଷ୍କାସନ କୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ପୋଲିସ ମାମଲାରେ ପରିଣତ ହୋଇଛି। ଏ ଦିଗରେ ତଦନ୍ତକାରୀ ଅଧିକାରି ଶ୍ରୀ ଖିଲାର କହିଛନ୍ତି ଯେ ଉଭୟ ଙ୍କ ଅଭିଯୋଗ କ୍ରମେ ଦୁଇ ଟି ମାମଲା ରୁଜୁ କରା ଯାଇଛି।ଘଟଣା ତଦନ୍ତ ଚାଲିଛି ବୋଲି କହିଛନ୍ତି।
SOURCE: ODIA PUA




