Source :- ODIA PUA

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ସୟା ପଂଚାୟତ ଅଧୀନ ସୟା ପଲେଇସାହି ଗ୍ରାମର ଗୌରାଙ୍ଗ ପଲେଇ (୫୫)ଙ୍କର ଗତ ୧.୧୦.୧୬ ତାରିଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ପତ୍ନୀ ଶାନ୍ତିଲତା ପଲେଇ କ୍ଷତିପୂରଣ ଦାବିରେ ଭଦ୍ରକ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆବେଦନକୁ ଗ୍ରହଣ କରି କେଶ ନଂ ଏମ.ଏସ୍‌. ୭/୨୦୧୮ରେ ମକଦ୍ଦମା ରୁଜୁ କରି ବିଚାର କରିଥିଲେ । କୋର୍ଟ ସମସ୍ତ ସାକ୍ଷୀମାନଙ୍କ ଠାରୁ ପ୍ରମାଣ ନେଇ ସାରିବା ପରେ ବିଦ୍ୟୁତ୍ ବିଭାଗକୁ ୬ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । କୋର୍ଟଙ୍କ ନିର୍ଦ୍ଦେଶର ୨ମାସ ମଧ୍ୟରେ ବିଦ୍ୟୁତ୍ ବିଭାଗ କ୍ଷତିପୂରଣ ନଦେଲେ ୬ଲକ୍ଷ ଟଙ୍କାର ୯ ପ୍ରତିଶତ ବାର୍ଷିକ ସୁଧ ଦେଇ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟର ନିର୍ଦ୍ଦେଶ ରହଇଛି । ମାତ୍ର କୋର୍ଟଙ୍କ ନିର୍ଦ୍ଦେଶର ୧ମାସ ବିତି ଯାଇଥିଲେ ମଧ୍ୟ ମୃତକଙ୍କ ପରିବାର କ୍ଷତିପୂରଣ ପାଇ ପାରିନାହାନ୍ତି । ବିଦ୍ୟୁତ୍ ବିଭାଗ କ୍ଷତିପୂରଣ ଦେବାରେ ଅବହେଳା କରିଥିବାରୁ ମୃତକଙ୍କ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ୨୦୧୬ ମସିହା ଅକ୍ଟୋବର ୧ ତାରିକ ସକାଳ ୯ଟା ବେଳେ ଗୌରାଙ୍ଗ ପଲେଇ ନିଜ ଘରୁ ନିକଟସ୍ଥ ତାଙ୍କ ଚାଷ ଜମିକୁ ଯାଉଥିଲେ । ତାଙ୍କ ବିଲ ପାଖରେ ଯାଇଥିବା ୧୧କେଭି. ବିଦ୍ୟୁତ ତାର ଝୁଲି ରହିଥିଲା । ଯାହାଫଳରେ ଗୌରାଙ୍ଗ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଏ ନେଇ ସେତେବେଳେ ତିହିଡ଼ି ଥାନାରେ ୩୯୭/୧୬ରେ ଏକ ମକଦ୍ଦମା ରୁଜୁ ହୋଇଥିଲା । ବିଦ୍ୟୁତ୍ ବିଭାଗ କୌଣସି କ୍ଷତିପୂରଣ ନଦେବାରୁ ମୃତକଙ୍କ ପତ୍ନୀ ଶାନ୍ତିଲତା କୋର୍ଟର ଦ୍ୱାରସ୍ତ ହୋଇଥିଲେ । ଏହି ମକଦ୍ଦମା ଆଇନଜୀବୀ ଜଗତବନ୍ଧୁ ଅଗସ୍ତୀ ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶୁଭଲକ୍ଷ୍ମୀ ପୋଥାଳ ଓ ପୂଜା ଦାସ ତାଙ୍କୁ ସହଯୋଗ କରୁଥିଲେ ।

SOURCE: ODIA PUA