Source :- ODIA PUA

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଭଦ୍ରକ ଆନୁକୁଲ୍ୟରେ ମେଂଟାଲ ଷ୍ଟ୍ରେସ୍ ମ୍ୟାନେଜମେଂଟ ସମ୍ବନ୍ଧରେ ଭିନ୍ନ ଅନୁଷ୍ଠାନରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗ ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉ କି ପୂର୍ବରୁ ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ ପ୍ରୟାସରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ମାନସିକ ସ୍ୱାସ୍ଥ୍ୟ ବିଭାଗ ଏବଂ ‘ଆଂଟି ଟବାକୋ କ୍ୟାମ୍ପେନ ଆଣ୍ଡ ୟୁଥ’ ସମ୍ବନ୍ଧୀୟ ଆଲୋଚନାଚକ୍ର କଲେଜ ପରିସରରେ ହୋଇଯାଇଛି। ବର୍ତମାନର ପ୍ରତିଯୋଗିତା ସମ୍ପନ୍ନ ଦୁନିଆରେ ମଣିଷ ଜୀବନରେ ବହୁ କିଛି ହାସଲ କରିବା ନିଶାରେ ମାନସିକ ଚାପଗ୍ରସ୍ତ ହେବା ଅବଶ୍ୟମ୍ଭାବୀ ଏବଂ ତତ୍‌ସଙ୍ଗେ ଏକ ସୁସ୍ଥ ଜୀବନଯାପନ ନିମିତ ଯାହା ଆବଶ୍ୟକ ସେ ସମ୍ବନ୍ଧରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମନୋବିଜ୍ଞାନବିତ୍ ଲୋନୀ ଲିଓନା ବେହେରା, କମ୍ୟୁନିଟି ସୁପରଭାଇଜର ଦେବେନ୍ଦ୍ର କୁମାର ନାୟକ ଏବଂ ମୁଖ୍ୟ ଅତିଥି ଡ. ଦୁର୍ଗା ଶଙ୍କର ଦାସ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମନୋବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଅକ୍ଷୟ କୁମାର ଦାସଙ୍କୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି କୃତଜ୍ଞତା ଜ୍ଞାପନ କରିବା ସହିତ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ, ଡ. ବିନୋଦ ଦାସ ଓ ଅଧ୍ୟାପକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA