Source :- ODIA PUA

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟରେ ଭଦ୍ରକ ଜିଲା ଏବେ ଚୋରା ଧଳାଜହର ରୂପୀ ବ୍ରାଉନସୁଗାରର ହବ୍ ପାଲଟିଥିବାବେଳେ ଏହାକୁ ରୋକାଯିବା କ୍ଷେତ୍ରରେ ଅବକାରୀ ବିଭାଗର ନୀରବତା ସମସ୍ତଙ୍କୁ ତାଜୁବ କରିଛି। ଗୋଟିଏ ପକ୍ଷରେ ଜିଲା ଅବକାରୀ ବିଭାଗ ନିଜ କର୍ମଚାରୀଙ୍କ ଅଭାବ ଦର୍ଶାଇ ଏହାକୁ ରୋକାଯିବାରେ ନିଜକୁ ଦୋଷମୁକ୍ତ କରିଆସୁଥିବାବେଳେ ଜିଲା ପୁଲିସ୍ ପ୍ରଶାସନ ହାତରେ ପ୍ରତି ମାସରେ ଏହି ଚୋରା ମାଦକ ଦ୍ରବ୍ୟ ସହ ମାଫିଆମାନେ ଗିରଫ ହେବାରେ ଲାଗିଛନ୍ତି। ଯାହା ପୁଣିଥରେ ଆଜି ଦୁଇଜଣ ଚୋରା କାରବାର କରି ଟଙ୍କା ଧରି ଫେରୁଥିବା ଅଭିଯୁକ୍ତଙ୍କ ଗିରଫ ଦାରୀରୁ ପ୍ରମାଣିତ ହୋଇଛି। ଏ ସଂପର୍କରେ ଆଜି ସହରାଂଚଳ ଥାନାରେ ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରାଙ୍କ ଦ୍ୱାରା ଆହୂତ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରୁ ଯାହା ଜଣାଯାଏ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପଦଙ୍କ ନିର୍ଦ୍ଦେଶ କ୍ରମେ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଖବର ପାଇ ଅତିରିକ୍ତ ଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ଏକ ଟିମ୍ ଗତ ୪ ତାରିଖ ଦିନ ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପା ଗୁଣ୍ଠୁଣିଆ ବଜାର ନିକଟରେ ବାଲେଶ୍ୱର ଦିଗରୁ ଆସୁଥିବା ସ୍ଥାନୀୟ ବରାଳପୋଖରୀ ନିବାସୀ ଭୀମଚରଣ ନାୟକଙ୍କ ଦୁଇ ପୁତ୍ର କାହ୍ନୁଚରଣ ଓ କାଳନ୍ଦୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୯.୫ ଗ୍ରାମ ଓଜନର ପ୍ରାୟ ୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ସ୍କୁଟି, ଭର୍ଣ୍ଣା କାର, ମୋବାଇଲ୍ ଜବତ କରିଥିଲେ। ତେବେ ସେତେବେଳର ତଦନ୍ତ କାଳରେ ଏହି ଗ୍ୟାଙ୍ଗରେ ସଂପୃକ୍ତ ଅନ୍ୟମାନଙ୍କ ସଂପର୍କରେ କେଶ୍ ନଂ ୧୧/୨୫, ଦଫା ୨୧(ବି), ୨୯ ଏନ୍‌ଡିପିଏସ୍ ଆକ୍ଟ ମୂଳେ ତଦନ୍ତ ଚାଲୁ ରହିଥିଲା। ଆଜି ଉକ୍ତ କେଶ୍‌ରେ ସଂପୃକ୍ତ ଅନ୍ୟ ଦୁଇଜଣଙ୍କ ସଂପର୍କରେ ଖବର ପାଇ ପୁଲିସ୍ ବନ୍ତଛକରେ ଛକି ବସିଥିବାବେଳେ ପୁରୁଣାବଜାର ଥାନା ଅଧୀନସ୍ଥ ଛଡାକମହଲା ନିବାସୀ ଗୁଫରାଲା ଖାନ୍‌ଙ୍କ ପୁତ୍ର ଗୁଲିସ୍ତାନ ଖାନ୍ ଓରଫ ଛୋଟୁ (୨୭) ଓ ସରକାର ନଗର ନିବାସୀ ସେକ୍ ସାଦିକଙ୍କ ପୁତ୍ର ସେକ୍ ଆବିଦ ଓରଫ ଜ୍ୟୋତି (୨୭) କୁ ଗିରଫ କରି ସେମାନେ ଅନ୍ୟ ଜିଲାରେ ବ୍ରାଉନସୁଗାର ଦେଉଥିବା ବ୍ୟକ୍ତିମାନଙ୍କ ଠାରୁ ଆଦାୟ କରି ଆଣିଥିବା ୨ ଲକ୍ଷ ୪୦ ହଜାର ଟଙ୍କା, ସ୍କୁଟି, ୪ ଟି ସ୍ମାର୍ଟ ଓ ଗୋଟିଏ ମଲ୍ଟିମେଡିଆ ମୋବାଇଲ୍ ଫୋନ୍ ଜବତ କରିଛନ୍ତି।

SOURCE: ODIA PUA