Source :- ODIA PUA
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଂଚାୟତରେ ଏକ ସରକାରୀ ଅନାବାଦୀ ଜମିରେ ଦୀର୍ଘ ୨୫ବର୍ଷ ଧରି ଘରକରି ରହିଥିବା ଜଣେ ଭୂମିହୀନ ଦଳିତ ମହିଳାଙ୍କ ପ୍ରତି ସ୍ଥାନୀୟ ସରପଂଚ ଅସୌଜନ୍ୟ ଆଚରଣ ଜନିତ ଗୁଣ୍ଡାରାଜ ସମସ୍ତଙ୍କୁ ଚକିତ କରିଛି। ଏ ସଂପର୍କରେ ଜିଲା କୃଷକ ନେତା ଚନ୍ଦ୍ରଶେଖର ନାୟକ ଓ ଆଇନ୍ଜୀବୀ ବିକାଶ ନାଥଙ୍କ ସହ ଆସିଥିବା ମହିଳା ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଓ ଗଣମାଧ୍ୟମ ନିକଟରେ ଦେଇଥିବା ଅଭିଯୋଗ ମୂଳେ ଏହି ପଂଚାୟତର ସରଗଡିଆ ଗ୍ରାମରେ ଜଗବନ୍ଧୁ ସେଠୀଙ୍କ ପରିବାର ଦୀର୍ଘବର୍ଷ ହେଲା ଏକ ସରକାରୀ ଜମିରେ ରହିଆସୁଛନ୍ତି। ଏହି ସରକାରୀ ଜମିରେ ଘର କରିବାକୁ ସରପଂଚ ଅଜୟ ସାମଲଙ୍କ ଭାଇ ୧୦ ହଜାର ଟଙ୍କା ନେଇଥିଲେ। ଏବଂ ଉକ୍ତ ଜମିଟି ତାଙ୍କ ନାମରେ କରାଇଦେବାକୁ ସରପଂଚ ଶ୍ରୀ ସାମଲ ୫୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ଜଗବନ୍ଧୁ ଓ ତାଙ୍କ ପତ୍ନୀ ରଥୀ ଦିନ ମଜୁରିଆ ହୋଇଥିବାରୁ, ତାହା ଦେବାକୁ ସକ୍ଷମ ହୋଇନଥିଲେ। ଫଲରେ ସରପଂଚ ଶ୍ରୀ ସାମଲ ସ୍ଥାନୀୟ ୪/୫ ଜଣ ଅସାମାଜିକ ଲୋକଙ୍କୁ ନେଇ ତାଙ୍କ ଘରେ ପ୍ରବେଶ କରି ବିଭିନ୍ନ ଅସଭ୍ୟ ଭାଷାରେ ରଥୀଙ୍କୁ ଗାଳିଗୁଲଜ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ଅଜୟ ତାଙ୍କୁ ଜାତିଗତ ଆକ୍ଷେପ କରି ସେଠାରୁ ଘର ଛାଡି ନଗଲେ ରାତିରେ କିରୋସିନି ଢାଳି ନିଆଁ ଲଗାଇଦେବାର ଧମକ ଦେଇଥିଲେ। ଏଣୁ ଏହି ପରିବାର ନିଜର ଜୀବନ ପ୍ରତି ବିପଦ ଥିବାରୁ ପ୍ରଥମେ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଥାନାଧିକାରୀ ଅପରପକ୍ଷଙ୍କୁ ଥାନାକୁ ଡକାଇ ଘଟଣାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଫଳରେ ଏହି ଖଟିଖିଆ ପରିବାର ନିଜର ଜୀବନ ପ୍ରତି ବିପଦ ଥିବାର ଦର୍ଶାଇ ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଜଣାଇଛନ୍ତି। ତେବେ ଏ ସଂପର୍କରେ ଅଭିଯୁକ୍ତ ସରପଂଚ ଶ୍ରୀ ସାମଲଙ୍କ ସହ ମୋବାଇଲ୍ ଯୋଗେ ଯୋଗାଯୋଗ କରିବାରେ ସେ ଫୋନ୍ ଉଠାଇନଥିଲେ।
SOURCE: ODIA PUA




