Home national news oriya ମାଧପୁର ଓ କରାଣ୍ଡୀମାଳରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ମାଧପୁର ଓ କରାଣ୍ଡୀମାଳରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

4
0

Source :- ODIA PUA

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ବର୍ତମାନ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଆଜି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ଏବଂ କରାଣ୍ଡୀମାଳ ଅଂଚଳ ଗସ୍ତ କରିଥିଲେ। ଗସ୍ତ ସମୟରେ ଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଂଚଳର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଆଶ୍ରୟସ୍ଥଳ, ରିଲିଫ୍ ବଂଟନ, ପାନୀୟ ଜଳ, ଖାଦ୍ୟ, ସ୍ୱାସ୍ଥ୍ୟସେବା ଏବଂ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ସମସ୍ତ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ପହଂଚାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଆବଶ୍ୟକସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ କୌଣସି ପ୍ରଭାବିତ ପରିବାର ଯେପରି ସରକାରୀ ସହାୟତାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ୍‌, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ସମ୍ପୂର୍ଣ୍ଣ ତତ୍ପରତାର ସହ ଜାରି ରହିଥିବା ବେଳେ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।

SOURCE: ODIA PUA