Home national news oriya ରାଜନୈତିକ ଛକାପଞ୍ଝା ଏବଂ ପ୍ରଶାସନିକଳର ଉଦାସୀନତା: ଖୋଲା ଆକାଶତଳେ ବାଘୁଆରି ଅଙ୍ଗନବାଡ଼ି କେନ୍ଦ୍ର, ବିପଦରେ ୩୦...

ରାଜନୈତିକ ଛକାପଞ୍ଝା ଏବଂ ପ୍ରଶାସନିକଳର ଉଦାସୀନତା: ଖୋଲା ଆକାଶତଳେ ବାଘୁଆରି ଅଙ୍ଗନବାଡ଼ି କେନ୍ଦ୍ର, ବିପଦରେ ୩୦ ଶିଶୁଙ୍କ ଭବିଷ୍ୟ

4
0

Source :- ODIA PUA

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ବିକାଶ ଓ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତର ବାଘୁଆରି ଅଙ୍ଗନବାଡ଼ି କେନ୍ଦ୍ରରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟମାନ ହେଉଛି। ନିଜସ୍ୱ ଗୃହ ଟିଏ ନଥିବାରୁ ପ୍ରାୟ ୩୦ ଜଣ କୋମଳମତୀ ଶିଶୁଙ୍କ ପାଠପଢ଼ା ଏବେ ବାଟବଣା ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଏହି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ଛୋଟ ପିଲାମାନେ କେତେବେଳେ ଲୋକଙ୍କ ଦ୍ୱାରମୁହଁ ପିଣ୍ଡାରେ ତ କେତେବେଳେ ଗଛମୂଳେ କିମ୍ବା ରାସ୍ତାକଡ଼ରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ବର୍ଷା ଓ ଖରାକୁ ଆଖି ଆଗରେ ରଖି ପିଲାମାନେ ରାସ୍ତାକଡ଼ରେ ଥିବା ଏକ ଅର୍ଦ୍ଧନିର୍ମିତ ଗଣେଶ ମନ୍ଦିର ପରିସରରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ଏହା କେବଳ ପିଲାମାନଙ୍କ ପାଠପଢ଼ାକୁ ବାଧାପ୍ରାପ୍ତ କରୁନାହିଁ, ବରଂ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଏକ ବଡ଼ ବିପଦ ସୃଷ୍ଟି କରିଛି। ତେବେ କେନ୍ଦ୍ର ପାଇଁ ଆବଣ୍ଟିତ ଅର୍ଥ ଏବଂ ଗୃହ ନିର୍ମାଣ କାହିଁକି ଅଟକି ରହିଛି, ତାହାର କାରଣ ପଚାରିବାରୁ ସ୍ଥାନୀୟ କର୍ମୀ ଜଣକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାଜନୈତିକ ଛକାପଞ୍ଝା ଓ ସ୍ଥାନୀୟ ସ୍ୱାର୍ଥନ୍ୱେଷୀ ମହଲର ଜାଗା ବିବାଦ ଯୋଗୁଁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ସେ କହିଛନ୍ତି। ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାମାଜିକ ଓ ରାଜନୈତିକ ହସ୍ତକ୍ଷେପ ଯୋଗୁଁ କେନ୍ଦ୍ର ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହୋଇପାରୁ ନଥିବା ଅଭିଯୋଗ ହୋଇଛି।ସରକାରଙ୍କ “ସମୃଦ୍ଧ ଅଙ୍ଗନବାଡ଼ି’ ଯୋଜନା ଏଠାରେ କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଅନୁଭବ କରୁଛନ୍ତି ଅଞ୍ଚଳବାସୀ। ତୁରନ୍ତ ଏହି ଜାଗା ବିବାଦର ସମାଧାନ କରାଯାଇ ବାଘୁଆରି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏକ ସ୍ଥାୟୀ ଗୃହ ନିର୍ମାଣ କରା ନଗଲେ ଆଗାମୀ ଦିନରେ ଗ୍ରାମବାସୀ ଏବଂ ଅଭିଭାବକମାନେ ବ୍ଲକ ପ୍ରଶାସନର କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରଶାସନ ଏଥିପ୍ରତି କେବେ ଦୃଷ୍ଟି ଦେଉଛି, ତାହାହିଁ ଦେଖିବାକୁ ବାକି ରହିଲା।

SOURCE: ODIA PUA