Home national news oriya ଅଣ୍ଢେଇପଲ୍ଲୀରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ

ଅଣ୍ଢେଇପଲ୍ଲୀରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ

6
0

Source :- ODIA PUA

ଭଦ୍ରକ, ୧୨୧୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୟା ଦଶମୀ ଅବସରରେ ତୀର ଚାଳନା ଓ ଅସ୍ତ୍ର ଚାଳନାର ଏକ ସ୍ୱତନ୍ତ୍ର ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରି ସୁରେନ୍ଦ୍ର ନାଥ ଜେନା ଫାଉଣ୍ଡେସନ ଆନୁକୁଲ୍ୟରେ ସୁଶାନ୍ତ କୁମାର ଜେନା ଏବଂ ନିତେଇ ସାହୁଙ୍କ ଆବାହକତ୍ୱରେ ଭଦ୍ରକ ଜିଲ୍ଲାର ଅଣ୍ଢେଇପଲ୍ଲୀରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଖଗେଶ୍ୱର ନାୟକଙ୍କ ଅଧ୍ୟକ୍ଷତା ଏବଂ ଶିକ୍ଷାବିତ୍ ମନୋରଞ୍ଜନ ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଆ ଭାଷା ସାହିତ୍ୟ ବିଶେଷଜ୍ଞ ପଣ୍‌ତିତ ଦୈତ୍ୟାରି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଏହି ଦିନ ଭଗବାନ ଶ୍ରୀରାମଚନ୍ଦ୍ର ଲଙ୍କାପତି ରାବଣକୁ ବଧ କରିଥିଲେ ଏବଂ ମା’ ଦୁର୍ଗା ମହିଷାସୁରକୁ ସଂହାର କରି ଜଗତରେ ଅଧର୍ମ ଉପରେ ଧର୍ମର ବିଜୟ ଧ୍ୱଜା ଉଡ଼ାଇଥିଲେ। ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଦଶହରାର ପରଦିନ ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିବର୍ଷ ‘ଲାଖମରା’ ନାମକ ଏକ ପାରମ୍ପରିକ ତୀର ଚାଳନା ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏହି ଖେଳରେ ଏକ ଉଚ୍ଚ ଗଛର ସବୁଠାରୁ ଉପର ଡାଳରେ ଦଶହରା ପୂଜାରେ ଲାଗି ହୋଇଥିବା ଏକ କାକୁଡ଼ିକୁ ବନ୍ଧାଯାଏ। ସ୍ଥାନୀୟ ନାଗା ରାଜା ଏବଂ ଆଦିବାସୀମାନେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ଶୋଭାଯାତ୍ରାରେ ଆସି ସେହି କାକୁଡ଼ିକୁ ଶର ବ୍ୟବହାର କରି ତୀର ଚାଳନା ଦ୍ୱାରା ଲକ୍ଷ୍ୟ ଭେଦ କରିବାକୁ ଚେଷ୍ଟା କରନ୍ତି। ଯିଏ ଲକ୍ଷ୍ୟଭେଦ କରେ, ତାକୁ ବିଜେତା ଘୋଷଣା କରାଯାଏ। ରାୟଗଡ଼ା ଜିଲ୍ଲା ସହିତ ଓଡ଼ିଶାର ପ୍ରାୟ ପ୍ରତି ଜିଲ୍ଲାରେ ପାରମ୍ପରିକ ବିଧି ବିଧାନ ଅନୁଯାୟୀ ଲାଖ ବା ତୀର ମାରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏହି ଦିନ ପାରମ୍ପରିକ ପ୍ରଥା ଅନୁସାରେ ଓଡ଼ିଶାର ବୀରତ୍ୱର ପ୍ରତୀକ ଖଣ୍ଡା ପୂଜା କରାଯାଇଥାଏ । ପାଇକ ଏବଂ ଖଣ୍ଡାୟତ ସମ୍ପ୍ରଦାୟର ଲୋକମାନେ ନିଜର ପାରମ୍ପରିକ ଯୁଦ୍ଧାସ୍ତ୍ର ଯେପରିକି ଧନୁ-ତୀର, ଖଣ୍ଡା, ଲାଠି ଏବଂ ଢାଲକୁ ପୂଜାର୍ଚ୍ଚନା କରନ୍ତି। ଏହାପରେ ସାମୁହିକ ଭାବେ ତୀର ଚାଳନା, ଖଣ୍ଡା ଯୁଦ୍ଧ ଏବଂ କୁସ୍ତି ଆଦି ପ୍ରଦର୍ଶନ ମଧ୍ୟ କରାଯାଏ। ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସହର ଓ ଗାଁରେ ଆୟୋଜିତ ହେଉଥିବା ରାବଣ ପୋଡ଼ି ଉତ୍ସବରେ ଅଗ୍ନିଶର (ତୀର) ଚାଳନା କରି ରାବଣର କୁଶପୁତ୍ତଳିକା ଦାହ କରନ୍ତି, ଯାହା ଅଧର୍ମର ବିନାଶକୁ ଦର୍ଶାଇଥାଏ। ଏହି ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଅଣ୍ଢେଇପଲ୍ଲୀରେ ଅନୁଷ୍ଠିତ ଏହି ତୀର ପ୍ରତିଯୋଗିତା ମୋ ହୃଦୟକୁ ଜୟ କରିଛି। ଭଦ୍ରକ ସହିତ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଭଳି ବିଭିନ୍ନ ଜିଲ୍ଲାରେ ତୀର ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ଅପୂର୍ବ ରଞ୍ଜନ ବେହେରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି ତୀର ପ୍ରତିଯୋଗିତା କିଭଳି ଭାରତୀୟ ସଂସ୍କୃତିର ନିଦର୍ଶନ ସେ ସମ୍ପର୍କରେ ଅବଗତ କରାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଜୟୀରାମ ପରିଡ଼ା , ସୁବାଷ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ପ୍ରତିଯୋଗିତାରେ ଅବସରରେ ଅଣ୍ଢେଇପଲ୍ଲୀ, ଅଳଉତି, ନଗୁଆଁ, ତୋରଡାଙ୍ଗ ଏବଂ କେଉଁଝରରୁ ୩୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିବା ବେଳେ ଘନ ମୁଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ସମ୍ମାନିତ ହୋଇଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ ଜୟୀରାମ ପରିଡ଼ା ସମ୍ମାନ ସୂଚକ ଭାବେ ଡକ୍ଟରେଟ ଡିଗ୍ରୀ ହାସଲ କରି ଗାଁ ପାଇଁ ଗୌରବ ଆଣିଥିବାରୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗ୍ରାମର ମୁରବୀ ତଥା ଯୁବ ସମାଜ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରୁଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ସୁଶାନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA