Source :- ODIA PUA
ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଅଂଚଳର ପ୍ରସିଦ୍ଧ ମା ଙ୍କ ପୀଠ ମା ଧାମରାଇଙ୍କ ଦର୍ଶନ କରିବାକୁ ସ୍ୱାମୀ ଏବଂ ସ୍ତ୍ରୀ ଆସିଥିବା ବେଳେ ଏହି ପୀଠରୁ ସ୍ତ୍ରୀ ନିଜ ପ୍ରେମିକ ସହ ଫେରାର ହୋଇଯାଇଛି। ପ୍ରାପ୍ତ ଖବର ଅନୁଯାଇ ଭଦ୍ରକ ଜିଲ୍ଲା ସାବରଙ୍ଗ ଏରେଇଁ ଅଂଚଳର ବିଜୟ ମହାରଣା ନିଜ ଅଂଚଳର ପ୍ରତିମା କୁ ଗତ ଡିସେମ୍ବର ମାସରେ ପ୍ରେମ ବିବାହ କରିଥିଲେ। ଦୀର୍ଘ ଦିନ ହେବ ମା ଧାମରାଇଙ୍କ ପୀଠରେ ମାନସିକ ଅଛି ବୋଲି ପ୍ରତିମା ନିଜ ସ୍ୱାମୀ ବିଜୟଙ୍କୁ କହିଥିଲେ। ଆଜି ସକାଳ ୧୦ଟା ସମୟରେ ବିଜୟ ଏବଂ ପ୍ରତିମା ମା ଧାମରାଇଙ୍କ ପୀଠକୁ ଆସିଥିଲେ। ନିଜର ଦେହ ଭଲ ଲାଗୁନାହିଁ ତୁମେ ଯାଇ ମାଙ୍କ ପାଖରେ ଭୋଗ କରି ଆସ ମୁଁ ଏହି ମନ୍ଦିର ନିକଟସ୍ଥ ଭୋଗ ଦୋକାନରେ ବସିଛି ବୋଲି ପ୍ରତିମା ବିଜୟକୁ କହିଥିଲେ। ବିଜୟ ନିଜର ସ୍ତ୍ରୀ ପ୍ରତିମାକୁ ମନ୍ଦିର ନିକଟରେ ଥିବା ଭୋଗ ଦୋକାନରେ ଛାଡି ଦେଇ ମାଙ୍କ ମନ୍ଦିର କୁ ପୂଜାକରିବାକୁ ଯାଇଥିଲେ। ୧୦ମିନିଟ ପରେ ଆସି ବିଜୟ ଦେଖନ୍ତି ନିଜର ପ୍ରିୟତମା ପତ୍ନୀ ସେହି ସ୍ଥାନରେ ନାହାନ୍ତି। ବିଜୟ ପାଖରେ ଥିବା ଦୋକାନୀ ମାନଙ୍କୁ ପଚାରିବାରୁ ସେମାନେ ସଂପୃକ୍ତ ମହିଳା ଜଣେ ଯୁବକଙ୍କ ସହ ଏକ ମୋଟର ସାଇକେଲରେ ବସି ଫେରାର ହୋଇଯାଇଛନ୍ତି ବୋଲି ପ୍ରତକ୍ଷ୍ୟଦର୍ଶୀଙ୍କ ନିକଟରୁ ଜାଣିବାକୁ ପାଇଲେ।ବିଜୟ ଇତସ୍ତତ ହୋଇ ସବୁ ଆଡେ କାନ୍ଦି କାନ୍ଦି ଖୋଜାଖୋଜି କରିବା ସହ ଅଂଚଳର ଜନସାଧାରଣଙ୍କୁ ନିଜ ପତ୍ନୀକୁ ଖୋଜି ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ସୁଫଳ ପାଇ ନଥିଲେ।ଫଳରେ ବାଧ୍ୟ ହୋଇ ବିଜୟ ନିଜ ସ୍ତ୍ରୀକୁ ନପାଇ ଏକା ଏକା ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ।
SOURCE: ODIA PUA







